ଭୁବନେଶ୍ୱର: ଏକ ପ୍ରମୁଖ ରାଜନୈତିକ ଦଳର ଜଣେ ଛୋଟିଆ ମହିଳା କର୍ମକର୍ତ୍ତା ପରକୀୟା ପ୍ରୀତି ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି । ଏହି ନେତ୍ରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆସିଛି । ଚୋରା ପ୍ରେମିକଙ୍କ ପତ୍ନୀଙ୍କୁ ହତ୍ୟା କରି ରାସ୍ତାରୁ ହଟାଇବାକୁ ସେ କୁଆଡ଼େ ଯୋଜନା କରିଥିଲେ । ହତ୍ୟା ଉଦ୍ୟମର ଶିକାର ହୋଇଥିବା ମହିଳା ଲକ୍ଷ୍ମୀସାଗର ଥାନାରେ ଏତଲା ଦେବା ପରେ ଘଟଣା ପଦାକୁ ଆସିଛି । ପୁଲିସ ଉପରେ ରାଜନୈତିକ ଚାପ ପକାଇ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ଅଭିଯୋଗ ବି ଆସିଛି । ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।
ହତ୍ୟା ଉଦ୍ୟମର ଶିକାର ହୋଇଥିବା ମହିଳାଙ୍କ ନାଁ ସୁଶାନ୍ତି(ଛଦ୍ମନାମ)ଜେନା । ଫିସେରି ଲେନ୍ ନଂ-୬, ଚିନ୍ତାମଣିଶ୍ୱର ଏରିଆ ହେଉଛି ତାଙ୍କର ଠିକଣା । ପୁଲିସକୁ ଦେଇଥିବା ଏତଲାରେ ମହିଳା ଲେଖିଛନ୍ତି..
ଗତ ୨୫.୪.୨୦୧୮ରେ ମୋର ବାହାଘର ହୋଇଥିଲା । ବାହାଘର ପରଠାରୁ ଶାଶୁ ଘରେ ମତେ ନିର୍ଯାତନା ଦେଇ ଆସୁଛନ୍ତି । ବିଶେଷକରି, ଦେଢ଼ଶାଶୁ ଓ ନଣନେ୍ଦଇ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛନ୍ତି । ବାହାଘର ପରଠାରୁ ଆମ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ଶାରିରୀକ ସମ୍ପର୍କ ନାହିଁ । ଏତେସବୁ ନିର୍ଯାତନା ସତ୍ତ୍ୱେ ମୁଁ ଏହାକୁ ସହ୍ୟ କରି ଆସୁଥିଲି । ମାତ୍ର ଗତକାଲି ନିର୍ଯାତନାର ସବୁ ସୀମା ଟପିଗଲା । ମତେ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଛନ୍ତି । ମୋ ଉପରେ କିରୋସିନୀ ଢ଼ାଳି ପୋଡ଼ି ମାରିଦେବାକୁ ଉଦ୍ୟମ କଲା ବେଳେ ମୁଁ ଛାତ ଉପରୁ ତଳକୁ ଡ଼େଇଁ ଖସିଆସିଲି । ବିକଳରେ ଜଣଙ୍କ ଘର କବାଟ ବାଡ଼େଇ ଆଶ୍ରୟ ମାଗିଥିଲି । ସେତେବେଳେ ଭୋର ୫ଟା ହୋଇଥିଲା । ସେହି ଘରଲୋକ ମତେ ଆଶ୍ରୟ ଦେଇ ମୋ ବାପାଙ୍କୁ ଫୋନ୍ ରେ ଖବର ଦେଇଥିଲେ । ବାପା ମତେ ମେଡ଼ିକାଲ୍ ନେଇ ଚିକିତ୍ସା କରିବା ପରେ ମୁଁ ଆପଣଙ୍କ ଦ୍ୱାରସ୍ଥ ହୋଇଛି ।
