ଭୁବନେଶ୍ୱର: କରୋନା ହଟସ୍ପଟ୍ ପାଲିଟିଥିବା ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି ଏବଂ ଯାଜପୁର ଜିଲ୍ଲାରୁ ଭୁବନେଶ୍ୱର ବସ୍ତି ଅଞ୍ଚଳକୁ ଫେରୁଥିବା ଲୋକମାନେ କ୍ୱାରେଣ୍ଟାଇନ୍ ରେ ରହିବେ । ବିଏମସି ପକ୍ଷରୁ ସେମାନଙ୍କ ପାଇଁ ୧୪ ଦିନିଆ ସରକାରୀ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି । ବସ୍ତିଞ୍ଚରେ ଛୋଟ ଘର ଏବଂ ସାମାଜିକ ଦୂରତା ପ୍ରତିବନ୍ଧକ ଦୃଷ୍ଟିରୁ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ଅନୁମତି ଦିଆଯିବନି ।
ଲକ୍ ଡାଉନ୍ କୋହଳ ହୋଇଥିବାରୁ ବିଭିନ୍ନ ଜିଲ୍ଲାରୁ ଲୋକେ ଜୀବିକା ପାଇଁ ଭୁବନେଶ୍ୱର ଫେରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ରହନ୍ତି । ଭୁବନେଶ୍ୱରରେ କରୋନା ସଂକ୍ରମଣ ରୋକିବା ପାଇଁ ଏହି ନିୟମ ଲାଗୁ କରାଯାଇଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।
୫ଟି ହଟସ୍ପଟ୍ ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ଆକ୍ଟିଭ୍ ସ୍ଲମ୍ ସର୍ଭିଲାନ୍ସ ଟିମ୍ ଗଠନ କରାଯାଇଛି । ସ୍ଲମ୍ କମିଟି ମଧ୍ୟ ଏ ଦିଗରେ କାର୍ଯ୍ୟ କରିବେ । ବିଏମସିର ଆକ୍ଟିଭ୍ ସ୍ଲମ୍ ସର୍ଭିଲାନ୍ସ ଟିମ୍ ଭୁବନେଶ୍ୱର ଫେରୁଥିବା ଲୋକଙ୍କୁ ସରକାରୀ କ୍ୱାରେଣ୍ଟାଇନ୍ କେନ୍ଦ୍ର ପଠାଇବାର ବ୍ୟବସ୍ଥା କରିବେ ବୋଲି ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୭୪ରେ ପହଞ୍ଚିଲାଣି । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୨ ଆକ୍ଟିଭ୍ କେସ୍ ଅଛନ୍ତି । ସହରର ବିଭିନ୍ନ ହସ୍ପିଟାଲ୍ ରେ କାର୍ଯ୍ୟ କରୁଥିବା ୩୯ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ଆହୁରି ଚିନ୍ତାଜନକ ହୋଇଛି । ଭୁବନେଶ୍ୱରରେ କରୋନା ସଂକ୍ରମଣ ରୋକିବା ପାଇଁ ବିଏମସି ଆଖିରୁ ନିଦ ହଜିଯାଇଛି । ସହରର ୧୦ଟି ଘରୋଇ ହସ୍ପିଟାଲ୍ କୁ ସିଲ୍ କରାଯାଇ ବ୍ୟାପକ ଯାଞ୍ଚ ଚାଲିଛି । ସାଲିଆସାହି ଏବଂ ସୁବାସ ନଗର ବସ୍ତିରେ ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିଛି ।
ବିଏମସି କମିଶନରଙ୍କ ସୂଚନା ଅନୁଯାୟୀ, ସାଲିଆସାହିରେ ୧୦ ରାଉଣ୍ଡ୍ ଆକ୍ଟିଭ୍ ସର୍ଭେଲାନ୍ସ ଜରିଆରେ ୫୦୦ ଲୋକଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା ବେଳେ ସୁବାସ ନଗର ବସ୍ତିରେ ୬ ରାଉଣ୍ଡ୍ ରେ ୫୦ ରୁ ଅଧିକ ଲୋକଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ତେବେ ସୁଖର କଥା ସମସ୍ତଙ୍କର ନେଗେଟିଭ୍ ଆସିଛି ।