ଭୁୁବନେଶ୍ୱର: ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧିପୀଠ ପାଇଁ ୬୪ ଡିସିମିଲି ଜମି ଜବରଦଖଲ କରାଯାଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଜବରଦଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଜବରଦଖଲ ଜମିକୁ ମୁକ୍ତ କରି ଉଦାହରଣ ସୃଷ୍ଟି କରିବାକୁ ଦାବି କରିଛି କଳିଙ୍ଗ ସେନା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେନା ସୁପ୍ରିମୋ ହେମନ୍ତ ରଥ କହିଛନ୍ତି, ପୁରୀର ବିକାଶ ନାଁରେ ମଠ ମନ୍ଦିର ଭଙ୍ଗା ଚାଲିଛି । ସେଥିଲାଗି ପୁରୀବାସୀ ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ତେବେ ମୁଖ୍ୟମନ୍ତ୍ରୀ ଆଗ ସ୍ୱର୍ଗଦ୍ୱାର ଜବରଦଖଲ ଜମିକୁ ହଟାଇ ମହାନତାର ପରିଚୟ ଦେବା ଉଚିତ ।
ଶ୍ରୀ ରଥ କହିଛନ୍ତି, ପୁରୀବାସୀଙ୍କ ତ୍ୟାଗ ଯୋଗୁଁ ଆଜି ସେଠାରେ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ସୁରକ୍ଷିତ ରହିଛି । ତେବେ ପୁରୀର ବିକାଶ ନାଁରେ ମୁଖ୍ୟମନ୍ତ୍ରୀ ଯେଭଳି ଭଙ୍ଗାରୁଜାରେ ମାତିଛନ୍ତି ତାହା ଏହି ଐତିହ୍ୟ ସହରରେ ଆତଙ୍କରାଜ ଭଳି ଅବସ୍ଥା ସୃଷ୍ଟି କରିଛି । ହଜାର ହଜାର ବର୍ଷର ପ୍ରାଚୀନ ମଠ ଯାହାକି ଜଗନ୍ନାଥ ମନ୍ଦିରର ପରମ୍ପରା ସହିତ ଜଡ଼ିତ ତାକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ତ୍ୟାଗର ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ସର୍ବପୁରାତନ ଐତିହ୍ୟ ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧି ନାଁରେ ଜବରଦଖଲରେ ରହିଛି ୬୪ ଡିସିମିଲି ଜାଗା । ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ତାକୁ ତୁରନ୍ତ ହଟାଇବା ଦରକାର ବୋଲି କହିଛନ୍ତି । ଏହାହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପୁରୀବାସୀଙ୍କର ଆସ୍ଥା ବଢ଼ିବ ଓ ସେମାନେ ତ୍ୟାଗ ପାଇଁ ଆଗେଇ ଆସିବେ ବୋଲି ଶ୍ରୀ ରଥ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସବ୍ୟସାଚୀ ମହାପାତ୍ର, ସାଧାରଣ ସମ୍ପାଦକ ବିଜୟ ରାଜ, ସଂଗଠନ ମନ୍ତ୍ରୀ ଭକ୍ତଶେଖର ରାୟ ଏବଂ ସମ୍ପାଦକ ପ୍ରଦୀପ ସାହୁ ଉପସ୍ଥିତ ଥିଲେ ।