ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଠିକ୍ ନାହିଁ । ୨୦୧୭ ମସିହା ଫେବୃଆରୀ ୧୭ ତାରିଖରେ ନାରଦନିଉଜ ଡଟ୍ କମ୍ ନାମକ ଏକ ଇଂରାଜୀ ନିଉଜ ପୋର୍ଟାଲ୍ ରେ ଏଭଳି ଖବରଟିଏ ପ୍ରକାଶ ପାଇଥିଲା । ପରେ ପରେ ଏହା ସୋସିଆଲ୍ ମିଡ଼ିଆରେ ଜୋର୍ ଘୁରି ବୁଲିଲା । ଓଡ଼ିଶାରେ ଏହି ଖବରଟି ହଇଚଇ ସୃଷ୍ଟି କରିଥିଲା । ପରିସ୍ଥିତି ଏମିତି ହେଲା ଯେ ନବୀନଙ୍କୁ ଶେଷରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଲା ଯେ ସେ ଠିକ୍ ଅଛନ୍ତି । ଏହି ଖବରଟି କୁଆଡୁ ଆସିଲା ତାହାକୁ ନେଇ ଦିଲ୍ଲୀ ମହଲରେ ବି ବହୁତ ଚର୍ଚ୍ଚା ହୋଇଥିଲା । ଏହି ଖବର ପଛରେ ବିଜେଡ଼ିର ଜଣେ ପ୍ରଭାବଶାଳୀ ସାଂସଦଙ୍କ ଆଡକୁ ସମସ୍ତଙ୍କର ନଜର ଯାଇଥିଲା । ଏଠାରେ ଉଲ୍ଲେଖଥାଉକି, ଏହି ସାଂସଦଜଣଙ୍କ ବୈଜୟନ୍ତ ପଣ୍ଡା ବୋଲି ପ୍ରଥମେ ‘ମିଡ଼ଡ଼େ ଓଡ଼ିଶା’ (ଜାନୁଆରୀ ୧୭,୨୦୧୮) ଖବର କରିଥିଲା ।
ଏବେ ଖୋଦ୍ ନବୀନ ପଟ୍ଟନାୟକ ତାଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ବୈଜୟନ୍ତ ପଣ୍ଡାଙ୍କ ନାଁ ନେଇ ଗୁମର ଖୋଲିଛନ୍ତି । ଏନଡିଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀନିବାସ ଜୈନ୍ ଙ୍କୁ ଏକ ସାକ୍ଷାତକାର ଦେଇ ନବୀନ ସିଧାସଳଖ ବୈଜୟନ୍ତଙ୍କ ନାଁ ନେଇଛନ୍ତି । ବୈଜୟନ୍ତ ତାଙ୍କ ରାଜନୈତିକ ଅଭିଳାଷ ପାଇଁ ଏଭଳି ଗୁଜବ ତିଆରି କରିଥିଲେ ବୋଲି ନବୀନ ଏହି ସାକ୍ଷାତକାରରେ କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନବୀନ ସକାଳେ ମର୍ଣ୍ଣିଂ ୱାକ୍ ସହ ଯୋଗ ଓ ବ୍ୟାୟାମ (ସାଇକ୍ଲିଂ)କରୁଥିବା ବେଳେ ହିଁ ଶ୍ରୀନିବାସ ଜୈନ୍ ତାଙ୍କର ସାକ୍ଷାତକାର ନେଇଛନ୍ତି । ନବୀନ ଏଥିରେ ଦେଖାଇ ଦେଇଛନ୍ତି ଯେ ସେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକଠାକ୍ ଅଛି ।
ନବୀନଙ୍କ ଏହି ସାକ୍ଷାତକାରଟି ଏନଡ଼ିଟିଭିରେ ଆସିଲା ପରେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ବୈଜୟନ୍ତ ପଣ୍ଡାଙ୍କ ହୀନ ଚାଲ୍ ଧରାପଡ଼ିଯାଇଥିବା ଚର୍ଚ୍ଚା ହେଲାଣି । ଯେଉଁ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ସେ ଚାରି ଚାରି ଥର ସାଂସଦ ହୋଇ କ୍ଷମତା ଭୋଗୁଥିଲେ ଏବଂ ନିଜର ବ୍ୟବସାୟିକ ସ୍ୱାର୍ଥ ଚରିତାର୍ଥ କରୁଥିଲେ ସେହି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବା ନିଶାରେ ଏଭଳି ନୀଚ୍ଚସ୍ତରକୁ ଚାଲିଯିବା ଅଧିକାଂଶଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ନବୀନଙ୍କ ମନ୍ତବ୍ୟ ଆସିଲା ପରେ ବୈଜୟନ୍ତ ଏହାକୁ ମିଥ୍ୟା ବୋଲି ସଫେଇ ଦେଇ ଟୁଇଟ୍ କରିଛନ୍ତି ।
ନବୀନଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ବୈଜୟନ୍ତ !