ଏତଲାଟି ସାଧାସିଧା ଲାଗୁଥିଲେ ମଧ୍ୟ ଏହା ଭିତରେ ବଡ଼ ଗୁମର ଛପି ରହିଛି । ସୂଚନା ଅନୁଯାୟୀ, ସୁଶାନ୍ତିଙ୍କ ଉପରେ ହୋଇଥିବା ନିର୍ଯାତନା ଓ ହତ୍ୟା ଷଡ଼ଯନ୍ତ୍ର ପଛର ଅସଲ ଖଳନାୟିକା ହେଉଛନ୍ତି ତାଙ୍କ ସ୍ୱାମୀର ତଥାକଥିତ ଧରମ ଭଉଣୀ । ଏହି ଭଦ୍ର ମହିଳାଜଣଙ୍କ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ତଳସ୍ତରର ସକ୍ରିୟ କର୍ମକର୍ତ୍ତା । ଧରମ ଭାଇ-ଭଉଣୀ ସମ୍ପର୍କ ଦ୍ୱାହିରେ ସେମାନଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା କୁହାଯାଉଛି । ଯାହାର ଫଳ ସୁଶାନ୍ତିଙ୍କୁ ଭୋଗିବାକୁ ପଡ଼ିଛି । ସୁଶାନ୍ତିଙ୍କ ବାପା ଦିବାକର ବେହେରା ମଧ୍ୟ ଜ୍ୱାଇଁର ଧରମ ଭଉଣୀଙ୍କ ଭୂମିକାକୁ ସନ୍ଦେହ କରିଛନ୍ତି । କିନ୍ତୁ ଭୟରେ ସବୁକଥା ଖୋଲି କହିନାହାନ୍ତି ।
ଦିବାକର କହିଛନ୍ତି, ଜ୍ୱାଇଁଙ୍କ ନିଜ ଘରଦ୍ୱାର ପରିବାର ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ । ୧୫ ବର୍ଷ ହେଲା ସେ ତାଙ୍କର ଧରମ ଭଉଣୀଙ୍କ ଘରେ ପରିବାର ସଦସ୍ୟ ହୋଇ ରହୁଥିବା ଶୁଣିଛନ୍ତି । ଝିଅକୁ ବିବାହ ଦେବା ବେଳେ ସେ ଏସବୁ ଜାଣିଥିଲେ । ହେଲେ ଜ୍ୱାଇଁର ଚରିତ୍ର ଉପରେ ସନେ୍ଦହ କରି ନ ଥିଲେ । ଗରିବ ଲୋକ ହୋଇଥିବାରୁ ସେ ବେଶୀ ଭିତରକୁ ନ ପଶି ମଧ୍ୟସ୍ଥି ହୋଇଥିବା ଜଣେ ସମ୍ପର୍କୀୟଙ୍କ କଥାରେ ଝିଅର ବିବାହ ପାଇଁ ରାଜି ହୋଇଥିଲେ । ବିବାହ ପରଠାରୁ ତାଙ୍କ ଝିଅକୁ ସେହି ପରିବାର ଲୋକେ ସବୁଦିନ ମାରଧର କରୁଥିଲେ । ଧରମ ଭଉଣୀଙ୍କ ମାୟାରେ ଜ୍ୱାଇଁ ବାନ୍ଧି ହୋଇ ରହିଥିବା ସେ ଝିଅଠାରୁ ଜାଣିବାକୁ ପାଇଥିଲେ ବୋଲି ଦିବାକର ଆମ ପ୍ରତିନିଧିଙ୍କୁ କହିଛନ୍ତି ।
ଝିଅ ପକ୍ଷର ସୂଚନା ଅନୁଯାୟୀ, ଗତକାଲି ସକାଳୁ ସକାଳୁ ଥାନାରେ ମାମଲା ପହଞ୍ଚିବା ପରେ ପୁଲିସ ଉପରେ ଚାପ ପଡ଼ିବା ଆରମ୍ଭ ହୋଇଯାଇଥିଲା । ତେଣୁ ପୁଲିସ ମାମଲା ରୁଜୁ କରିବାକୁ ଅମଙ୍ଗ ହୋଇଥିଲା । ପୁଲିସର ଆଚରଣର ପ୍ରତିବାଦ କରି କିଛି ମହିଳା ସ୍ୱେଚ୍ଛାସେବୀ ଥାନା ଆଗରେ ଧାରଣାରେ ବସିଥିଲେ । ସୁଶାନ୍ତିଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ । ପରେ ପୁଲିସ ମାମଲା ରୁଜୁ କରିବା ପରେ ମହିଳା ସ୍ୱେଚ୍ଛାସେବୀମାନେ ଧାରଣାରୁ ହଟିଥିଲେ । ତେବେ କୋହଳ ଦଫା ଲଗାଇ ମାମଲା ରଫାଦଫା କରିବାକୁ ଅଭିଯୁକ୍ତ ପକ୍ଷ ସଫଳ ହୋଇଥିବା କୁହାଯାଇଛି । ଝିଅକୁ ନ୍ୟାୟ ଦେବା ପାଇଁ ଦିବାକର ଗଣମାଧ୍ୟମର ସହଯୋଗ ଭିକ୍ଷା କରିଛନ୍ତି ।
ଏହି ମାମଲା ଉପରେ ପୁଲିସର ପ୍ରତିକ୍ରିୟା ମିଳିନାହିଁ ।