ଭୁୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ପରିପ୍ରେକ୍ଷୀରେ ଏବର୍ଷର ବୋଲବମ୍ ଯାତ୍ରାକୁ ବନ୍ଦ ଘୋଷଣା କରାଯାଇଛି । ଶ୍ରାବଣ ମାସ ପ୍ରଥମ ସୋମବାରର ଠିକ୍ ଦୁଇଦିନ ପୂର୍ବରୁ ରାଜ୍ୟ ସରକର ଏହି ପଦକ୍ଷେପ ନେଇଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଘୋଷଣା କରିଛନ୍ତି ।
ସେ କହିଛନ୍ତି, ବୋଲବମ୍ ଯାତ୍ରାରେ ସାମିଲ ହେଉଥିବା କାଉଡ଼ିଆମାନେ ବିଭିନ୍ନ ଜାଗାରୁ ଜଳ ନେଇ ମହାଦେବଙ୍କ ମନ୍ଦିରରେ ଜଳଲାଗି କରୁଥିବାରୁ ପ୍ରତିବର୍ଷ ରାସ୍ତାଘାଟ ଏବଂ ମନ୍ଦିରମାନଙ୍କରେ ଅସମ୍ଭବ ଭିଡ଼ ହୁଏ । ଏବର୍ଷ କରୋନା ସ୍ଥିତି ଯୋଗୁଁ ବୋଲବମ୍ ଯାତ୍ରା ହେଲେ ତାହା ଯଥେଷ୍ଟ ବିପଦ ସୃଷ୍ଟି କରିବାର ସମ୍ଭାବନା ଅଛି । ସେହି ଦୃଷ୍ଟିରୁ ରାଜ୍ୟ ସରକାର ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କୌଣସି ଜାଗାରେ କାହାରିକୁ ବୋଲବମ୍ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ । ନିଦେ୍ର୍ଦଶ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ଜେନା ଜଣାଇ ଦେଇଛନ୍ତି ।
ସେପଟେ କଟକ ସହରରେ କରୋନାର ଭୀଷଣ ପ୍ରକୋପ ଦୃଷ୍ଟିରୁ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ସହରକୁ ଆସନ୍ତା ୮ ତାରିଖ ବୁଧବାର ମଧ୍ୟରାତ୍ର ଯାଏ ସଟଡାଉନ୍ ଘୋଷଣା କରିଛନ୍ତି । ଶନି ଓ ରବିବାର ସପ୍ତାହନ୍ତ ସଟଡାଉନ୍ କୁ ମିଶାଇ ଆଉ ତିନି ଦିନ ସଟଡାଉନ୍ ରେ ରହିବ କଟକ ସହର । ଏହି ସମୟରେ କୌଣସି ଅଣ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏବଂ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀକୁ ଅନୁମତି ଦିଆଯିବ ନାହିଁ ବୋଲି ସିଏମସି ସ୍ପଷ୍ଟ କରିଛି ।
ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ପରିବହନକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି । ସକାଳ ୫ଟାରୁ ସଂଧ୍ୟା ୬ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ।
କୋଭିଡ୍ ଗାଇଡଲାଇନ୍ ର କଡ଼ାକଡ଼ି ପାଳନ ପାଇଁ ସିଏମସି କର୍ତ୍ତୃପକ୍ଷ ସହରବାସୀଙ୍କୁ ଅନୁରୋଧ କରିଥିବା ବେଳେ ସହର ଭିତରକୁ ବାହାର ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।