ଭୁୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ପାର୍ କରିଥିବା ବେଳେ ୨୦ ଜଣ ମୃତ୍ୟୁବରଣ କଲେଣି । ବିଶେଷ କରି ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି । ସ୍ଥିତି ସମ୍ଭାଳିବା ପାଇଁ ରାଜ୍ୟ ସରକାର ଦୁଇ ଯୁବ ଆଇଏଏସ୍ ଙ୍କୁ ଗଞ୍ଜାମ ପଠାଇଛନ୍ତି । ଛତ୍ରପୁର ଏବଂ ଭଞ୍ଜନଗର ସବ ଡିଭିଜନ୍ ଦାୟିତ୍ୱରେ ସେମାନଙ୍କୁ ଅବସ୍ଥାପିତ କରାଯାଇଛି । ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ୬ ଜଣ ଓଏଏସ୍ ଅଫିସରଙ୍କୁ ମଧ୍ୟ ଗଞ୍ଜାମ ପଠାଯାଇଛି ।
ପୂର୍ତ୍ତ ବିଭାଗରେ ଡେପୁଟି ସେକ୍ରୋଟାରୀ ପଦରେ ଥିବା ୨୦୧୫ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ପାରୁଲ୍ ପଟ୍ଟୱାରୀଙ୍କୁ ଛତ୍ରପୁର ସବ୍ ଡିଭିଜନ୍ ର ସ୍ପେଶାଲ୍ ଏଡିଏମ୍ ଭାବେ ସ୍ୱତନ୍ତ୍ର ନିଯୁକ୍ତି ଦିଆଯାଇଛି ।
ସେହିଭଳି ପୁରୀ ପିଡି, ଡିଆରଡିଏ ପଦରେ ଥିବା ୨୦୧୬ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ବିଶାଲ୍ ସିଂହ ଙ୍କୁ ଭଞ୍ଜନଗର ସବ ଡିଭିଜନ୍ ର ସ୍ପେଶାଲ୍ ଏଡିଏମ୍ ପଦରେ ଅବସ୍ଥାପିତ କରାଯାଇଛି ।
କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର୍ ୧୯୭୩(୧୯୭୪ର ଆକ୍ଟ ୨)ର ଧାରା ୨୦(୨) ବଳରେ ରାଜ୍ୟ ସରକାର ଉଭୟଙ୍କୁ ଜିଲ୍ଲାର ଦୁଇଟି ସବ୍ ଡିଭିଜନ୍ ରେ କୋଭିଡ୍ ପରିଚାଳନାର ସ୍ୱତନ୍ତ୍ର ଦାୟିତ୍ୱ ସହ ଏଡିଏମ୍ ଭାବେ ନିଯୁକ୍ତି ଦେଇଛନ୍ତି ।
ସେହିଭଳି କୋଭିଡ୍ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ଲାଗି ଡେପୁଟି ସେକ୍ରୋଟାରୀ ପାହ୍ୟାର ୬ ଜଣ ଓଏଏସ୍ ଅଧିକାରୀଙ୍କୁ ଗଞ୍ଜାମ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେମାନେ ହେଲେ ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ ଡେପୁଟି ସେକ୍ରୋଟାରୀ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଂଜନ ମୋହନ୍ତ ଏବଂ ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସେକ୍ରୋଟାରୀ ଶୁଭେନ୍ଦ୍ର କୁମାର ସାମଲ ।
ଏହି ଓଏଏସ୍ ଅଧିକାରୀମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରି ତୁରନ୍ତ କାର୍ଯ୍ୟରେ ଯୋଗଦେବା ଲାଗି ନିଦେ୍ର୍ଦଶ ଦିଆଯାଇଛି ।