ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ଏଥର ରେଳ ବଜେଟ୍ରେ ଓଡ଼ିଶା ପାଇଁ ୫ ହଜାର କୋଟିର ଦାବି ପ୍ରସ୍ତୁତ କରିଛି ବିଧାନସଭାର ଗୃହ କମିଟି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ୬ ତାରିଖରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ରଖିବ । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ କ୍ରମାଗତ ଭାବେ ଅବହେଳା କରାଯାଉଛି । ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶା ରେଳବାଇକୁ ସର୍ବାଧିକ ରାଜସ୍ୱ ୧୪ ହଜାର କୋଟି ଦେଉଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଅଣଦେଖା ରହୁଛି । ଗୃହ କମିଟି ପ୍ରସ୍ତୁତ କରିଥିବା ସ୍ମାରକପତ୍ରରେ ଏସବୁ ବିଷୟ ଉଲ୍ଲେଖ କରାଯାଇଛି । ଚାଲୁ ରହିଥିବା ରେଳ ପ୍ରକଳ୍ପଗୁଡ଼ିକ ପାଇଁ ଅର୍ଥ ବରାଦ କରିବା, ବିଦୁ୍ୟତୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ତଥା ରେଳ ଷ୍ଟେସନ୍ ଗୁଡ଼ିକର ଆଧୁନିକୀକରଣ ପାଇଁ ବଜେଟ୍ ରେ ଅର୍ଥବରାଦ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇବ ଗୃହ କମିଟି । ମଙ୍ଗଳବାର ଦିନ ଗୃହ କମିଟି ବୈଠକରେ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଓଡ଼ିଶାର ଦାବି ମଧ୍ୟରେ ରହିଛି ଦୋହରିକରଣ ଓ ତୃତୀୟ ରେଳ ଲାଇନ୍ ପାଇଁ ୨୨୭୦ କୋଟି, ୫ ଟି କାର୍ଯ୍ୟକାରୀ ପ୍ରକଳ୍ପ ପାଇଁ ୧୦୫୦ କୋଟି, ୯ ଟି ନୂଆ ପ୍ରକଳ୍ପ ପାଇଁ ୪୦୦ କୋଟି, ବିଦୁ୍ୟତିକରଣ ପାଇଁ ୩୩୫ କୋଟି, ଯାତ୍ରୀଙ୍କ ସ୍ୱାଚ୍ଛନ୍ଦ୍ୟ ପାଇଁ ୩୫୦ କୋଟି, ସ୍ପେଶାଲ୍ ଭେହିକିଲ୍ ପରପସ୍ ପାଇଁ ୨୦୦ କୋଟି. ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍ ପାଇଁ ୩୦୦ କୋଟି, ଅନୁଗୁଳ-ସୁକିନ୍ଦା ପାଇଁ ୨୦୦ କୋଟି, ତାଳଚେର-ବିମଳାଗଡ଼ ପାଇଁ ୩୫୦ କୋଟି ଏବଂ ହରିଦାସପୁର-ପାରାଦ୍ୱୀପ ପାଇଁ ୧୦୦ କୋଟିର ବଜେଟ୍ କରିବାକୁ ଦାବି ରଖାଯିବ ।