ଭୁବନେଶ୍ୱର: ବିଜେପିର ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ପାଇଁ ଦଳୀୟ ଶିବିରରେ ନାହିଁ ନ ଥିବା ଉତ୍ସାହ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଆଜି ଭୁବନେଶ୍ୱରରେ ପହଞ୍ଚି ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ ଦଳର ସବୁ ତୁଙ୍ଗ ନେତା ଉପସ୍ଥିତ ଥିଲେ । ହେଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ନ ଥିଲେ । ପରେ ଅମିତ୍ ଶାହାଙ୍କ ସହ ବିଜେପି ଅଫିସ୍ କି ଅନ୍ୟାନ୍ୟ କେଉଁଠାରେ ମଧ୍ୟ ଦୁହିଁଙ୍କୁ ଦେଖିବାକୁ ମିଳିନାହିଁ । ଖୋଦ୍ ଭୁବନେଶ୍ୱରରେ ଅନୁଷ୍ଠିତ ବିଜେପିର ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମ ଅବସରରେ ବିଜୟ ଏବଂ ଦିଲ୍ଲୀପଙ୍କ ପରି ନେତାଙ୍କ ଅନୁପସ୍ଥିତି ଗୁଞ୍ଜରଣ ଖେଳାଇ ଦେଇଛି । ସେମାନଙ୍କ ଅନୁପସ୍ଥିତି ଦଳର ରାଜ୍ୟ ମୁଣ୍ଡିଆଳଙ୍କୁ ବି ବିବ୍ରତ କରିନି । ଓଲଟି ଏହି ବିଷୟରେ ପଚାରିଲେ ସେମାନେ ମୁରୁକା ହସ ଦେଉଛନ୍ତି । ସୁତରାଂ ଦଳ ପାଇଁ ସେମାନେ ଯେ ଅଲୋଡା ତାହା ପ୍ରମାଣିତ ହୋଇଯାଇଛି । ଆସନ୍ତାକାଲିଠାରୁ ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀରେ ଜାତୀୟ ନେତାମାନେ ସେମାନଙ୍କୁ ଲୋଡୁଛନ୍ତି ନା ନାହିଁ ତାହାକୁ ଏବେ ସମସ୍ତଙ୍କ ଅପେକ୍ଷା । ହୁଏତ ଏହା ହିଁ ସେମାନଙ୍କ ଦଳୀୟ ଭାଗ୍ୟ ନିର୍ଦ୍ଧାରଣ କରିବ ।
ଆସନ୍ତାକାଲି ଅପରାହ୍ନ ୩.୩୦ ମିନିଟ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚିବେ । ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଥିବା ୩୩୫ ତୁଙ୍ଗ୍ ନେତା, ୪୫ କେନ୍ଦ୍ରମନ୍ତ୍ରୀ, ବିଜେପି ଶାସିତ ୧୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୭ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେବେ । ଆୟୋଜନର ମୁଖିଆ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରିଣୀ ପ୍ରସ୍ତୁତି ସମ୍ପର୍କରେ ବିଶଷ ସୂଚନା ଦେଇଛନ୍ତି । ମୋଦି ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିