ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷରେ ଲାଗୁ ହେବ ସର୍ବକ୍ଷମା ଯୋଜନା । ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତାକାଲି ଏହି ଘୋଷଣା ହେବ ବୋଲି ସୂଚନା ମିଳିଛି । ପ୍ରଥମ ଥର ପାଇଁ ୨୦୦୭ ମସିହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ)ରେ ଲାଗୁ ହୋଇଥିଲା ସର୍ବକ୍ଷମା ଯୋଜନା । ଦ୍ୱିତୀୟ ଥର ପାଇଁ ଲାଗୁ ହେବାକୁ ଯାଉଥିବା ସର୍ବକ୍ଷମା ଯୋଜନା ବିଡ଼ିଏ ସମେତ ୯ଟି ଉନ୍ନୟନ କର୍ତ୍ତୃପକ୍ଷରେ କାର୍ଯ୍ୟକାରୀ ହେବ । ସେଗୁଡ଼ିକ ହେଲା କଟକ ଉନ୍ନୟନ କର୍ତ୍ତୃପକ୍ଷ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ, ତାଳଚେର-ଅନୁଗୁଳ-ମେରମୁଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ, କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପାରାଦ୍ୱୀପ ଉନ୍ନୟନ କର୍ତ୍ତୃପକ୍ଷ ।
ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ଅଧୀନରେ ବେଆଇନ ନିର୍ମାଣ(ପ୍ଲାନ ଅନୁମୋଦନ ବାହାରେ କୋଠା ନିର୍ମାଣ)କୁ ନିୟମିତ ବା ବୈଧୀକରଣ ପାଇଁ ସର୍ବକ୍ଷମା ଯୋଜନାର ସୃଷ୍ଟି । ଏହି ଯୋଜନାରେ ବେଆଇନ ନିର୍ମାଣକାରୀଙ୍କୁ ବର୍ଗଫୁଟ ହିସାବରେ ଜରିମାନା ଦେବାକୁ ପଡ଼ିବ । ପ୍ରଥମ ଥର ପାଇଁ ବିଡ଼ିଏରେ ଲାଗୁ ହୋଇଥିବା ସର୍ବକ୍ଷମା ଯୋଜନାରେ ଯେତିକି ଜରିମାନା ଧାର୍ଯ୍ୟ ହୋଇଥିଲା ଏଥର ତାହା ଯଥେଷ୍ଟ ଅଧିକ ବୋଲି ନଗର ଉନ୍ନୟନ ବିଭାଗର ଜଣେ ପଦସ୍ଥ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ସମ୍ପ୍ରସାରିତ ଯୋଜନାରେ ବାସଗୃହ ପାଇଁ ବର୍ଗଫୁଟ୍ ପିଛା ୬୦୦ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଥିବା ବେଳେ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ତାହା ୧୭୫୦ ଟଙ୍କା ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି ।
୨୦୦୭-୦୮ ରେ ବିଡ଼ିଏରେ ବର୍ଷକ ପାଇଁ ଲାଗୁ ହୋଇଥିବା ସର୍ବଶିକ୍ଷା ଯୋଜନା ସେଭଳି ଆଖିଦୃଶିଆ ସଫଳତା ପାଇ ନ ଥିଲା । ୪୦୦୦ ଆବେଦନକାରୀଙ୍କଠାରୁ ବିଡ଼ିଏକୁ ରାଜସ୍ୱ ମିଳିଥିଲା ମାତ୍ର ୧୮ କୋଟି । ଏଥର ସମ୍ପ୍ରସାରିତ ଯୋଜନାରେ କ’ଣ ବ୍ୟବସ୍ଥା ରଖାଯାଇଛି ତାହା ଆସନ୍ତାକାଲି ସ୍ପଷ୍ଟ ହୋଇପାରେ ।