ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.କେ.ପାଲାନିସ୍ୱାମୀଙ୍କ ସହିତ ତାଙ୍କ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କ ଫେରିବା ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କଥାବାର୍ତ୍ତାରେ ଯୋଗ ଦେଇଥିଲେ ।
ଲକ୍ ଡାଉନ୍ ସମୟରେ ତାମିଲନାଡୁ ସରକାର ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ଉପଯୁକ୍ତ ଯତ୍ନ ନେଇଥିବାରୁ ପାଲାନିସ୍ୱାମୀଙ୍କୁ ଧନ୍ୟବାଦ ଜଣାଇଥିଲେ ନବୀନ । ତାମିଲନାଡୁରୁ ଓଡ଼ିଶା ଫେରିବାକୁ ଚାହୁଁଥିବା ଓଡ଼ିଆ ଲୋକ ଯେପରି ସୁବିଧାରେ ଓଡ଼ିଶା ଫେରି ଆସିପାରିବେ ସେ ଦିଗରେ ସହଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।
ଚେନ୍ନାଇର ଗୁରୁ ନାନକ କଲେଜରେ କରାଯାଇଥିବା ଶିବିରରେ ରହିଥିବା ଓଡ଼ିଆମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସିଂ ଯୋଗେ କଥା ହୋଇଥିଲେ ଏବଂ ତାମିଲନାଡୁ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ ।