ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ । ଆଜି ବିଜେଡ଼ି ଓ ବିଜେପି ସେମାନଙ୍କ ବିଧାନସଭା ରଣନୀତି ପ୍ରସ୍ତୁତ କରିଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ବିଜେଡ଼ି କରିବ ମୁଖ୍ୟ ପ୍ରସଙ୍ଗ । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଚନ୍ଦ୍ରବାବୁ ନାଇଡୁ ଏନଡିଏ ହାତ ଛାଡ଼ିଥିବାରୁ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଧାନସଭାରେ ସେଭଳି ଦମ୍ ଦେଖାଇବାକୁ ଯୋଜନା କରିଛନ୍ତି । ଏହାବାଦ୍ କେନ୍ଦ୍ରୀୟ ଅବହେଳା ଓ ଅନ୍ୟାନ୍ୟ ଚିରାଚରିତ ପ୍ରସଙ୍ଗକୁ ବିଧାନସଭାରେ ଉତଥାପନ କରିବାକୁ ବିଜେଡ଼ିର ରହିଛି ଯୋଜନା । ସେପଟେ ଚାଷୀ, ଆଇନଶୃଙ୍ଖଳା ସମସ୍ୟାଠାରୁ ଆରମ୍ଭ କରି କୁନ୍ଦୁଲି ଘଟଣାକୁ ବିଜେପି କରିବ ମୁଖ୍ୟ ପ୍ରସଙ୍ଗ । କଂଗ୍ରେସ ୫ ଦିନ ଆଗରୁ ରଣନୀତି କାମ ସାରିଦେଇଛି । କଂଗ୍ରେସ ବିଧାୟକମାନେ ବିଧାନସଭା ରଣନୀତି ଅପେକ୍ଷା ପିସିସି ସଭାପତି ହଟାଓ ରଣନୀତିରେ ଧ୍ୟାନ ଖଟେଇଛନ୍ତି ।
ଚଳିତ ବଜେଟ୍ ଅଧିବେଶନରେ ବିଜେଡ଼ି ତାର ପଲା ଭାରି ରଖିବାକୁ ମୌକା ପାଇଛି । ଏଇଥିପାଇଁ କି ବିଜେପୁର ବିଜୟ ଯୋଗୁଁ ବିଧାୟକମାନେ ଉତଫୁଲ୍ଲିତ ଅଛନ୍ତି । ସେମାନଙ୍କ ମନବଳ ଦୃଢ଼ ହୋଇଛି । ବିରୋଧୀଙ୍କ ଆକ୍ରମଣକୁ ସାମନା କରିବାର ଯଥେଷ୍ଟ ତାକତ୍ ଦେଇଛି ବିଜେପୁର । ସେହିଭଳି ଅସୁବିଧାରେ ପଡ଼ିଥିବା କେନ୍ଦ୍ରର ଏନଡିଏ ସରକାରକୁ ନାଲିଆଖି ଦେଖାଇବାର ବି ସୁଯୋଗ ପାଇଯାଇଛି । ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାଠାରୁ ଆରମ୍ଭ କରି ପୋଲାଭରମ୍ ଏବଂ ମହାନଦୀ ଟ୍ରିବ୍ୟୁନାଲ୍ ର ସଠିକ୍ କାର୍ଯ୍ୟକାରିତା ଆଦି ଦାବିରେ ଜୋରଦାର ଲଢ଼େଇ କରିବାର ସୁଯୋଗ ବିଜେଡ଼ିକୁ ଆସିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଧାନସଭା ଶକ୍ତିର ସଦୁପଯୋଗ କରିବାକୁ ବିଜେଡ଼ି ପଛେଇବ ନାହିଁ ବୋଲି କୁହାଯାଉଛି ।
ବିଜେପି ପାଖରେ ସରକାରଙ୍କ ବିରୋଧରେ ଯଥେଷ୍ଟ ପ୍ରସଙ୍ଗ ଅଛି । ହେଲେ ଲଢ଼େଇ କରିବାର ଦମ୍ଭକୁ ବିଜେପୁର ସତେ ଯେମିତି ହରଣ କରିନେଇଛି । ସଂଖ୍ୟାରେ ତ କମ୍, ସାଙ୍ଗକୁ ମନବଳ ବି କମିଯାଇଛି । ତେବେ ବିଜେପୁର ପରାଜୟ ଭୁଲି ସରକାରଙ୍କ ବିରୋଧରେ ପ୍ରସଙ୍ଗକୁ ନେଇ ଲଢ଼େଇ କରିବା ପାଇଁ ବିଜେପି ମନବଳ ଜୁଟାଇବା ଉପରେ ଧ୍ୟାନ ଦେଇଛି । ସରକାରଙ୍କ ବିରୋଧରେ ରହିଥିବା ଅସନ୍ତୋଷକୁ ସେମାନେ ବିଧାନସଭାରେ ପ୍ରତିଫଳିତ କରିପାରିଲେ ନିର୍ବାଚନରେ ଦଳକୁ ନିଶ୍ଚିତ ସହାୟକ ହେବ ବୋଲି କୁହାଯାଉଛି ।
କଂଗ୍ରେସର ଆଭିମୁଖ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଉନି । ପିସିସି ସଭାପତିଙ୍କ ବିରୋଧରେ ବିଧାୟକ ଦଳ ଏକାଠି ହୋଇଥିବାରୁ ସେମାନଙ୍କ ମନ ବିଧାନସଭା ପ୍ରସଙ୍ଗ ଉପରେ ନାହିଁ । କିଛି ବିଧାୟକ ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବାରୁ ସେମାନେ ଦଳ ପାଇଁ ବିଧାନସଭାରେ କିଭଳି ଲଢ଼ିବେ ତାହା ସନେ୍ଦହ ସୃଷ୍ଟି କରିଛି । ସହଜେ ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ଅମାନତ୍ ଉଡ଼ିଯାଇଥିବାରୁ ବିଧାୟକଙ୍କ ମନବଳ ଭାଙ୍ଗିଯାଇଛି । କଂଗ୍ରେସର ଭବିଷ୍ୟତକୁ ନେଇ ସେମାନେ ଆଶଙ୍କିତ । ଏଭଳି ସ୍ଥିତିରେ ସେମାନେ ସରକାରଙ୍କ ବିରୋଧରେ ଯେ ମନପ୍ରାଣ ଦେଇ ଲଢ଼େଇ କରିବେ ଆଶା କରିବା ବୃଥା । ତେବେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଆଭିମୁଖ୍ୟ ହିଁ କଂଗ୍ରେସର ଅସ୍ତିତ୍ୱ ନିର୍ଣ୍ଣୟ କରିବ । ସରକାରଙ୍କୁ ସେ ଘାଇଲା କରୁଛନ୍ତି ନା ଆଉ କିଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।
ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ୍ ରୁ ୧୧ ରୁ ଆରମ୍ଭ ହୋଇ ମେ ୫ ପର୍ଯ୍ୟନ୍ତ ଚାଲିବ । ଦୁଇଟି ପର୍ଯ୍ୟାୟରେ ମୋଟ ୩୧ ଟି କାର୍ଯ୍ୟଦିବସ ରହିବ । ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଡ. ଏସ.ସି.ଜମିର ଗୃହରେ ଅଭିଭାଷଣ ରଖିବେ । ମାର୍ଚ୍ଚ ୨୩ ତାରିଖରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଗୃହରେ ଆଗତ ହେବ ।