ଭୁବନେଶ୍ୱର: ମହାନଦୀରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣ ଉପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ରୋକ୍ ଲଗାଇଲେ । ଛତିଶଗଡ଼ ସରକାର ଏହାକୁ ଚାଲେଂଜ କଲେ କୋଲକତା ହାଇକୋର୍ଟରେ । ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଦେବାକୁ ଗତକାଲି ମନା କଲେ । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ କୁ ଘୁଞ୍ଚାଇ ଦେଲେ । ହାଇକୋର୍ଟଙ୍କ ରାୟ ଛତିଶଗଡ଼ ସରକାରଙ୍କୁ ସ୍ୱାଭାବିକ ଭାବେ ଝଟକା ଦେଇଛି । ତେବେ ଓଡ଼ିଶା ସରକାରଙ୍କୁ ଏହା ଖୁସି କରାଇଥିଲେ ମଧ୍ୟ ଆଇନର ଲଢ଼େଇରେ ନିଜର ବାହାଦୁରି ରଖିନାହାନ୍ତି । ଓଲଟି ରାଜ୍ୟ ସରକାରଙ୍କ ଆନ୍ତରିକତା ଧରାପଡ଼ିଛି ।
ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଜୁଲାଇ ୨୬ ତାରିଖରେ ତାଙ୍କ ରାୟରେ ଛତିଶଗଡ଼ର ୩୧ ଟି ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍ ଲଗାଇଥିଲେ । ସ୍ୱେଚ୍ଛାସେବୀ ସଂଗଠନ ଆଗାମୀ ଓଡ଼ିଶା ପକ୍ଷରୁ ଦାୟର ମାମଲା ଉପରେ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଏକ ମଧ୍ୟବର୍ତ୍ତୀକାଳୀନ ରାୟରେ ଏକଥା ଶୁଣାଇଥିଲେ । ଏହା ବିରୋଧରେ ଛତିଶଗଡ଼ ସରକାର କୋଲକତା ହାଇକୋର୍ଟରେ ରିଟ୍ ପିଟିସନ୍ କଲେ । ଆମାଗୀ ଓଡ଼ିଶା ଆଇନଜୀବୀ ନିଜର ଯୁକ୍ତି ରଖିଲେ ଏବଂ ସଫଳ ବି ହେଲେ । ତେବେ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମାମଲାରେ ଓଡ଼ିଶା ସରକାରଙ୍କ ଦାୟିତ୍ୱ ଥିଲା ଆଇନର ମୂଳଗଣ୍ଡିକୁ ଯିବାକୁ । ମାତ୍ର ସରକାର ସେ ସୁଯୋଗ ହାତଛଡ଼ା କରିଛନ୍ତି । ବରିଷ୍ଠ ଆଇନଜୀବୀଙ୍କ ମତରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ର କୌଣସି ରାୟ ଉପରେ ବିଚାର କରିବାକୁ ହାଇକୋର୍ଟ ଉପଯୁକ୍ତ ଫୋରମ୍ ନୁହେଁ । କେବଳ ସୁପ୍ରିମ୍ କୋର୍ଟରେ ଏହାକୁ ଚାଲେଂଜ କରାଯାଇପାରିବ । ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ୍ ଙ୍କ ଦାୟିତ୍ୱ ଥିଲା କୋଲକତା ହାଇକୋର୍ଟରେ ମାମଲାର ମେଣ୍ଟେନବିଲିଟିକୁ ଚାଲେଂଜ କରିଥାଆନ୍ତେ । ଏହା ହୋଇଥିଲେ ହାଇକୋର୍ଟରୁ ମାମଲାଟି ବାଏଁ ବାଏଁ ଉଡ଼ିଯାଇଥାଆନ୍ତା । ଶୁଣାଣି ନାଁରେ ଅଯଥା ସମୟ ଗଡ଼ି ନ ଥାଆନ୍ତା ।
କୋର୍ଟ ଶୁଣାଣି ଆଳରେ ଛତିଶଗଡ଼ ସରକାର ମହାନଦୀରେ ପ୍ରକଳ୍ପ କାର୍ଯ୍ୟ ଯେ ସାରି ନ ଦେବେ ତାହା କିଏ କହିବ ବୋଲି କିଛି ମହଲରେ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଛତିଶଗଡ଼ ସରକାର ଭଲ ଭାବେ ଜାଣିଛନ୍ତି ଯେ ଜାତୀୟ ଟ୍ରିବ୍ୟୁନାଲ୍ ରାୟ ହାଇକୋର୍ଟରେ ବିଚାର ପରିସର ନୁହେଁ । ଏକଥା ଜାଣି ମଧ୍ୟ ଛତିଶଗଡ଼ ସରକାରଙ୍କ ଆଡଭୋକେଟ୍ ଜେନେରାଲ୍ କୋଲକତା ହାଇକୋର୍ଟରେ ମାମଲା ଚାଲୁ ରଖିବା ପାଇଁ ମତ ଦେଇଛନ୍ତି । ସୁତରାଂ ଏହା ପଛରେ ଛତିଶଗଡ଼ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ଧରାପଡ଼ିଛି । ଅନ୍ୟପକ୍ଷରେ ମହାନଦୀରେ ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣକୁ ଜୋରଦାର ବିରୋଧ କରୁଥିବା ଓଡ଼ିଶା ସରକାର କୋଲକତା ହାଇକୋର୍ଟରେ ଆଇନ ଲଢ଼େଇରୁ କାହିଁକି ଦୂରେଇ ରହିଲେ ବୁଝାପଡୁନାହିଁ । ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।