ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ନୂଆ ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୧୪ ଜଣ ଯାକ ହେଉଛନ୍ତି କଟିକଟା ଗାଁ ଲୋକ । ପୂର୍ବରୁ ଏହି ଗାଁରୁ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ଥିଲେ । ଆଜି ସକାଳେ ଗାଁର ଜଣେ ଯୁବତୀ ଏବଂ ୫୬ ବର୍ଷର ବ୍ୟକ୍ତିଙ୍କ ସମେତ ଜିଲ୍ଲାରୁ ୩ ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ନୂଆ ୧୪ କୁ ମିଶାଇ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ କୁ ବୃଦ୍ଧି ପାଇଛି ।
ନୂଆ ୧୪ ଆକ୍ରାନ୍ତଙ୍କ ମଧ୍ୟରେ ୬ ପୁରୁଷ, ୫ ମହିଳା, ଜଣେ ନାବାଳକ, ୨ ଜଣ ଶିଶୁ ଅଛନ୍ତି । ପୁରୁଷଙ୍କ ବୟସ ଯଥାକ୍ରମେ ୨୯, ୩୮, ୩୫, ୨୯, ୩୪ ଏବଂ ୬୨ ବର୍ଷ । ସେହିଭଳି ମହିଳାଙ୍କ ବୟସ ଯଥାକ୍ରମେ ୪୦, ୨୦, ୮୫, ୩୬ ଓ ୫୨ ବର୍ଷ । ନାବାଳକଙ୍କ ବୟସ ୧୨ ବର୍ଷ । ୨ ଶିଶୁ ମଧ୍ୟରେ ଜଣେ ୩ ବର୍ଷର ଝିଅ ଏବଂ ୩ ବର୍ଷର ପୁଅ ଅଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ ସିଂହଙ୍କ ସୂଚନା ଅନୁଯାୟୀ, ପୂର୍ବରୁ କଟିକଟାରୁ ୬ ଜଣ ପଜିଟିଭ୍ ଚିିହ୍ନଟ ହୋଇଥିଲେ । ଏହାପରେ ଗାଁକୁ କଣ୍ଟେନମେଣ୍ଟ ରେ ରଖାଯାଇଥିଲା । କଟିକଟାରେ ୨୬୯ ପରିବାର ବାସ କରନ୍ତି । କଣ୍ଟେନମେଣ୍ଟ ପରେ ୨୦୦ ସାମ୍ପଲ୍ ନିଆଯାଇଛି । ସେଥିମଧ୍ୟରୁ ୧୪ ପଜିଟିଭ୍ ଏବେ ଚିହ୍ନଟ ହୋଇଛନ୍ତି । ଆହୁରି ସାମ୍ପଲ୍ ନିଆଯାଇ ଟେଷ୍ଟ ପାଇଁ ପଠାଯାଉଛି ।
କଣ୍ଟେନମେଣ୍ଟ ଅଞ୍ଚଳରୁ ଚିହ୍ନଟ ହୋଇଥିବାରୁ କେହି ଛାନିଆ ନ ହେବାକୁ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି । ଯଦି କଟକଟା କଣ୍ଟେମେଣ୍ଟ ହୋଇ ନ ଥାଆନ୍ତା ପରିସ୍ଥିତି ବିଗିଡ଼ି ଯାଇଥାଆନ୍ତା । ସଂପୃକ୍ତ ୬ ଆକ୍ରାନ୍ତ ସମଗ୍ର ଜିଲ୍ଲା ବା ରାଜ୍ୟକୁ ସଂକ୍ରମିତ କରିଥାଆନ୍ତେ ବୋଲି ସେ କହିଛନ୍ତି ।