ଭୁବନେଶ୍ୱର: ଆଜି ସ୍ୱାୟତ୍ତ ଶାସନ ଦିବସରେ ସହରାଞ୍ଚଳ ପାଇଁ ବିକାଶର ନୂଆ ସଂକଳ୍ପ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଥିବା ସହରାଞ୍ଚଳର ସମସ୍ତ ୨୦୩୫ ଯାକ ୱାର୍ଡକୁ ମୁଖ୍ୟମନ୍ତ୍ରୀ ଶୁଭଦୃଷ୍ଟି ପକାଇଛନ୍ତି । ଏଣିକି ସବୁ ୱାର୍ଡରେ ୱାର୍ଡ ଅଫିସ ଖୋଲାଯାଇ ସହରାଞ୍ଚଳର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ୱାର୍ଡର ରାସ୍ତା, ନାଳ, ସଫେଇ, ଡ୍ରେନେଜ୍ ଠାରୁ ଆରମ୍ଭ କରି ଯାବତୀୟ କାର୍ଯ୍ୟର ତଦାରଖ ଏହି ୱାର୍ଡ ଅଫିସ ଜରିଆରେ ହେବ । ଜଣେ ଲେଖାଏଁ ୱାର୍ଡ ଅଫିସରଙ୍କ ଦାୟିତ୍ୱରେ ରହିବ ପ୍ରତି ୱାର୍ଡ । ୱାର୍ଡ ଅଫିସ ଖୋଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜଧାନୀ ଭୁବନେଶ୍ୱରକୁ ଏଥିରେ ଅଧିକ ଫୋକସ୍ ଦିଆଯାଇଛି । ବିଏମସିର ସବୁ ୱାର୍ଡରେ ଆଜିଠାରୁ ଖୋଲାଯାଇଛି ‘ୱାର୍ଡ ଅଫିସ’ । ଏଥିସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର(ମାଇକ୍ରୋ କମ୍ପୋଜିଟ୍ ସେଣ୍ଟର) ପାଇଁ କାମ ଆରମ୍ଭ କରାଯାଇଛି । ଆଜି ମଧ୍ୟ ଭୁବନେଶ୍ୱର ପାଇଁ ଫାଷ୍ଟ ଟ୍ରାକ୍ ବିଲଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥାର ଆରମ୍ଭ କରାଯାଇଛି । ଏହାଦ୍ୱାରା ବିଡ଼ିଏରେ ୪୮ ଘଣ୍ଟାରେ ବିଲଡିଂ ପ୍ଲାନ୍ ଅନୁମୋଦିତ ହେବ । ଫଳରେ ୫୦୦ ବର୍ଗ ମିଟରରୁ କମ୍ ପ୍ଲଟ୍ ଏରିଆ ପାଇଁ ପ୍ରାୟ ୮୦% ଲୋକଙ୍କୁ ଅତି ସହଜରେ ମିଳିବ ପ୍ଲାନ୍ ଅନୁମୋଦନ । ଏହି କାମରେ ୫-ଟି ମନ୍ତ୍ରର ଉପଯୋଗ ଭଲ ଭାବେ ହୋଇଥିବା ଦାବି କରାଯାଇଛି । ଏଥିସହ ଅନ୍ ଲାଇନ ବିବାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ ଏବଂ ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଅନଲାଇନ୍ ଜରିଆରେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ସୂଚନାଥାଉକି, ରାଜ୍ୟର ୧୧୪ଟି ପୌରସଂସ୍ଥାରେ ୩୪୨ଟି ମାଇକ୍ରୋ କମ୍ପୋଜିଟ୍ ୟୁନିଟ୍ ସହ ୨୬ ଟି ପୌର ସଂସ୍ଥାରେ ୭୦ କୋଟି ଟଙ୍କା ବ୍ୟୟରେ ମଳପଙ୍କ ବିଶୋଧନ ବ୍ୟବସ୍ଥାର ଶିଳାନ୍ୟାସ କରାଯାଇଛି । ଏହାଦ୍ୱାରା ଦୈନିକ ୪ ଲକ୍ଷ ଲିଟର ମଳପଙ୍କ ବିଶୋଧିତ ହୋଇପାରିବ । ଯେଉଁଥିରୁ ୮ ଲକ୍ଷ ଲୋକ ଉପକାର ପାଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି ।
ସ୍ୱାୟତ୍ତ ଶାସନ ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହିସବୁ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଭିଡ଼ିଓ କନଫରେନ୍ସିଂରେ ପୁରୀ, ବ୍ରହ୍ମପୁର ଓ ଭୁବନେଶ୍ୱରର ସହିଦନଗରରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ସହରାଞ୍ଚଳ ସେବା ପ୍ରଦାନ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ । ଆଜି ସାରା ରାଜ୍ୟର ବିଭିନ୍ନ ପୌର ସଂସ୍ଥା ପାଇଁ ଅନେକ ଲୋକକୈନ୍ଦ୍ରିକ କାର୍ଯ୍ୟକ୍ରମ ଆରମ୍ଭ କରାଗଲା । କ’ଣ କ’ଣ କରାଗଲା ମୁଖ୍ୟମନ୍ତ୍ରୀ ବିସ୍ତୃତ ଭାବେ ଜଣାଇ କହିଥିଲେ, ଏଥିପାଇଁ ମୁଁ ବହୁତ ଖୁସି ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌରସଂସ୍ଥା ମାନଙ୍କୁ ଆବର୍ଜନାମୁକ୍ତ ସହର କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ତା’ ସହିତ ଏହି କାର୍ଯ୍ୟକ୍ରମରେ ମା ମାନଙ୍କୁ ସାମିଲ କରିବା ଏକ ବହୁତ ଭଲ ଉଦ୍ୟମ । ଉତ୍ତମ ନାଗରିକ ସେବା, ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ । ଆଜିକାଲି ସହରାଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ପରିଚାଳନା ଏକ ଆହ୍ୱାନ ହୋଇଛି । କିନ୍ତୁ ଯଦି ଆମେ ଜନସାଧାରଣଙ୍କୁ ଆମର ସମସ୍ତ କାର୍ଯ୍ୟକ୍ରମର କେନ୍ଦ୍ରରେ ରଖି କାର୍ଯ୍ୟ କରିବା ଓ ୫-ଟିର ନୀତିକୁ ଅନୁସରଣ କରିବା, ତେବେ ଜନସାଧାରଣ ଚାହୁଁଥିବା ପରିବର୍ତ୍ତନକୁ ଆମେ ନିଶ୍ଚିତ ଭାବେ ହାସଲ କରିପାରିବା ।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।