ଭୁବନେଶ୍ୱର: ମହାନଦୀରେ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗରେ ଛତିଶଗଡ଼ ସରକାରକୁ ଆଜି ଆଉ ଏକ ଧକ୍କା ମିଳିଛି । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ରାୟ ବିରୋଧରେ ଛତିଶଗଡ଼ ସରକାରଙ୍କ ଆବେଦନକୁ କୋଲକତା ହାଇକୋର୍ଟ ଗ୍ରହଣ କରିନାହାନ୍ତି । ପିଟିସନ୍ ଫେରାଅ, ନଚେତ୍ ଅଗ୍ରାହ୍ୟ କରାଯିବ ବୋଲି କୋଲକତା ହାଇକୋର୍ଟର ଏକ ଡିଭିଜନ୍ ବେଞ୍ଚ ହୁକୁମ୍ ଦେଇଛନ୍ତି ।
ଗତ ଜୁଲାଇ ୨୬ ତାରିଖରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଛତିଶଗଡ଼ ସରକାରଙ୍କୁ ମହାନଦୀରେ ବ୍ୟାରେଜ୍ ନିର୍ମାଣରୁ ବାରଣ କରିଥିଲେ । ମହାନଦୀରେ ୩୧ ଟି ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଛତିଶଗଡ଼ ସରକାର ଏହା ବିରୋଧରେ କୋଲକତା ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରିଥିଲେ । କୋଲକତା ହାଇକୋର୍ଟ ଆଜି ଏହାର ଶୁଣାଣି କରିଥିଲେ । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ରାୟ ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ସିଧାସଳଖ ମନା କରିବା ସହ ଆସନ୍ତା ନଭେମ୍ବର ୨ କୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । କୋଲକତା ହାଇକୋର୍ଟର ଏହି ରାୟକୁ ଓଡ଼ିଶା ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ସ୍ୱାଗତ କରାଯାଇଛି । ଓଡ଼ିଶାର ଏହା ବିଜୟ ବୋଲି କୁହାଯାଇଛି ।