– ବୈଜୟନ୍ତଙ୍କ ଅଫିସ୍ ଆୟୋଜିତ ପ୍ରେସମିଟ୍ ରେ ସଲିମ୍ ହାଜର
– ବୈଜୟନ୍ତଙ୍କ ପାଇଁ ଓକିଲାତି କରିବାକୁ ଯାଇ ହୀନସ୍ତା
– କ’ଣ ଖୁଲାସା ହେଲା କେହି ବୁଝି ପାରିଲେନି
ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମର୍ଥକ ଭାବେ ଜଣାଶୁଣା କେନ୍ଦ୍ରାପଡ଼ା ଜିଲ୍ଲା ସଂଖ୍ୟାଲଘୁ ସେଲ୍ ର ପୂର୍ବତନ ସଭାପତି ମହମ୍ମଦ ସଲିମ ଖାନ୍ ଙ୍କୁ ଆଜି ବେଶ୍ ହୀନସ୍ତା ଭୋଗିବାକୁ ପଡ଼ିଛି । ବୈଜୟନ୍ତଙ୍କ ବିରୋଧରେ ବିରାଟ ଷଡ଼ଯନ୍ତ୍ର ଚାଲିଥିବାର ଖୁଲାସ କରିବାକୁ ବୈଜୟନ୍ତଙ୍କ ଅଫିସ୍ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାଙ୍କୁ ହାଜର କରାଯାଇଥିଲା । ତେବେ ସାମ୍ବାଦିକ ସମ୍ମିଳନୀକୁ ଆସି ଚେୟାରରେ ବସୁ ବସୁ ସାମ୍ବାଦିକମାନେ ତାଙ୍କର ଖୁଲାସା କରିଦେଇଥିଲେ । ନିଜକୁ ବିଜେଡ଼ିର ଶୃଙ୍ଖଳିତ କର୍ମୀ ପରିଚୟ ଦେଉଥିବା ସଲିମ୍ ଙ୍କୁ ପ୍ରଶ୍ନବାଣରେ ଘାଇଲା କରିଦେଲେ ସାମ୍ବାଦିକ । ବିଜେଡ଼ିରୁ ନିଲମ୍ବିତ ସାଂସଦ ବୈଜୟନ୍ତଙ୍କ ଅଫିସ୍ ରେ ଆୟୋଜିତ ପ୍ରେସ୍ ମିଟ୍ ରେ ଆପଣ କାହିଁକି ବୋଲି ପ୍ରଶ୍ନରେ ସଲିମ୍ ଙ୍କ ପାଟି ଖନି ମାରିଗଲା । କହିଲେ, ବାହାରେ ପ୍ରେସମିଟ୍ କରିବାର ସମ୍ବଳ ନ ଥିବାରୁ ଏଠି କଲି । ତାହାହେଲେ ବୈଜୟନ୍ତଙ୍କ ପଇସାରେ ଆପଣ ଏଠି ବୋଲି ସାମ୍ବାଦିକମାନେ ଜାଣିବାକୁ ଚାହିଁବାରୁ ସେ ଥଙ୍ଗେଇ ଯାଇଥିଲେ । କଥା ବୁଲାଇବାକୁ ଚେଷ୍ଟା କରି ବି ପାରି ନ ଥିଲେ ।
ପ୍ରଥମରୁ ହିଁ ସାମ୍ବାଦିକଙ୍କ ପ୍ରଶ୍ନବାଣରେ ଜର୍ଜରିତ ସଲିମ୍ ନିଜେ ସିଧା କିଛି କହିପାରି ନ ଥିଲେ । ସାଙ୍ଗରେ ଆଣିଥିବା ଏକ କାଗଜ ପଢ଼ିବା ଆରମ୍ଭ କରିଦେଲେ । ସେଥିରେ ଲେଖିଥିଲା, ‘ସାଂସଦ ବୈଜୟନ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ରର ଖୁଲାସା କରିବାକୁ ମୁଁ ଚାହୁଁଛି । ବିଜୁ ଜନତା ଦଳର ଜଣେ ପୂର୍ବତନ ମନ୍ତ୍ରୀ ଓ ଜଣେ ପ୍ରଶାସକଙ୍କ ଉଦ୍ୟମରେ ମିଳିତଭାବେ ଏହି ଷଡ଼ଯନ୍ତ୍ର ଚାଲିଛି । ସେମାନଙ୍କ ଇଙ୍ଗିତରେ ଦୁଇଦିନ ତଳେ ସାଂସଦଙ୍କର ରାଜନୈତିକ ସଂଯୋଜକ ଦେବୁ ମଲ୍ଲିକ ଚାକିରି ଛାଡ଼ି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଗୁଡ଼ାଏ ମିଥ୍ୟା ଅଭିଯୋଗ କରିଛନ୍ତି । ଏହି ଷଡ଼ଯନ୍ତ୍ର ଭିତରକୁ ମୋତେ ମଧ୍ୟ ଟାଣିବାକୁ ବିଭିନ୍ନ ଧମକଚମକ ଓ ଲୋଭ ଦେଖାଇ ଉଦ୍ୟମ କରିଥିଲେ । ଷଡ଼ଯନ୍ତ୍ର ବିଷୟରେ ଜାଣିବା ଉଦ୍ଦେଶ୍ୟରେ ମୁଁ କିନ୍ତୁ ତାଙ୍କ ସହ ଇଚ୍ଛାକୃତ ଭାବେ କଥାବାର୍ତ୍ତା ଜାରି ରଖିଥିଲି । ଟେଲିଫୋନ୍ ଜରିଆରେ ଏହି ରେକର୍ଡିଟି ଦେବୁ ମଲ୍ଲିକ ସହ ମୋର ଏକ ଆଲୋଚନା ଗତ ୧୬.୦୪.୨୦୧୮ରେ ଯାହାକୁ ଶୁଣିଲେ ଆପଣ ସମସ୍ତ ଷଡ଼ଯନ୍ତ୍ର ଜାଣିପାରିବେ । ମୋର ଉଦ୍ଦେଶ୍ୟ ଦଳର ନେତା ନବୀନ ବାବୁ ଏ ସାଂଘାତିକ ଷଡ଼ଯନ୍ତ୍ରକୁ ବୁଝନ୍ତୁ ଓ ଦଳକୁ ବଞ୍ଚାନ୍ତୁ । ମୋତେ ଧମକ ଦିଆଯାଉଛି, ଏଣୁ ମୁଁ ନବୀନ ବାବୁଙ୍କୁ ଅନୁରୋଧ କରୁଛି ମୋତେ ଏବଂ ମୋ ପରିବାରକୁ ସୁରକ୍ଷା ଦିଅନ୍ତୁ । ମୋର ଏହି ୨୫ ମିନିଟ୍ ରେକର୍ଡିଂଟି ଶୁଣନ୍ତୁ ଓ ପରେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବି ।’
ଏତକ ପଢ଼ିସାରି ସଲିମ୍ ଏକ ମୋବାଇଲ୍ ରୁ ରେକର୍ଡିଂ ଶୁଣାଇଲେ । ତାହା ଭଲ ଭାବେ ଶୁଣାଯାଉ ନ ଥିବାରୁ ସାମ୍ବାଦିକମାନେ ଆପତ୍ତି କଲେ । ଆମେ ଆପଣଙ୍କୁ ବିଶ୍ୱାସ କଲୁ, ଯାହା ରେକର୍ଡିଂ ଅଛି ତାହା ପାଟିରେ କହିଦିଅ ବୋଲି ଅନୁରୋଧ କଲେ । ମାତ୍ର ସଲିମ୍ ସ୍ପଷ୍ଟ ଭାବରେ କିଛି କହିପାରି ନ ଥିଲେ । ଅସ୍ପଷ୍ଟ ଏବଂ ଲମ୍ବା ରେକର୍ଡିଂ ଶୁଣିବାକୁ ଆମର ସମୟ ନାହିଁ ବୋଲି କହି କିଛି ସାମ୍ବାଦିକ ସେଠୁ ଉଠି ଚାଲିଯିବାରୁ ସଲିମ୍ ବାଧ୍ୟ ହୋଇ ରେକର୍ଡିଂ ଶୁଣାଇବା ବନ୍ଦ କଲେ । ୧୬ ତାରିଖରେ ଦେବୁ ମଲ୍ଲିକଙ୍କ ସହ ତାଙ୍କର ଏହି କଥା ହୋଇଥିବା ସଲିମ୍ କହୁଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାହିଁକି