ଭୁବନେଶ୍ୱର: ଓଟିଭିକୁ ବିଜେଡ଼ି ବୟକଟ୍ କଲା ପରେ ବିଜେପିବାଲାଙ୍କ ମନକୁ ବେଶୀ କଷ୍ଟ ହୋଇଛି । ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରାଯାଇଥିବା କହି ଦଳର ନେତାମାନେ ସତେ ଯେମିତି କାନ୍ଦବୋବାଳି ପକାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ସଜ୍ଜନ ଶର୍ମାଙ୍କ ଯାଏଁ ନେତା ବିଜେଡ଼ିକୁ ଅସହିଷ୍ଣୁ ଓ ସହନଶୀଳତାର ପାଠ ପଢ଼ାଇଛନ୍ତି । ତାଙ୍କ ସମର୍ଥକମାନେ ଉତ୍ସାହିତ ହୋଇ ଏହାକୁ ଓଡ଼ିଶା ମିଡ଼ିଆ ଉପରେ ବିଜେଡ଼ିର ଅଘୋଷିତ କର୍ଫ୍ୟୁ ବୋଲି ସମାଲୋଚନା କରୁଛନ୍ତି ।
ବିଜେପି ନେତା ଓ ସେମାନଙ୍କ ସମର୍ଥକଙ୍କ ମୁହଁରେ ଏଭଳି ବୟାନବାଜି ବିଭିନ୍ନ ମହଲରେ କୌତୁହଳ ସୃଷ୍ଟି କରିଛି । ଅଧିକାଂଶଙ୍କ ମନରେ ଦୟା ବି ଆସିଛି । କାରଣ, ଓଡ଼ିଶା ମିଡ଼ିଆକୁ ନିଜ ନିୟନ୍ତ୍ରଣରେ ରଖିବାର ଅପଚେଷ୍ଟା ଏହି ବିଜେପି ହିଁ ଆରମ୍ଭ କରିଛି । ବେଶୀ ଦୂର ନୁହେଁ । ବିଜେପୁର ଉପନିର୍ବାଚନ ପଛକୁ ଫେରିଲେ ତାହା ଜଳ ଜଳ ଦିଶୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଟିମ୍ ମିଡ଼ିଆକୁ ପ୍ରଲୋଭନ ଓ ଭୟ ଦେଖାଇ ନିଜ କରାୟତ୍ତରେ ରଖିବାର ଉଦ୍ୟମକୁ ବୁଦ୍ଧିଜୀବୀମହଲ ଭୁଲିନାହାନ୍ତି । ଓଡ଼ିଶାର କିଛି ମିଡ଼ିଆ ସଂସ୍ଥାର ମୁଖ୍ୟ କିଏ ହେବେ ତାହା କେନ୍ଦ୍ରମନ୍ତ୍ରୀ ସ୍ଥିର କରୁ ନ ଥିଲେ କି ? ଚାନେଲ୍ ର ଏଡିଟୋରିଆଲ୍ ପଲିସି କେନ୍ଦ୍ରମନ୍ତ୍ରୀଙ୍କ ଟିମ୍ ନିର୍ଦ୍ଧାରଣ କରୁ ନ ଥିଲେ କି ? କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ପଦୁଟିଏ କହିଦେଲେ ସମ୍ପାଦକଙ୍କର ଚାକିରି ଚାଲିଯାଉ ନ ଥିଲା କି ବୋଲି ପ୍ରଶ୍ନ ଉଠିଛି ।
ପାଠକଙ୍କୁ ମନେ ପକାଇଦେବା ପାଇଁ ଏଠାରେ ତାହାର ମାତ୍ର ଦୁଇଟି ଉଦାହରଣ ଦେଉଛୁ ।
ଉଦାହରଣ ୧: ଇଟିଭିର ତତ୍କାଳୀନ ମୁଖ୍ୟ ସମ୍ପାଦକ ସତ୍ୟପ୍ରକାଶ ନାୟକଙ୍କ ଚାକିରି କେନ୍ଦ୍ରମନ୍ତ୍ରୀଙ୍କ ଗୋଟିଏ ଝଟକାରେ ଚାଲି ଯାଇଥିବା କଥା ଚାନେଲ୍ ର ସମସ୍ତେ ଜାଣନ୍ତି । ସତ୍ୟପ୍ରକାଶଙ୍କ ଭୁଲ୍ ଥିଲା ସେ ବିଜେପିରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଡାର୍କହର୍ସ ଆଖ୍ୟାୟିତ କରି ଏକ ଖବର ପ୍ରସ୍ତୁତ କରୁଥିଲେ । ଖବରଟି ନ ବାଜିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଏହା ଜାଣିଲା ପରେ ସତ୍ୟପ୍ରକାଶଙ୍କ ଉପରେ ରାଗି ପାଚି ଲାଲ୍ ହୋଇଥିଲେ । ସେ ନିଜେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ଡାର୍କହର୍ସ ଉପସ୍ଥାପିତ କରାଯାଉଥିବା ଖବରକୁ ହଜମ୍ କରି ନ ଥିଲେ । ଅସହିଷ୍ଣୁ କେନ୍ଦ୍ରମନ୍ତ୍ରୀଙ୍କ ଗୋଟିଏ ଫୋନ୍ ରେ ଚାଲିଗଲା ସତ୍ୟପ୍ରକାଶଙ୍କ ଚାକିରି । ଏବେ ବି କେନ୍ଦ୍ରମନ୍ତ୍ରୀଙ୍କ ଟିମ୍ କିଛି ଚାନେଲ୍ ର ମୁଖ୍ୟ ଓ ଏଡିଟୋରିଆଲ୍ ପଲିସି ଧାର୍ଯ୍ୟ କରୁଥିବା କାହାରିକୁ ଅଛପା ନାହିଁ ।
ଉଦାହରଣ ୨: କଳିଙ୍ଗ ଟିଭିର ଏକ ନିର୍ଦ୍ଦିଷ୍ଟ ପ୍ରୋଗ୍ରାମରେ ବିଜେପି ବିରୋଧରେ ଲଗାତର ଖବର ପ୍ରସାରଣ ହେଉଥିବା ଅଭିଯୋଗ କରି ବିଜେପି ନେତୃତ୍ୱ ସେହି ଚାନେଲ୍ ଓ ପ୍ରୋଗ୍ରାମ୍ କୁ ଦୀର୍ଘ ପ୍ରାୟ ବର୍ଷେ ହେଲା ବୟକଟ୍ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ତାଙ୍କ ମୁଖପାତ୍ର ଓ ପାନେଲିଷ୍ଟଙ୍କ ଉପରେ ହ୍ୱିପ୍ ଜାରି କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ଏହା ଘୋଷଣା କରି ନ ଥିଲେ ମଧ୍ୟ କଳିଙ୍ଗ ଟିଭି ରାତି ଆଲୋଚନାକୁ ନ ଯିବାକୁ କଡ଼ା ବାରଣ କରିଛନ୍ତି । ଏହା କିଛି ୱେବ୍ ପୋର୍ଟାଲ୍ ରେ ଖବର ମଧ୍ୟ ହୋଇଛି । ଏମିତି ବି ହୋଇଛି, କିଛି ନେତା ସେହି ଚାନେଲ୍ ବିତର୍କରେ ଭାଗନେବାକୁ ଯାଉଥିବା ବେଳେ ତାଗିଦ୍ ପାଇ ଅଧାବାଟରୁ ଫେରିଛନ୍ତି । କିଛି ନେତା ହ୍ୱିପ୍ ଅମାନ୍ୟ କରି ଚାନେଲ୍ ବିତର୍କକୁ ଯାଇଥିବାରୁ ସେମାନଙ୍କୁ ଦଣ୍ଡ ମିଳିଛି ।
ଏବେ ଓଟିଭିକୁ ବିଜେଡ଼ି ବୟକଟ୍ କଲା ପରେ ସେହି ବିଜେପି ନେତାମାନେ ସମାଲୋଚନାକୁ ଫୁଲ ପରି ଗ୍ରହଣ କରିବା ସପକ୍ଷରେ ମତ ଦେଉଛନ୍ତି । ସହିଷ୍ଣୁତା ଓ ସହନଶୀଳତାର ମନ୍ତ୍ର ପଢ଼ାଉଛନ୍ତି । ନିଜର ସ୍ୱାର୍ଥ ସାଧନ ପାଇଁ ଓଡ଼ିଶା ମିଡ଼ିଆକୁ ଭାଗ ଭାଗ କରି ରାଜନୀତି ଭର୍ତ୍ତି କରିଥିବା ନେତାମାନେ ଚତୁର୍ଥ ସ୍ତମ୍ଭ ନାଁରେ ସ୍ୱାଧୀନତାର ଦ୍ୱାହି ଦେଉଛନ୍ତି । ବିଜେପୁର ଉପନିର୍ବାଚନ ପରାଜୟ ଆଘାତ ପରେ ବିଜେପି ନିଜ ଆଭିମୁଖ୍ୟ ବଦଳାଇଛି ନା କଳାକୁ ଧଳା କରି ରାଜନୀତି କରୁଛି ତାହା ଏବେ ଚର୍ଚ୍ଚାରେ ।