ଭୁବନେଶ୍ୱର: କିସ୍ରେ ପଢ଼ିବେ କନ୍ଧମାଳ ଜିଲ୍ଲାର ମାଟ୍ରିକ୍ ଟପ୍ପର ମୀନାକ୍ଷୀ ମଲ୍ଲିକ । ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ୯୨.୬ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲା ଟପ୍ପର ହୋଇଥିବା ଜିଲ୍ଲାର ତୁମୁଡ଼ିବନ୍ଧ ସରକାରୀ ଅନୁସୂଚୀତ ଜାତି ଓ ଜନଜାତି ବାଳିକା ବିଦ୍ୟାଳୟର ଛାତ୍ରୀ ମୀନାକ୍ଷୀଙ୍କ ସଫଳତାର ଖବର ଜାଣିବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୀନାକ୍ଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଝିଅର ସଫଳତା ପାଇଁ ପିତା ରାଜୀବ ଲୋଚନ ମଲ୍ଲିକ ଏବଂ ମାତା ନିଳନ୍ତି ମଲ୍ଲିକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ସାମନ୍ତ ।
ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ କିସ୍ କର୍ତ୍ତୃପକ୍ଷ ମୀନାକ୍ଷୀଙ୍କୁ କିସ୍ରେ ପାଠ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିରେ ମୀନାକ୍ଷୀ ଓ ତାଙ୍କ ପରିବାର ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି । ସେ କିସ୍ରେ ଯୁକ୍ତ ଦୁଇ ବିଜ୍ଞାନରେ ଭଲ କଲେ ସେ କିଟ୍ ବିଶ୍ୱବିଦ୍ୟାଳୟରେ ଇଂଜିନିୟରିଂ ଓ ମେଡିକାଲ ଆଦି ଯାହା ଚାହିଁବେ ବିନାଦେୟରେ ପଢ଼ିପାରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଅପରପକ୍ଷରେ କିସ୍ରେ ପଢ଼ିବା ପାଇଁ ସୁଯୋଗ ମିଳିଥିବାରୁ ମୀନାକ୍ଷୀ ଓ ତାଙ୍କ ପରିବାର କିସ୍ କର୍ତ୍ତୃପକ୍ଷ ଏବଂ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।