ଭୁବନେଶ୍ୱର: ୯ ଜଣ ବରିଷ୍ଠ ଆଇଏଏସ୍ ଙ୍କ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି । ପ୍ରଦୀପ କୁମାର ଜେନାଙ୍କ ହାତରୁ ଜଳସମ୍ପଦ ବିଭାଗ କାଢ଼ି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ପଦରେ ଅବସ୍ଥାପିତ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଓସଡାମାର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର୍ଯ୍ୟ କରିବେ । ପ୍ରଦୀପ ଜେନାଙ୍କ ଜାଗାରେ ବିଶାଲ ଗଗନଙ୍କୁ ଜଳସମ୍ପଦ ବିଭାଗର କମିଶନର ତଥା ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ପଦରେ ଥିବା ଶ୍ରୀ ଗଗନଙ୍କ ହାତରେ ଏହା ଅତିରିକ୍ତ ଦାୟିତ୍ୱ ହୋଇ ରହିବ ।
ଡ. ମୋନା ଶର୍ମା ହୋଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ । ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଏହି ବିଭାଗଟି ପୂର୍ବରୁ ତାଙ୍କ ହାତରେ ଅତିରିକ୍ତ ଦାୟିତ୍ୱ ଭାବେ ରହିଥିଲା । ସଞ୍ଜୀବ ଚୋପ୍ରାଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅତିରିକ୍ତ ଦାୟିତ୍ୱସ୍ୱରୂପ ସାଧାରଣ ପ୍ରଶାସନ ବିଭାଗର ଦାୟିତ୍ୱ ସମ୍ଭାଳିବେ ସେ । ଶ୍ରୀ ଚୋପ୍ରାଙ୍କ ଜାଗାରେ ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗ ଦାୟିତ୍ୱ ଦିଆଯାଇଛି । ଶିଳ୍ପ ବିଭାଗର କମିଶନର ତଥା ସଚିବ ସହ ଏମଏସଏମଇ ବିଭାଗର କମିଶନର ତଥା ସଚିବ ଏବଂ ଇପିକଲର ସିଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ଶର୍ମା । ହେମନ୍ତ ଶର୍ମାଙ୍କ ଜାଗାରେ ବିଷ୍ଣୁପଦ ସେଠୀଙ୍କୁ ଶକ୍ତି ବିଭାଗର କମିଶନର ତଥା ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଓଏଚପିସିର ସିଏମଡ଼ି ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । କୃଷି ସଚିବ ଡ. ସୌରଭ ଗର୍ଗଙ୍କୁ ଗ୍ରୀଡ଼କୋ ଏବଂ ଓପିଟିସିଏଲର ସିଏମଡ଼ି ତଥା ଓସିପିଏଲର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ସ୍କୁଲ ଏବଂ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ପଦରେ ଶ୍ରୀମତୀ ଚିତ୍ରା ଅନୁମୁଗମଙ୍କୁ ଅବସ୍ଥାପିତ କରାଯାଇଛି । ସାମାଜିକ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ୍ ଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମହିଳା ବିକାଶ ସମବାୟ ନିଗମର ଏମଡ଼ି ଭାବେ ଏବେ ସେ ଗୋଟିଏ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।
କାହାର କେଉଁ ବିଭାଗ
୧. ପ୍ରଦୀପ ଜେନା- ପ୍ରମୁଖ ସଚିବ, ଗ୍ରାମ୍ୟ ଉନ୍ନୟନ/ଏସଆରସି ଏବଂ ଏମଡ଼ି, ଓସଡାମା(ଅତିରିକ୍ତ ଦାୟିତ୍ୱ)
୨. ଡ. ମୋନା ଶର୍ମା- ପ୍ରମୁଖ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ
୩. ସଞ୍ଜୀବ ଚୋପ୍ରା- ପ୍ରମୁଖ ସଚିବ, ଗୃହ/ ପ୍ରମୁଖ ସଚିବ, ଜିଏ, ପିଜି(ଅତିରିକ୍ତ ଦାୟିତ୍ୱ)
୪. ଡ. ସୌରଭ ଗର୍ଗ- ସିଏମଡ଼ି, ଗ୍ରୀଡ଼କୋ/ଓପିଟିସିଏଲ ଏବଂ ସିଇଓ, ଓସିପିଏଲ
୫. ହେମନ୍ତ ଶର୍ମା- କମିଶନର ତଥା ସଚିବ, ଶିଳ୍ପ ବିଭାଗ, ଏମଏସଏମଇ ଏବଂ ଇପିକଲ(ଅତିରିକ୍ତ ଦାୟିତ୍ୱ)
୬. ବିଷ୍ଣୁପଦ ସେଠୀ- କମିଶନର ତଥା ସଚିବ, ଶକ୍ତି ଏବଂ ସିଏମଡ଼ି,ଓଏଚପିସି (ଅତିରିକ୍ତ ଦାୟିତ୍ୱ)
୭. ଶ୍ରୀମତୀ ଚିତ୍ରା ଅରୁମୁଗମ୍- କମିଶନର ତଥା ସଚିବ, ସ୍କୁଲ ଓ ଗଣଶିକ୍ଷା ବିଭାଗ
୮. ବିଶାଲ ଗଗନ- କମିଶନର ତଥା ସଚିବ, ଜଳସମ୍ପଦ ବିଭାଗ(ଅତିରିକ୍ତ ଦାୟିତ୍ୱ)
୯. ଅରବିନ୍ଦ ଅଗ୍ରୱାଲ୍- ଅତିରକ୍ତ ସଚିବ, ଜିଏ ଆଣ୍ଡ ପିଜି(ଅତିରିକ୍ତ ଦାୟିତ୍ୱ)