ଗୋପନ ରଖିଥିଲେ ବୋଲି ତାଙ୍କୁ ପ୍ରଶ୍ନ ହୋଇଥିଲା । ମାତ୍ର ସଲିମ୍ ଉତ୍ତର ଦେଇପାରି ନ ଥିଲେ । ଦେବୁ ମଲ୍ଲିକଙ୍କ ଜରିଆରେ ସେ ୨ କୋଟି ଟଙ୍କା ବ୍ଲାକ୍ ମେଲିଂ କରିବାକୁ ଚେଷ୍ଟା କରୁଥିବା ଖବର ସତ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କଲାରୁ ସେ ନାଁ ନାଁ ବୋଲି କହିଥିଲେ । ଏହି ରେକର୍ଡିଂରେ ଆପଣ କ’ଣ ଏବଂ କାହାର ଖୁଲାସା କରୁଛନ୍ତି ତାହା ଟିକେ ସ୍ପଷ୍ଟ କରିବେ କି ବୋଲି ସାମ୍ବାଦିକମାନେ ପଚାରିବାରୁ ସେ ରେକର୍ଡିଂ ଶୁଣିଲେ ଜାଣିପାରିବେ ବୋଲି ଘୋଷା କରିଥିଲେ । ଆଉ କ’ଣ କହୁଥିଲେ କେହି ବୁଝିପାରୁ ନ ଥିଲେ ।
ମଜ୍ଜାର କଥା ହେଉଛି, ବୈଜୟନ୍ତଙ୍କ ଅଫିସ୍ ରୁ ଏହି ପ୍ରେସ୍ ମିଟ୍ ର ଲାଇଭ୍ କରୁଥିଲା ବୈଜୟନ୍ତଙ୍କ ଟିଭି । ସଲିମ୍ କ’ଣ କହୁଥିଲେ ସେଠି ଉପସ୍ଥିତ ସାମ୍ବାଦିକମାନେ ବୁଝିପାରୁ ନ ଥିଲା ବେଳେ ବୈଜୟନ୍ତଙ୍କ ଟିଭିରେ ତାଙ୍କର ବୟାନ ଧାଡ଼ି ଧାଡ଼ି ହୋଇ ବ୍ରେକିଂ ପଡୁଥିଲା । ଅର୍ଥାତ୍ ଏହି ପ୍ରେସ୍ ମିଟ୍ ର ଖବର ଓ ଲାଇନ୍ ବହୁପର୍ବରୁ ପ୍ରସ୍ତୁତ ହୋଇ ରହିଥିଲା । ବୈଜୟନ୍ତଙ୍କ ଅଫିସ୍ ରେ ବସି ସଲିମ୍ ପ୍ରେସ୍ ମିଟ୍ କରିବା, ବୈଜୟନ୍ତଙ୍କ ରାଜନୈତିକ ସଚିବଙ୍କଠାରୁ ଅନ୍ୟାନ୍ୟ କର୍ମଚାରୀମାନେ ସେଠି ଯୋଗାଡ଼ିଆ ଦାୟିତ୍ୱ ନେବା ଏବଂ ବୈଜୟନ୍ତଙ୍କ ଟିଭି ତାହାକୁ ଲାଇଭ୍ କରିବା ପରେ ବି ସଲିମ୍ ନିଜକୁ ଶୃଙ୍ଖଳିତ ବିଜେଡ଼ି କର୍ମୀର ପରିଚୟ ଦେବା ସାମ୍ବାଦିକମାନଙ୍କୁ ଲଜ୍ଜିତ କରିଥିଲା । ବୈଜୟନ୍ତଙ୍କ ବିରୋଧରେ ତାଙ୍କର ଘନିଷ୍ଠ ସହଯୋଗୀ ଦେବୁ ମଲ୍ଲିକ ବୟାନ ଦେଲା ପରେ ତାହାର କାଉଣ୍ଟର ପାଇଁ ଏହି ଆୟୋଜନ ହୋଇଥିବା କାହା ପାଇଁ ଅବୁଝା ନ ଥିଲା । ସାମ୍ବାଦିକମାନେ ଅଧିକ ସମୟ ନଷ୍ଟ ନ କରି ସେଠାରୁ ପଳାଇ ଆସିଥିଲେ । ଆସିଲା ପର୍ଯ୍ୟନ୍ତ କେହି ବୁଝିପାରି ନ ଥିଲେ କ’ଣ ଖୁଲାସା କଲେ ସଲିମ୍ ?