ଭୁବନେଶ୍ୱର: ଭୁବନେଶ୍ୱର, କଟକ ସହରର ହାଟ ବଜାରରେ ଆପଣ ୨ ମିଟର ସାମାଜିକ ଦୂରତ୍ୱ ନିୟମ ପାଳନ ନକଲେ ୫୦୦ ଟଙ୍କା ଜୋରିମାନା ଦେବେ । ନିୟମ ଉଲ୍ଲଂଘନ କରି ଜୋରିମାନାରୁ ବର୍ତ୍ତିଯାଇପାରିବେନି । କାରଣ ହାଟ ବଜାରରେ ଆପଣଙ୍କୁ ଜଗିବେ ଜଣେ ଜଣେ ପୁଲିସ ସବ୍ ଇନସପେକ୍ଟର । ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜୋରିମାନା ଆଦାୟ ପାଇଁ ଭୁବନେଶ୍ୱର କମିଶନରେଟ୍ ପୁଲିସର ସବ ଇନସପେକ୍ଟରଙ୍କୁ ମିଳିଛି କ୍ଷମତା । ଆଗାମୀ ଦୁଇମାସ ପାଇଁ ଏହି ବ୍ୟବସ୍ଥା ଲାଗୁ ହୋଇଛି ।
ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଆଜି ଏହି ସୂଚନା ଦେଇଛନ୍ତି । ସହରାଞ୍ଚଳ ପୁଲିସ ଆଇନ ଅନୁସାରେ ଏସଆଇ ଏହି ଜୋରିମାନା ଆଦାୟ କରିବେ । ସହରାଞ୍ଚଳରେ ସାମାଜିକ ଦୂରତ୍ୱ ନିୟମ ପାଳନ ହେଉଛି ନା ନାହିଁ ତାହାକୁ ଅନୁଧ୍ୟାନ କରିବେ ଏବଂ ଉଲ୍ଲଂଘନକାରୀଙ୍କଠାରୁ ଜୋରିମାନା ଆଦାୟ କରିବେ । ଏଥିସହ ବିଏମସି ଓ ସିଏମସି ଅଞ୍ଚଳରେ ଅନୁମତି ନ ଥାଇ ଦୋକାନ ଖୋଲୁଥିବା ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ।