ବ୍ରହ୍ମପୁର: ଶ୍ରୀକ୍ଷେତ୍ରରୁ ଆରମ୍ଭ କରିଥିବା ‘କାଳିଆ’ ଯାତ୍ରାକୁ ଆଜି ନିଜ ଜିଲ୍ଲା ଗଂଜାମ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଙ୍ଗେଇଲୁଣ୍ଡାଠାରେ ଆୟୋଜିତ ବିଶାଳ ସମାରୋହରେ ମୁଖ୍ୟମନ୍ତ୍ରୀ ବଟନ୍ ଦବାଇ ଚାଷୀମାନଙ୍କ ଆକାଉଣ୍ଟକୁ ‘କାଳିଆ’ ସହାୟତା ପ୍ରଦାନ କରିଛନ୍ତି । ୨୫,୦୦୦ ଚାଷୀଙ୍କୁ କୃଷି ଉପକରଣ ବଣ୍ଟନ ବି କରିଛନ୍ତି । ଏହି ଅବସରରେ ୧୦୧୧ କୋଟି ଟଙ୍କାର ୨୩୧ଟି ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ୪୮ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।
‘କାଳିଆ’ ଯୋଜନାର ଶୁଭାରମ୍ଭ ପାଇଁ ପୁରୀରେ ବିଶାଳ ଚାଷୀ ସମାବେଶ ପରେ ଦ୍ୱିତୀୟ ପର୍ଯ୍ୟାୟରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡାରେ ଏହି ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ୨୨ଟି ବ୍ଲକ୍ ରୁ ଲକ୍ଷାଧିକ ଚାଷୀ ଯୋଗ ଦେଇଥିଲେ । ତେବେ ଆଜିର ସମାବେଶରେ ମୁଖ୍ୟମନ୍ତ୍ରୀ ସେଭଳି ଭାଷଣ ଦେଇ ନ ଥିଲେ । ଚାଷୀଭାଇ ଓ ଭଉଣୀମାନଙ୍କୁ ଧନ୍ୟବାଦ ଦେଇ ଦୁଇପଦ କହିଥିଲେ । ଗଂଜାମ ଜିଲ୍ଲାକୁ ପ୍ରାୟ ୧୧୦୦ କୋଟିର ପ୍ରକଳ୍ପ ଏବଂ ଭାଗଚାଷୀଙ୍କୁ ପାଣ୍ଠି ମଂଜୁର ହୋଇଥିବାରୁ ଆପଣମାନେ ଖୁସି କି ନାଇଁ ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ । ଆପଣମାନଙ୍କ ଖୁସିରେ ମୁଁ ଖୁସି କହି ବକ୍ତବ୍ୟ ସାରିଥିଲେ । ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘କାଳିଆ’ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡ଼ିଓ ବାର୍ତ୍ତାକୁ ସେଠାରେ ଶୁଣାଯାଇଥିଲା ।
ଆଜିର ସମାବେଶରେ ମୁଖ୍ୟମନ୍ତ୍ରୀ ନିଜେ ଭାଷଣ ଦେଇ ନ ଥିଲେ କି କୌଣସି ମନ୍ତ୍ରୀ କି ନେତାଙ୍କୁ ଭାଷଣ ଦେବାକୁ ସୁଯୋଗ ଦେଇ ନ ଥିଲେ । ଜଣେ ଚାଷୀ ଗଙ୍ଗାଧର ନାୟକ ଓ ଦୁଇଜଣ ମହିଳା ଚାଷୀ ସଂଯୁକ୍ତା ବେହେରା ଏବଂ ସତିଅ ବିଶୋୟୀ ସଭାମଂଚରେ ବକ୍ତବ୍ୟ ରଖିବାକୁ ସୁଯୋଗ ଦିଆଯାଇଥିଲା । ସେମାନେ ‘କାଳିଆ’ ଯୋଜନାର ଗୁଣାଗାନ କରି ନିଜର ଅଭିଜ୍ଞତା କହିଥିଲେ । ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସେମାନେ ଭୂୟସୀ ପ୍ରଶଂସା କରିଥିଲେ ।