ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ବିନା ଭକ୍ତରେ ସେବାୟତ ଓ ପୁଲିସଙ୍କ ଦ୍ୱାରା ଶୃଙ୍ଖଳାର ସହ ରଥ ଟଣାଯିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରଯାଇଛି । ବାହୁଡ଼ା ଯାତ୍ରା ନୀତି ସକାଳ ୪ଟାରୁ ଆରମ୍ଭ ହେବ ବୋଲି ନିର୍ଘଣ୍ଟ କରାଯାଇଛି। ମଧ୍ୟାହ୍ନ ୧୨ଟାରେ ରଥଟଣା ହେବ।
ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂଚନା ଅନୁସାରେ ସକାଳ ୪ଟାରୁ ମଙ୍ଗଳ ଆଳତି କରାଯିବ। ଏହାପରେ ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ସରିଲା ପରେ ସାଢ଼େ ୫ଟା ସୁଦ୍ଧା ବେଶ ସରିବ। ପରେ ଗୋପଳ ବଲ୍ଲଭ ଓ ସକାଳ ଧୂପ ଅର୍ଥାତ୍ ଖେଚୁଡ଼ି ଭୋଗ ହେବ। ଏଥିଲାଗି ୫ଟା ୪୫ରୁ ୬ଟା ୪୫ ସମୟ ନିର୍ଘଣ୍ଟ କରାଯାଇଛି।
ସକାଳ ୭ଟାରେ ସନୋପଟା ଲାଗି ହେବ। ସକାଳ ୭ଟା ୪୫ରେ ମଙ୍ଗଳାର୍ପଣ କରାଯାଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ସକାଳ ୮ଟାରୁ ୯ଟା ଭିତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ। ସାଢ଼େ ୧୦ଟା ଭିତରେ ବେଶ ଶେଷ ହୋଇ ଆରମ୍ଭ ହେବ ଛେରା ପହଁରା। ସାଢ଼େ ୧୧ଟା ଭିତରେ ଗଜପତି ମହାରାଜାଙ୍କ ଛେରା ପହଁରା କାର୍ଯ୍ୟକ୍ରମ ଶେଷ ହେବାକ୍ଷଣି ଚାରମାଳ ଫିଟା ଯାଇ ଘୋଡ଼ା ଲାଗି ହେବ। ଦିନ ୧୨ଟା ରଥ ଟଣା ହେବ। ରଥ ଟଣା ସରିବା ପରେ ଅନ୍ୟାନ୍ୟ ନୀତି ହେବ।

ବାହୁଡ଼ା ଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବାକୁ ସବୁ ବିଭାଗକୁ ପ୍ରସ୍ତୁତ କରାଯାଇଛି ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ଆଜି ଦିନ ତମାମ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିବା ସହ ସବୁ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ପାଇଁ ଆଲୋଚନା କରିଥିଲେ । ଏ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ସୁରୁଖୁରୁରେ ଚାଲିଛି । ଏହି ଗୁରୁଦାୟିତ୍ୱକୁ ସବୁ ସେବାୟତମାନେ ଭଲ ଭାବରେ ତୁଲାଇଛନ୍ତି । ରଥଯାତ୍ରା ଭଳି କୋଭିଡ୍ କଟକଣା କଡ଼ାକଡ଼ି ପାଳନ ସହ ବାହୁଡ଼ାକୁ ଶୃଙ୍ଖଳିତ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।







