ଭୁବନେଶ୍ୱର: ଡାକ୍ତର ରାଜେନ୍ଦ୍ର ପ୍ରସାଦ(ଆରପି) ଶର୍ମା ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିଣିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ପୁଲିସ ମୁଖ୍ୟ(ଡିଜିପି) ପଦରେ ବସାଇଛନ୍ତି । ଭିଜିଲାନସ୍ ନିର୍ଦ୍ଦେଶକ ଥିବା ଡାକ୍ତର ଶର୍ମାଙ୍କୁ କେବି ସିଂହଙ୍କ ଜାଗାରେ ଅବସ୍ଥାପିତ କରାଯାଇଛି । ବିଦାୟୀ ଡିଜି କେବିଙ୍କୁ ଓଏସଆରଟିସିର ଅଧ୍ୟକ୍ଷ/ସିଏମଡି ପଦରେ ବସାଯାଇଛି । ଡିଜିପି ପଦ ପାଇଁ ଚର୍ଚ୍ଚାରେ ଥିବା କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ବିଜୟ କୁମାର ଶର୍ମାଙ୍କୁ ଜେଲ୍ ବିଭାଗର ଡିଜି ପଦ ଦିଆଯାଇଛି । ଜେଲ୍ ବିଭାଗର ଏଡିଜି ପଦରେ ଥିବା ଅରୁଣ ରାୟଙ୍କୁ ଏଡିଜି, ପୁଲିସ ହେଡକ୍ୱାଟର୍ ଭାବେ ବଦଳି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ମୋହର ପାଇଲା ପରେ ଆଜି ସଂଧ୍ୟାରେ ଏହି ବଦଳି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଅତ୍ୟନ୍ତ ଦକ୍ଷ, ସଚ୍ଚୋଟ ଓ ନିର୍ବିବାଦୀୟ ପୁଲିସ ଅଫିସର ଭାବେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କର ଖ୍ୟାତି ରହିଛି । ୧୯୮୬ ବ୍ୟାଚର ଆଇପିଏସ୍ ଆରପି ୨୦୦୪ ରୁ ୨୦୧୩ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନ୍ ଦିଲ୍ଲୀଠାରେ ଅବସ୍ଥାପିତ ଥିଲେ । ସେହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ସଫଳତାର ସହ ତୁଲାଇଥିଲେ । ଡ୍ରଗସ୍ ଏବଂ କ୍ରାଇମ୍ ଉପରେ କାର୍ଯ୍ୟ କରୁଥିବା ୟୁନାଇଟେଡ଼ ନେସନସ୍(ୟୁଏନ୍) ର ‘ଆଣ୍ଟି କରପସନ୍ ଆଣ୍ଡ କ୍ରାଇମ୍ ପ୍ରିଭେନସନ୍ ଏକ୍ସପର୍ଟ’ ର ସଦସ୍ୟ ଭାବେ ତାଙ୍କ କାର୍ଯ୍ୟ ବେଶ୍ ପ୍ରଶଂସନୀୟ ଥିଲା । ୨୦୧୩ ରେ ତାଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରାଇ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କମିଶନରେଟ୍ ପୁଲିସର କମିଶନର ଦାୟିତ୍ୱ ଦେଇଥିଲେ । ପୁଲିସ କମିଶନର ଭାବେ ସେ ଭୁବନେଶ୍ୱର କମିଶନରେଟ୍ ପୁଲିସକୁ ନୂଆ ଦିଶା ଦେଇଥିଲେ । ଭିଜିଲାନସ୍ ନିର୍ଦ୍ଦେଶକ ଭାବେ ମଧ୍ୟ ତାଙ୍କର କାର୍ଯ୍ୟକୁ ବେଶ୍ ତାରିଫ୍ ମିଳିଥିଲା ।
ଡିଜିପି ଦୌଡ଼ରେ ଆରପି ଶର୍ମା ଓ ବିଜୟ ଶର୍ମାଙ୍କ ନାଁକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିଲା । କେବି ସିଂହଙ୍କ କାର୍ଯ୍ୟଦକ୍ଷତା ଉପରେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଥିବାରୁ ଯେ କୌଣସି ମୁହୂର୍ତ୍ତରେ ହଟିପାରନ୍ତି ବୋଲି କୁହାଯାଉଥିଲା । ତେବେ ତାଙ୍କ ଜାଗାରେ ଆରପି ଓ ବିଜୟ କାହାରିକୁ ଅବସ୍ଥାପିତ କରାଯିବ କୁଆଡେ ନିଷ୍ପତ୍ତି ହୋଇପାରୁ ନଥିଲା । ନୂଆ ଡିଜିପି ନିଯୁକ୍ତି ସଂକ୍ରାନ୍ତୀୟ ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଦୀର୍ଘ ୮ ମାସ ଧରି ପଡ଼ିଥିଲା ବୋଲି କୁହାଯାଉଛି । ତେବେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇଛନ୍ତି ମୁଖ୍ୟମନ୍ତ୍ରୀ । ଆରପି ଡିଜିପି ପଦ ପାଇଁ ଉପଯୁକ୍ତ ବୋଲି ବିଚାର କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ଡିଜିପି ଆଶାୟୀ ବିଜୟ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱହୀନ ଜେଲ୍ ବିଭାଗର ଡିଜି ପଦରେ ବସାଇଛନ୍ତି । ଓଏସଆରଟିସି ଓ ଜେଲ୍ ବିଭାଗ ମୁଖ୍ୟ ପଦକୁ ସାଧାରଣରେ ପନିସମେଣ୍ଟ ପଦ ବୋଲି ବିଚାର କରାଯାଉଥିବାରୁ କେବି ସିଂହ ଓ ବିଜୟ ଶର୍ମାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆଦୌସନ୍ତୁଷ୍ଟ ନ ଥିବା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ନୂଆ ଡିଜିପି ଭାବେ ଆରପି ଶର୍ମାଙ୍କ ନିଯୁକ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଠିକଣା ସମୟରେ ଠିକଣା ପଦକ୍ଷେପ ନେଇଥିବା କୁହାଯାଉଛି ।