ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସେପ୍ଟେମ୍ବର ୧ ରୁ ସେମାନଙ୍କୁ ମିଳିବ ସପ୍ତମ ବେତନ କମିଶନଙ୍କ ଦରମା । ଏ ନେଇ ଗଠିତ ଫିଟମେଣ୍ଟ କମିଟି ସୁପାରିଶକୁ ସରକାର ଗ୍ରହଣ କରିଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସରକାରଙ୍କ ନିଷ୍ପତ୍ତିରେ ୪ ଲକ୍ଷ ୫୦ ହଜାର କର୍ମଚାରୀ ଓ ୩ ଲକ୍ଷ ୫୦ ହଜାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଉପକୃତ ହେବେ । ସେମାନଙ୍କୁ ଅଧିକ ଦରମା ଓ ପେନସନ୍ ମିଳିବ । ବର୍ଦ୍ଧିତ ଦରମା ଓ ପେନସନ୍ ବାବଦରେ ରାଜ୍ୟ ସରକାର ବର୍ଷକୁ ୪୫୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ସମ୍ଭାଳିବେ ।
ସପ୍ତମ ବେତନ କମିଶନଙ୍କ ସୁପାରିଶକୁ କେନ୍ଦ୍ର ସରକାର ଗତବର୍ଷ ଜାନୁଆରୀ ମାସରୁ ଲାଗୁ କରିସାରିଛନ୍ତି । ଅଧିକାଂଶ ରାଜ୍ୟ ସରକାର ଏହାକୁ ଲାଗୁ କରିସାରିଥିଲେ ମଧ୍ୟ ଓଡ଼ିଶାର ଆର୍ଥିକ ସଙ୍କଟ ରାଜ୍ୟ ସରକାରଙ୍କ ହାତ ବାନ୍ଧି ଦେଇଥିଲା । ରାଜ୍ୟର ଆର୍ଥିକ ସ୍ଥିତି ଓ ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ଅନୁଧ୍ୟାନ କରିବାକୁ ସରକାର ଏକ ଫିଟମେଣ୍ଟ କମିଟି ଗଠନ କରିଥିଲେ । କମିଟି ଗତ ଜୁନ୍ ମାସରୁ ସରକାରଙ୍କୁ ରିପୋର୍ଟ ଦେଇସାରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ମାତ୍ର ଆଗକୁ ଭୋଟ ଥିବାରୁ ବିଜେଡ଼ି ସରକାର ତାହାକୁ ବେଶୀ ଦିନ ଗଡ଼ାଇବାକୁ ଚାହିଁ ନାହାନ୍ତି । ଦଶହରା ପୂର୍ବରୁ କର୍ମଚାରୀଙ୍କୁ ଖୁସି କରାଇବାକୁ ପ୍ରୟାସ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ତିନିମାସରେ ରାଜ୍ୟ ସରକାର ଖୋଲା ବଜାରରୁ ୩ ହଜାର କୋଟି ଟଙ୍କା ଋଣ ଉଠାଇଛନ୍ତି । ଅର୍ଥାତ୍ ସରକାର ପ୍ରବଳ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏବେ ସପ୍ତମ ବେତନ କମିଶନ ଲାଗୁ ହୋଇଥିବାରୁ ଅତିରିକ୍ତ ଖର୍ଚ୍ଚ ବୋଝ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇଛି ।