ଭୁବନେଶ୍ୱର: ଓଟିଭି ନିରପେକ୍ଷ ଖବର ପରିବେଷଣ କରେନାହିଁ କି କରୁନାହିଁ ଏକଥା ଖୋଦ୍ ଓଟିଭିର ସମର୍ଥକମାନେ ସ୍ୱୀକାର କରିଛନ୍ତି । ଓଟିଭି ପକ୍ଷପାତିକା କରୁଛି ବୋଲି ବିଜେଡ଼ି ଅଭିଯୋଗ କରି ତାହାର ବିଭିନ୍ନ ବିତର୍କ କାର୍ଯ୍ୟକ୍ରମକୁ ବୟକଟ୍ କରିବାର ନିଷ୍ପତ୍ତି ପରେ ଓଟିଭିର ତଥାକଥିତ ପ୍ରଶଂସକମାନେ ପରୋକ୍ଷରେ ଏକଥା ସ୍ୱୀକାର କରିଛନ୍ତି । ସେମାନଙ୍କର ଯୁକ୍ତି, ୧୫ ବର୍ଷ ଧରି ଓଟିଭି ବିଜେଡ଼ି ସପକ୍ଷରେ କହୁଥିଲା । ଏବେ ତାଙ୍କ ବିପକ୍ଷରେ କହୁଥିବାରୁ ବିନ୍ଧୁଛି । ଅର୍ଥାତ୍ ଓଟିଭି ଯେ ପକ୍ଷପାତିତା କରୁଥିଲା ସେକଥା ତଥାକଥିତ ପ୍ରଶଂସକମାନେ ମାନିଯାଇଛନ୍ତି । ଆଜି ଓଟିଭି ସପକ୍ଷରେ ଅଣ୍ଟା ଭିଡୁଥିବା ବିଜେପି ଓ କଂଗ୍ରେସ ମଧ୍ୟ ଓଟିଭିର ପକ୍ଷପାତିତାକୁ ଅତୀତରେ ବିରୋଧ କରିଥିଲେ ।
ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ୍ ଲୋକ ଥିଲାବେଳେ ଓଟିଭିର ନିଉଜ୍ ପରିବେଷଣ ଭିନ୍ନ ଥିଲା । ବିଜେଡ଼ି ସପକ୍ଷରେ ଓକିଲାତି କରୁଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ହରାଇବା ପରଠୁ ସେହି ଟିଭି ହଠାତ୍ ଓଲଟି ଯାଇଛି । ବିଶେଷକରି ବୈଜୟନ୍ତ ପଣ୍ଡା ବିଜେଡ଼ିରୁ ନିଲମ୍ବିତ ହେବା ପରେ ଓଟିଭି ମାତ୍ରାଧିକ ପ୍ରତିଶୋଧପରାୟଣ ହୋଇ ନିଉଜ୍ ପରିବେଷଣ କରୁଥିବା କଥା ସମସ୍ତେ ଜାଣନ୍ତି । ବିଜେଡ଼ି ଓ ସରକାରଙ୍କ ଛିଦ୍ର ଦେଖିଲେ ଚାନେଲ୍ ର ନାହି ଡେଉଁଛି । ନିର୍ଦ୍ଦିଷ୍ଟ ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ ଙ୍କ ପଛରେ ଖୋଲାଖୋଲି ପଡ଼ିଛି । ଟାଣିଓଟାରି ପାଣ୍ଡିଆନ୍ ଙ୍କୁ ସବୁ ମାମଲାରେ ଜଡ଼ିତ କରାଉଛି । ବୈଜୟନ୍ତ ପ୍ରତି କଥାରେ ପାଣ୍ଡିଆନ୍ ଙ୍କ ନାଁ ନେଉଥିବା ବେଳେ ଓଟିଭି ତାକୁ ଜଗି ଜଗି ହେଡ଼ଲାଇନ୍ କରୁଛି । ବିଜେଡ଼ି ଓ ସରକାରରେ ଯେତେ ଯାହା ଦୁର୍ନୀତି, ଅଘଟଣ ପାଇଁ ବିନା ତଥ୍ୟ ପ୍ରମାଣରେ ପାଣ୍ଡିଆନ୍ ଙ୍କୁ ଦାୟୀ କରୁଛି । ଏମିତିକି ବ୍ୟକ୍ତିଗତସ୍ତରକୁ ଯାଇ ଚରିତ୍ର ସଂହାର କରିବାକୁ ପଛାଉନି । କ୍ରମାଗତ ଭାବେ ଦୁଇ/ତିନି ମାସର ଓଟିଭି ଖବରକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି । ଓଟିଭିର ବିଜେଡ଼ି ନାକଟେକା ଓ ପାଣ୍ଡିଆନ୍ ଫୋବିଆ ସାଧାରଣ ଜନତା ଭଲଭାବେ ହୃଦୟଙ୍ଗମ କରିଛନ୍ତି ।