ଭୁବନେଶ୍ୱର: କଂଗ୍ରେସର ଟାଣୁଆ ଯୁବନେତା, ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ମୁଖ୍ୟ ମୁଖପାତ୍ର ତଥା ପୂର୍ବତନ ପିସିସି ମୁଖପାତ୍ର ମାନସ ରଞ୍ଜନ ମଙ୍ଗରାଜ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ପଠାଇଛନ୍ତି । ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନିଜ ଇସ୍ତଫା ସଂକ୍ରାନ୍ତରେ ଅବଗତ କରିଛନ୍ତି । ରାଜ୍ୟରେ କଂଗ୍ରେସ ଯେଉଁ ଅବସ୍ଥାକୁ ଆସିଛି ସେଥିରେ ତାଙ୍କଭଳି ଜଣେ ସ୍ୱାଭିମାନୀ ଯୁବକ ସମ୍ମାନର କାର୍ଯ୍ୟ କରିବା ଅସମ୍ଭବ ବୋଲି ମାନସ କହିଛନ୍ତି । ଦଳ ପ୍ରତି ନିଷ୍ଠା ଓ ଆନୁଗତ୍ୟ ରଖିଥିବା ନେତାଙ୍କୁ ଅଲୋଡ଼ା କରାଯାଇଛି ବୋଲି ସେ ଅଭିଯୋଗ କରି ସେଥିପାଇଁ ପ୍ରସାଦ ହରିଚନ୍ଦନଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ବରିଷ୍ଠ ନେତାଙ୍କ ମଧ୍ୟରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳ ଆଜି ରସାତଳଗାମୀ ହୋଇଥିବା ମାନସ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ।
ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ମାନସ ମଙ୍ଗରାଜ କଂଗ୍ରେସରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ଏକଦା ରାହୁଲ ଗାନ୍ଧୀଙ୍କର ଅତ୍ୟନ୍ତ ଘନିଷ୍ଠ ଓ ବିଶ୍ୱାସଭାଜନରେ ରହି ଜାତୀୟସ୍ତରରେ ଦଳୀୟ ପଦ ପଦବୀରେ କାର୍ଯ୍ୟ କରିଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ଚିଲିକା ନିର୍ବାଚନମଣ୍ଡଳୀରୁ ସେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । ପ୍ରଦେଶ ଯୁବ କଂଗ୍ରେସର ମୁଖ୍ୟ ମୁଖପାତ୍ର ଭାବେ ସେ ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ । ପରବର୍ତ୍ତୀ ସମୟରେ ପିସିସି ମୁଖପାତ୍ର ଦାୟିତ୍ୱ ନିର୍ବାହ କରିଥିଲେ । ତେବେ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ଉତ୍ତମ ସମ୍ପର୍କ ରଖିବା ସହ ରାଜ୍ୟସ୍ତରୀୟ ଦଳୀୟ କାର୍ଯ୍ୟକ୍ରମରେ ବେଶ୍ ସକ୍ରିୟ ଥିଲେ ମଧ୍ୟ ଦଳ ତାଙ୍କୁ ଉପେକ୍ଷା କରିବା ଆରମ୍ଭ କରିଥିଲା । ପ୍ରସାଦ ହରିଚନ୍ଦନ ପିସିସି ନେତୃତ୍ୱ ନେଲା ପରେ ମାନସଙ୍କୁ ସମ୍ପୂର୍ଣ୍ଣ କୋଣଠେସା କରିଦେଇଥିଲେ । ଦୀର୍ଘ ଦିନ ଧରି ଅସନ୍ତୋଷରେ ଜଳୁଥିବା ମାନସ ଶେଷରେ ଚରମ ପଦକ୍ଷେପ ନେଇଛନ୍ତି ।
ମାନସ ତାଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ତେବେ ମାନସ ବିଜେଡ଼ିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସହ ଆଉ କିଛି କଂଗ୍ରେସ ନେତା ବିଜେଡ଼ିରେ ଯୋଗଦେଉଥିବା ମଧ୍ୟ କୁହାଯାଉଛି । ଦୁଇ ତିନ ଦିନ ମଧ୍ୟରେ ଏ ନେଇ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି ମାନସଙ୍କ ନିକଟତମ ମହଲରୁ ଜଣାପଡ଼ିଛି ।