ଭୁବନେଶ୍ୱର: ଯାଜପୁରରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ବଲାଙ୍ଗୀର ଜିଲ୍ଲାକୁ ଛୁଇଁଛି କରୋନା । ପ୍ରଥମ ଥର ପାଇଁ ଜିଲ୍ଲାରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଢ଼ ମାସ ତଳୁ ସେମାନେ ତାମିଲନାଡୁରୁ ଫେରି ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । ଆଜି ଦିନରେ ୪ଟି ପର୍ଯ୍ୟାୟରେ ତିନୋଟି ଜିଲ୍ଲାରୁ ୬ କରୋନା ପଜିଟିଭ୍ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ରେ ପହଞ୍ଚିଛି ।
ଆଜି ସକାଳେ ପ୍ରଥମେ ବାଲେଶ୍ୱରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୧୪୩ ନଂ ଆକ୍ରାନ୍ତ ଏହି ବ୍ୟକ୍ତିଜଣଙ୍କର ବୟସ ୫୮ ବର୍ଷ ଏବଂ ସେ କୋଲକତା ଫେରନ୍ତା । କୌଣସି ଲକ୍ଷଣ ନ ଥାଇ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏହି ନୂଆ ପଜିଟିଭ୍ ଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି । ପରବର୍ତ୍ତୀ ସମୟରେ ବଲାଙ୍ଗୀର ଏବଂ ଯାଜପୁର ଜିଲ୍ଲାରୁ କରୋନା ଅପଟେଡ୍ ଆସିଛି । ବଲଙ୍ଗୀର ଜିଲ୍ଲାରୁ ପ୍ରଥମଥର ପାଇଁ ଚିହ୍ନଟ ଦୁଇ ଆକ୍ରାନ୍ତଙ୍କ ଘର ଲେଖାରିଆ ଗାଁରେ । ସେମାନଙ୍କର ବୟସ ଯଥାକ୍ରମେ ୨୨ ଓ ୧୮ ବର୍ଷ । ତାମିଲନାଡୁରୁ ଫେରିବାର ଦେଢ଼ମାସ ପରେ ସେମାନଙ୍କଠାରେ ସଂକ୍ରମଣ ବାହାରିଛି ।
ଯାଜପୁରରୁ ଦୁଇଟି ଥାକରେ ୩ ପଜିଟିଭ୍ ବାହାରିଛନ୍ତି । ସମସ୍ତେ କୋଲକତା ଫେରନ୍ତା ଏବଂ ଲକ୍ଷଣହୀନ । ପ୍ରଥମ ଦୁଇଜଣଙ୍କ ମଧ୍ୟରେ ବିରଜାପୁରର ୫୫ ବର୍ଷର ପୁରୁଷ ଏବଂ କଟିକଟାର ୭୫ ବର୍ଷର ମହିଳା ଅଛନ୍ତି । ଦ୍ୱିତୀୟ ଥାକରେ ପଜିଟିଭ୍ ଚିହ୍ନଟ ବ୍ୟକ୍ତିଜଣଙ୍କର ବୟସ ୩୦ ବର୍ଷ । ତାଙ୍କ ଘର ବେହେରାପାଟଣାରେ । ଏମାନଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି ।
ଆହୁରି ୧୪ ସୁସ୍ଥ: ଏକ ଖୁସି ଖବର । ଆଜି ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରାପଡ଼ାରୁ ଜଣେ, ଭୁବନେଶ୍ୱରରୁ ୩, ବାଲେଶ୍ୱରରୁ ୩ ଏବଂ ଭଦ୍ରକରୁ ୭ ଜଣ । ଏଥିସହ କେନ୍ଦ୍ରାପଡ଼ାରୁ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୫ ଆକ୍ରାନ୍ତ ସୁସ୍ଥ ହେଲେ ।