ଭୁବନେଶ୍ୱର: ‘କାଳିଆ’ ଟଙ୍କା ଅଟକା ଯାଇଥିବାରୁ ଶେଷରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ନିର୍ବାଚନ ଆଳରେ ‘କାଳିଆ’ ଯୋଜନା ବନ୍ଦ କରି ଚାଷୀଙ୍କ ସହାୟତା ଟଙ୍କା ଅଟକାଯିବା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ କ୍ଷୋଭ ଜଣାଇଛନ୍ତି । ଚାଷୀଙ୍କ ପାଇଁ ‘କାଳିଆ’ ଟଙ୍କା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ‘କାଳିଆ’ ନେଇ ବିଜେପି ଅଭିଯୋଗ କରିଥିବା ଶୁଣିଛି । ନିର୍ବାଚନ ବେଳେ କେନ୍ଦ୍ର ସରକାରଙ୍କ ପିଏମ୍-କିଷାନ ଯୋଜନା ଚାଲିଛି ଅଥଚ ‘କାଳିଆ’ ଟଙ୍କା ଅଟକା ଯାଇଛି କାହିଁକି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଚାଷୀଙ୍କ ସ୍ୱାର୍ଥକୁ ଆଖିରେ ରଖି ଏହାକୁ ଅଟକା ନ ଯିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ ଫେରାଦି ଚର୍ଚ୍ଚାର ବିଷୟ ହୋଇଛି । ଏହି ପ୍ରସଙ୍ଗକୁ ଧରି ବିଜେଡ଼ି ବାରମ୍ବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱରସ୍ଥ ହୋଇ ବିଫଳ ହେବା ପରେ ଗତ ୫ ତାରିଖରେ ଦିଲ୍ଲୀ ଯାଇ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିଲେ । ବିଜେପି ଚାପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ‘କାଳିଆ’ ଯୋଜନାକୁ ବନ୍ଦ କରିଥିବା ଅଭିଯୋଗ କରିଥିଲେ । ‘କାଳିଆ’ ଯୋଜନାର ବହୁ ପରେ ପିଏମ-କିଷାନ ଯୋଜନା ଆସିଥିଲେ ମଧ୍ୟ ତାହା ଚାଲୁଛି, ଅଥଚ ‘କାଳିଆ’ ବନ୍ଦ କରାଯାଇଛି । ତେଣୁ ଏହା ପଛରେ ବିଜେପିର ଚକ୍ରାନ୍ତ ସ୍ପଷ୍ଟ । ‘କାଳିଆ’ ଯୋଜନା ବନ୍ଦ ଦ୍ୱାରା ରାଜ୍ୟର ୨୦ ଲକ୍ଷ ଚାଷୀଙ୍କୁ କ୍ଷତି ଆଣିଛି ବୋଲି ବିଜେଡ଼ି ପ୍ରତିନିଧି ଜଣାଇଥିଲେ ।
ତେବେ ଖୋଦ୍ ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେବା ଖବର ପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟିମ୍ ସହ ପହଞ୍ଚିଥିଲେ ସିଇଓଙ୍କ ଅଫିସରେ । ମୁଖ୍ୟମନ୍ତ୍ରୀଙ୍କୁ କାଉଣ୍ଟର କରିଥିଲେ ସେମାନେ । ମୁଖ୍ୟମନ୍ତ୍ରୀ ଡରରେ ଏଭଳି କରିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ‘କାଳିଆ’ ତାଲିକା ନାହିଁ । ବଜେଟ୍ ରେ ଟଙ୍କା ବ୍ୟବସ୍ଥା ନାହିଁ ବୋଲି ସେ ଯୁକ୍ତି କରିଛନ୍ତି ।