ଭୁବନେଶ୍ୱର: ଗଣମାଧ୍ୟମ ସହ ସଂପୃକ୍ତ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଉପକୂଳ ଓଡ଼ିଶାର ଏକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରିବ । ଗତ ସପ୍ତାହରେ ଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂପୃକ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ପରେ ଏହା ପକ୍କା ହୋଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନିବିଡ଼ ସମ୍ପର୍କରେ ଥିବା ଏହି ଭଦ୍ରବ୍ୟକ୍ତି ବିଜେଡ଼ି ସହ ବି ସମ୍ପର୍କରେ ଅଛନ୍ତି । ମାତ୍ର ତାହା ବାଧ୍ୟବାଧକତାର ସମ୍ପର୍କ । ବିଜେଡ଼ି ନେତୃମଣ୍ଡଳୀ ଏହା ଭଲ ଭାବରେ ଜାଣିଥିବାରୁ ତାଙ୍କୁ ବିଶ୍ୱାସକୁ ନେଉନାହାନ୍ତି । ତେଣୁ ଧର୍ମେନ୍ଦ୍ରଙ୍କ ହାତ ଧରି ବିଜେପି ଟିକେଟରେ ଲୋକସଭା ଲଢ଼ିବାକୁ ସେ ଆଗରୁ ମନସ୍ଥିର କରିସାରିଥିଲେ । ଯାହା ଏବେ ନିଶ୍ଚିତ ହୋଇଛି ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି ।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟରେ ଲଢ଼ିବାକୁ ଆଶା ବାନ୍ଧିଥିବା ଜନୈକ ଯୁବନେତାଙ୍କୁ ସାଙ୍ଗରେ ଧରି ସଂପୃକ୍ତ ବିଶିଷ୍ଟ ବ୍ୟକ୍ତି ଧର୍ମେନ୍ଦ୍ରଙ୍କ ପାଖରେ ଲବି କରିବାକୁ ଦିଲ୍ଲୀ ଯାଇଥିଲେ । ଏହି ଆଶାୟୀଜଣଙ୍କ କଂଗ୍ରେସ ଛାଡ଼ି ବିଜେପିରେ ମିଶିବେ ବୋଲି କଥା ହୋଇଥିଲା । ତେବେ ତାଙ୍କୁ ଭୋଗରାଇରୁ ଟିକେଟ ଦେବା ନେଇ ଧର୍ମେନ୍ଦ୍ର ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇ ନ ଥିଲେ । ତାଙ୍କୁ ମନେଇବାକୁ ନାମକରା ବ୍ୟକ୍ତି ଉଦ୍ୟମ କରିଥିଲେ ମଧ୍ୟ ଧର୍ମେନ୍ଦ୍ର ରାଜି ହୋଇ ନ ଥିଲେ । ‘ଆପଣ ନିଜ କଥା ଦେଖନ୍ତୁ ଆଉ ଲୋକସଭା ଲଢ଼ିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ’ ବୋଲି ଧର୍ମେନ୍ଦ୍ର ଓଲଟି ପରାମର୍ଶ ଦେଇଥିଲେ । ଏଥିରେ ବିଶିଷ୍ଟ ବ୍ୟକ୍ତି ଖୁସି ହୋଇଥିଲେ ମଧ୍ୟ ଭୋଗରାଇ ଆଶାୟୀଙ୍କ ପାଇଁ ନିରାଶବାଣୀ ଶୁଣି ସାମାନ୍ୟ ଦୁଃଖ ଅନୁଭବ କରିଛନ୍ତି ।