ଭୁବନେଶ୍ୱର: ଗତବର୍ଷ ଅକ୍ଟୋବର ୩ ତାରିଖରେ ରାଜ୍ୟର ଡ୍ରଗସ୍ କଣ୍ଟ୍ରୋଲର ଭାବେ ଅନ୍ନଦା ଶଙ୍କର ଦାସଙ୍କ ନିଯୁକ୍ତି ଅର୍ଡର ବାହାରିଲା । ସେ ତୁରନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅର୍ଡରରେ କୁହାଯାଇଥିଲା । ଆଶ୍ଚର୍ଯ୍ୟର କଥା, ସ୍ୱାସ୍ଥ୍ୟ ବିଭାଗରେ ଓଏସଡ଼ି ଭାବେ କାର୍ଯ୍ୟରତ ଅନ୍ନଦାଙ୍କୁ ତାଙ୍କ ଜାଗାରୁ କିନ୍ତୁ ରିଲିଭ୍ କରାଗଲା ନାହିଁ । ୧୩ ଦିନ ପରେ ପରନ୍ତୁ ତାଙ୍କର ଡ୍ରଗସ୍ କଣ୍ଟ୍ରୋଲର ନିଯୁକ୍ତି ଅର୍ଡର ବଦଳିଗଲା । କି ଅଦୃଶ୍ୟ ଶକ୍ତି କାମ କଲା କେଜାଣି ପୂର୍ବରୁ ପ୍ରକାଶ ପାଇଥିବା ଅର୍ଡରକୁ ବଦଳାଇ କେପ୍ଟ ଇନ୍ ଆବେୟାନ୍ସ କରିଦିଆଗଲା । ୫ ବର୍ଷରୁ ଅଧିକ ସମୟ ଧରି ଭାରପ୍ରାପ୍ତ ଡ୍ରଗସ୍ କଣ୍ଟ୍ରୋଲର ଦାୟିତ୍ୱରେ ଥିବା ହୃଷିକେଶ ମହାପାତ୍ର ସେମିତି ସରକାରଙ୍କ ଗେହ୍ଲାପୁଅ ହୋଇ ରହିଗଲେ ।
ସିଧା ସିଧା ବୁଝିଲେ, ହୃଷିକେଶ ମହାପାତ୍ରଙ୍କୁ ଭାରପ୍ରାପ୍ତ ଡ୍ରଗସ୍ କଣ୍ଟ୍ରୋଲର୍ ପଦରେ ରଖିଥିବା ରାଜ୍ୟ ସରକାର ତାଙ୍କୁ ନ ଛାଡ଼ିବା ପାଇଁ ଚାପରେ ପଡ଼ିଛନ୍ତି । ତାଙ୍କ ପାଇଁ ନୀତି ନିୟମକୁ ଆଖି ବୁଜିଦେଇଛନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ହୃଷିକେଶଙ୍କ ବିରୋଧରେ ରହିଛି ସଙ୍ଗୀନ ଅଭିଯୋଗ । ୨୦୧୨ ମସିହାରେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ମଦମୃତ୍ୟୁ ମାମଲାରେ ସେ ଜଣେ ଦୋଷୀ । ବିଷାକ୍ତ ମଦପିଇ ୪୨ ଜଣ ପ୍ରାଣ ହରାଇବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ସେତେବେଳେ ଏହି ହୃଷିକେଶ ମହାପାତ୍ର ରାଜ୍ୟ ଡ୍ରଗସ୍ କଣ୍ଟ୍ରୋଲର କାର୍ଯ୍ୟାଳୟର ଗୁଇନ୍ଦା ବିଭାଗ ଦାୟିତ୍ୱରେ ଥିଲେ । ସେ ତାଙ୍କ କାର୍ଯ୍ୟରେ ଗୁରୁତର ଅବହେଳା କରିଥିବାରୁ ଏଭଳି ଦୁଃଖଦ ଘଟଣା ଘଟିଲା ବୋଲି ମଦମୃତ୍ୟୁ ଘଟଣାର ତଦନ୍ତ କରୁଥିବା ନାଇଡୁ କମିଶନ ଦର୍ଶାଇଥିଲେ ।
ନାଇଡୁ କମିଶନଙ୍କ ଅନୁଧ୍ୟାନରେ ଯେଉଁ ଦୁଇଟି ଔଷଧ ଦୋକାନ ନାଁରେ ଅଭିଯୋଗ ଉଠିଥିଲା ସେମାନଙ୍କ ଲାଇସେନ୍ସ ଅଛି କି ନାହିଁ ତାହା ଡ୍ରଗସ୍ କଣ୍ଟ୍ରୋଲର ଗୁଇନ୍ଦା ବିଭାଗ ଦାୟିତ୍ୱରେ ଥିବା ଶ୍ରୀ ମହାପାତ୍ର ଜାଣି ନ ଥିଲେ । ତଦନ୍ତ ବେଳେ ସେହି ଦୁଇଟି ଔଷଧ ଦୋକାନର ଲାଇସେନସ୍ ନ ଥିବା କମିଶନ ଜାଣିବା ପରେ ଶ୍ରୀ ମହାପାତ୍ରଙ୍କ ଉପରେ ଭୀଷଣ ବିରକ୍ତି ପ୍ରକାଶ କରିବା ସହ ଦାୟିତ୍ୱରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ସୁପାରିଶ କରିଥିଲେ । ରାଜ୍ୟ ସରକାର ନାଇଡୁ କମିଶନଙ୍କ ସୁପାରିଶକୁ ଗ୍ରହଣ କରିଥିଲେ ଏବଂ ଶ୍ରୀ ମହାପାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ(ପ୍ରୋସିଡିଂ) ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଫାଇଲ୍ ରେ ନିର୍ଦ୍ଦେଶ ଦେଇଥିଲେ । ସେପଟେ ମଦମୃତ୍ୟୁ ଘଟଣାରେ ତତ୍କାଳୀନ ଡ୍ରଗସ୍ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସଙ୍କୁ ସରକାର ବଦଳି କରିଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନାଇଡୁ କମିଶନ ତାଙ୍କୁ ନିର୍ଦୋଷ ସାର୍ଟିଫିକେଟ୍ ଦେଇଥିଲେ ।
ଯେଉଁ ସମୟରେ ନାଇଡୁ କମିଶନ ତଦନ୍ତ କରୁଥିଲେ ସେତେବେଳକୁ ଅନ୍ନଦା ଶଙ୍କରଙ୍କୁ ଡ୍ରଗସ୍ କଣ୍ଟ୍ରୋଲର ପଦରୁ ହଟାଇ ତାଙ୍କ ଜାଗାରେ ଭାରପ୍ରାପ୍ତ ଡ୍ରଗସ୍ କଣ୍ଟ୍ରୋଲର ଦାୟିତ୍ୱ ପାଇଥିଲେ ହୃଷିକେଶ ମହାପାତ୍ର । କମିଶନ ସେହି ମହାପାତ୍ରଙ୍କୁ ହିଁ ଦୋଷୀ ଠଉରାଇ କାର୍ଯ୍ୟାନୁଷ୍ଠାନ ସୁପାରିଶ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ପ୍ରୋସିଡିଂ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ୫ ବର୍ଷ ବିତିଯାଇଥିଲେ ଶ୍ରୀ ମହାପାତ୍ରଙ୍କ ଦେହରେ ଧୂଳିମଳି ଲାଗିନି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମଧ୍ୟ ଫୁ ହୋଇଯାଇଛି । ଏପରିକି ତାଙ୍କଠାରୁ ଭାରପ୍ରାପ୍ତ ଡ୍ରଗସ୍ କଣ୍ଟ୍ରୋଲର ଦାୟିତ୍ୱ ହଟାଇ ସ୍ଥାୟୀ ଡ୍ରଗସ୍ କଣ୍ଟ୍ରୋଲର ନିଯୁକ୍ତି ଅର୍ଡର କାର୍ଯ୍ୟକାରୀ ହୋଇପାରିଲାନି ।
ବିଡ଼ମ୍ବନା, ନାଇଡୁ କମିଶନଙ୍କ ରିପୋର୍ଟରେ ନିର୍ଦୋଷୀ ଅନ୍ନଦା ଶଙ୍କର ଦାସ ୫ ବର୍ଷ ହେଲା ସ୍ୱାସ୍ଥ୍ୟ ବିଭାଗର ଓଏସଡ଼ି ପଦରେ ଘଣା ପେଲୁଥିବା ବେଳେ ଯାହାଙ୍କ ଅବହେଳା ପାଇଁ ମଦମୃତ୍ୟୁ ହେଲା ଓ ୪୨ ଜଣ ମଲେ ସେ କିନ୍ତୁ ରାଜ୍ୟର ଭାରପ୍ରାପ୍ତ ଡ୍ରଗସ୍ ଣ୍ଟ୍ରୋଲର । ୫ ବର୍ଷରୁ ଅଧିକ ସମୟ ଧରି ସରକାର ତାଙ୍କୁ ଭାରପ୍ରାପ୍ତ ଡ୍ରଗସ୍ କଣ୍ଟ୍ରୋଲର ଗାଦି ଦେଇ କୋଳରେ ବସାଇଛନ୍ତି । ଅନ୍ନଦା ଶଙ୍କର ଦାସଙ୍କୁ ସ୍ଥାୟୀ ଡ୍ରଗସ୍ କଣ୍ଟ୍ରୋଲର ଭାବେ ଫେରାଇ ଆଣିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିବା, ତାଙ୍କୁ ପୁରୁଣା ଦାୟିତ୍ୱରୁ ରିଲିଭ୍ ନ କରିବା ଏବଂ ୧୩ ଦିନ ପରେ ସେହି ଅର୍ଡରକୁ ବଦଳାଇବାର ରହସ୍ୟ ସ୍ୱାସ୍ଥ୍ୟ ବିଭାଗରେ ସମସ୍ତଙ୍କୁ ତାଜୁବ୍ କରିଛି । ହୃଷିକେଶ ମହାପାତ୍ରଙ୍କୁ ଭାରପ୍ରାପ୍ତ ଡ୍ରଗସ୍ କଣ୍ଟ୍ରୋଲର ପଦରେ ସୁରକ୍ଷା ଦେବାକୁ କୌଣସି ଅଦୃଶ୍ୟ ଚାପ କାମ କରୁଛି ଏବଂ ସେହି ଚାପରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଫିସ ନତମସ୍ତକ ହୋଇଯାଇଥିବା କୁହାଯାଉଛି । ରାଜ୍ୟରେ କେମିତି ଶାସନ ଚାଲିଛି ଏହି ଘଟଣାଟି ତାହାର ବଳିଷ୍ଠ ପ୍ରମାଣ ଭାବେ ଏବେ ପଦାରେ ଗଡୁଛି । ସୂଚନାଯୋଗ୍ୟ, ଅତୀତରେ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।