ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ବିଏମସିର ନୋ ହୋଡିଂ ଜୋନ୍କୁ ବିଜେଡ଼ି ଠିକା ନେଇଯାଇଥିବା ସନେ୍ଦହ ଆମେ ପୂର୍ବରୁ କରିଥିଲୁ । କାରଣ କ୍ୟାପିଟାଲ୍ ହସ୍ପିଟାଲ୍ ଛକରୁ ପିଏମଜି ଛକ ସମ୍ପୂର୍ଣ୍ଣ ହୋଡିଂ ଜୋନ୍ ହୋଇଥିଲେ ମଧ୍ୟ ସେଠାରେ ଦୀର୍ଘ ଦିନ ଧରି ଇଣ୍ଡିଆ ଟୁଡେ ପତ୍ରିକାରେ ନବୀନ ପଟ୍ଟନାୟକଙ୍କ ଶାସନର ପ୍ରଶସ୍ତିଗାନ୍ର ହୋଡିଂ ସାଙ୍ଗକୁ ତାଙ୍କର ଲମ୍ବ ଫଟୋଚିତ୍ରର ସୁଦୃଶ୍ୟ ହୋଡିଂ ରାସ୍ତା ସାରା ଝଲସୁଛି । ଆଉ ଏବେ ନୂଆବର୍ଷରୁ ପିଏମଜି ଛକରେ ନବୀନଙ୍କ ଫଟୋ ଓ ଦସ୍ତଖତର ବିରାଟ ହୋଡିଂ ଛିଡ଼ା ହୋଇଛି । ମୁଖ୍ୟମନ୍ତ୍ରୀ ନୂଆବର୍ଷ ପାଇଁ ଅଭିନନ୍ଦନ ଜଣାଉଛନ୍ତି ହୋଡିଂରେ । କିଏ ସେହି ହୋଡିଂ ମାରିଛି ଆମକୁ ଜଣା ନାହିଁ । ମାତ୍ର ହୋଡିଂରେ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଥିବାରୁ ତାଙ୍କ ପକ୍ଷରୁ ଯେ ତାହା ଲଗାଯାଇଛି ତାହା ଆମେ ବୁଝୁଛୁ ।
ତେବେ ଏହା ଠିକ୍ ହୋଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜେ ଆଇନ ଭାଙ୍ଗୁଛନ୍ତି ବୋଲି ଧରିନେବାକୁ ହେବ । ଆଉ ଆଇନକୁ ଉଲ୍ଲଂଘନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିଏମସି ବି ଆଖିବୁଜିଦେଇଛି । ଏଠି ଆଉ ଥରେ ମନେ ପକାଇ ଦେବାକୁ ଚାହୁଁ କି ଗତ ଡିସେମ୍ବର ୨୧ ରୁ ୨୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ଏସ୍ସି/ଏସ୍ଟି ଛାତ୍ରଛାତ୍ରୀଙ୍କ ଫେଷ୍ଟିଭାଲ୍ କାର୍ଯ୍ୟକ୍ରମ ସରଗିଫୁଲ୍ । ସାରା ରାଜ୍ୟରୁ ଆସିଥିଲେ ଛାତ୍ରଛାତ୍ରୀ । ଏସସି/ଏସଟି ବିଭାଗ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପାଇଁ ଏଜି, ପିଏମଜି ପରି ରାସ୍ତାରେ ଅସ୍ଥାୟୀ ହୋଡିଂ ଓ ବ୍ୟାନର ଲଗାଇବାକୁ ବିଏମସିର ଅନୁମତି ଲୋଡିଥିଲା । ମାତ୍ର ବିଏମସି ଅନୁମତି ଦେଇ ନ ଥିଲା । ଏବେ ଶିଶିର ସରସ କାର୍ଯ୍ୟକ୍ରମର ହୋଡିଂ ଓ ବ୍ୟାନର୍ ଅନୁମତି ବେଳେ ବି ବିଏମସି ସମାନ ନୀତି ଧରିଛି । ହଁ ସଂପୃକ୍ତ ଜାଗାଗୁଡ଼ିକୁ ନୋ ହୋଡିଂ ଜୋନ୍ କରି ବିଏମସିରି ଆଇନ ଥିବାରୁ ହୋଡିଂ ଲଗାଇବାର ଅନୁମତି ନ ଦେବା ଉପରେ କାହାର ଆପତ୍ତି ନାହିଁ । ମାତ୍ର ଆଇନ ସମସ୍ତଙ୍କ ପାଇଁ ସମାନ ଲାଗୁ ହେବ ନା ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ପାଇଁ ଆଇନ ବାଟ ଭାଙ୍ଗିବ ତାହାର ଜବାବ ବିଏମସିକୁ ଦେବାକୁ ପଡ଼ିବ ।
କାରଣ ଆଇନର ଆଳରେ ସାଧାରଣ ଲୋକଙ୍କୁ ବୋକା ବନାଇବାର ଯୁଗ ସରିଗଲାଣି । ବିଏମସି ଏଭଳି ଅନୁମତି ଦେଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ବଢ଼ାଇନି ବରଂ ତାଙ୍କୁ ନିନ୍ଦିତ କରିଦେଇଛି । ଯଦି ମୁଖ୍ୟମନ୍ତ୍ରୀଙ୍କ ଅଗୋଚରରେ ତାଙ୍କ ଫଟୋ ଲାଗିଛି କି ତାଙ୍କ ନାଁରେ ନୂଆବର୍ଷର ଅଭିନନ୍ଦନ ହୋଡିଂ କିଏ ଲଗାଇଦେଇଛି ତାହା ହେଲେ ମୁଖ୍ୟମନ୍ତ୍ରୀ ଏହାକୁ ଗମ୍ଭୀରତାର ସହ ବିଚାର କରିବା ଦରକାର । ଆଉ ଭୁବନେଶ୍ୱରବାସୀଙ୍କୁ ବି ବିଏମସି କୈଫିୟତ୍ ଦେବା ଦରକାର । ଏ ସମ୍ପର୍କରେ ଆମେ ବିଏମସି ମେୟର୍ ଓ କମିଶନରଙ୍କଠାରୁ ମତାମତ ନେବାକୁ ଯୋଗାଯୋଗ କରିଥିଲୁ । ମାତ୍ର ଦୁହେଁ ମୋବାଇଲ୍ ଉଠାଇ ନ ଥିଲେ ।