ଭୁୁବନେଶ୍ୱର: କିମ୍ସ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ୍ ରେ ଜଣେ କରୋନା ଆକ୍ରାନ୍ତ ପ୍ରସୂତୀଙ୍କର ପ୍ରସବ ହୋଇଛି । କରୋନା ଆକ୍ରାନ୍ତ ଥିବାରୁ ତାଙ୍କୁ ସାଧାରଣ ପ୍ରସବ କରାଇବା ବିପଦପୂର୍ଣ୍ଣ ଥିଲେ ମଧ୍ୟ ଏଥିରେ ଡାକ୍ତରମାନେ ସଫଳ ହୋଇଛନ୍ତି । ଉଭୟ ମା ଓ ଛୁଆ ସୁସ୍ଥ ଅଛନ୍ତି । ନିକଟରେ ଏଠାରେ ଚିକିତ୍ସିତ କେତେକ କରୋନା ଆକ୍ରାନ୍ତ ଗର୍ଭବତୀ ମହିଳା ମଧ୍ୟ ସୁସ୍ଥ ହୋଇ ଫେରିଛନ୍ତି।
ମେ ୩୦ ତାରିଖରେ ବାହାର ରାଜ୍ୟରୁ ଆସି କ୍ଵାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ ଗର୍ଭବତୀ ମହିଳା କରୋନା ସଂକ୍ରମିତ ଜଣା ପଡିବା ପରେ କିମ୍ସ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ। ଜୁନ ୨୧ ତାରିଖରେ ତାଙ୍କର ପ୍ରସବ ହେବ ବୋଲି ଡାକ୍ତର ସମୟ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରୋଗୀଙ୍କ ନମୁନା ନେଗେଟିଭ ଆସିବା ପର୍ୟ୍ୟନ୍ତ ତାଙ୍କର ପ୍ରସବକୁ ସ୍ଥଗିତ ରଖିବା ପାଇଁ କିମ୍ସ ଡାକ୍ତରମାନେ ଯୋଜନା କରିଥିଲେ । ତେବେ ଏହା ପୂର୍ବରୁ ମହିଳାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ଡାକ୍ତରମାନେ ତାଙ୍କର ସୁରକ୍ଷିତ ପ୍ରବସ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରିଥିଲେ । ଜୁନ ୧ ତାରିଖରେ ମହିଳାଙ୍କ ପ୍ରସବ ବେଦନା ଆରମ୍ଭ ହେବାରୁ ତାଙ୍କର ପ୍ରସବ କରାଇବା ପାଇଁ କିମ୍ସ ଡାକ୍ତରମାନେ ନିଷ୍ପତି ନେଇଥିଲେ । ତାଙ୍କର ପ୍ରଥମ ପ୍ରସବ ଅସ୍ତ୍ରୋପଚାର ମାଧ୍ୟମରେ ହୋଇଥିଲା ।
ଏହି ସଫଳତା ପାଇଁ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍ସ କୋଭିଡ୍-୧୯ ହସପିଟାଲ, କିମ୍ସ ଡାକ୍ତର ଓ ନର୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।