ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ନବନିଯୁକ୍ତ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ନବନିଯୁକ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ଟିମ୍ ଆସନ୍ତାକାଲି ଭୁବନେଶ୍ୱର ଆସିବେ । ଅପରାହ୍ନ ସାଢ଼େ ୫ଟାରେ ସେମାନେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ପାଇଁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ କରାଯାଇଛି । ବିମାନବନ୍ଦରରୁ ବିରାଟ ପଟୁଆରରେ ସେମାନଙ୍କୁ କଂଗ୍ରେସ ଭବନ ନିଆଯିବ । କଂଗ୍ରେସ ଭବନରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ନବନିଯୁକ୍ତ ଟିମ୍ ଉଦବୋଧନ ଦେବେ । ସାଢ଼େ ୭ ରେ କଂଗ୍ରେସ ଭବନରୁ ଏକ ପଟୁଆରରେ ସମସ୍ତେ ଯିବେ ସତ୍ୟନଗରସ୍ଥିତ ହୋଟେଲ ରୟାଲ୍ ସୁଟ୍ । ସେଠାରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ଶ୍ରାଦ୍ଧ ଦିବସରେ ନେତାମାନେ ଶ୍ରଦ୍ଧା ସୁମନ ଅର୍ପଣ କରିବେ । ସଂଧ୍ୟା ୮ଟାରେ ନେତୃମଣ୍ଡଳୀ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଏବଂ ପୁରୀରେ ରାତ୍ରୀଯାପନ କରିବେ ।
ରବିବାର ଦିନ ସକାଳ ୮ଟାରେ ସମସ୍ତେ ପୁରୀରୁ ଭୁବନେଶ୍ୱର କଂଗ୍ରେସ ଭବନ ଆସିବେ । ସାଢ଼େ ୯ଟା ବେଳେ ଆରମ୍ଭ ହେବ ମାନସ ମନ୍ଥନ । ପିସିସି ନୂଆ ଟିମ୍ ପ୍ରଥମେ ବିଧାୟକମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ । ପରେ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ସମସ୍ତ ସାମ୍ମୁଖ୍ୟର କର୍ମକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା ହେବ । ତୃତୀୟ ପର୍ଯ୍ୟାୟରେ ମହିଳା କଂଗ୍ରେସ ଓ ସେବାଦଳ କର୍ମକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା ହେବ । ଶେଷ ପର୍ଯ୍ୟାୟରେ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ ନୂଆ ଟିମ୍ । କଂଗ୍ରେସର ଏହି ଦୁଇଦିନିଆ ପର୍ବ ପାଇଁ କଂଗ୍ରେସ ଭବନ ଉତ୍ସବମୁଖର ହୋଇଯାଇଛି ।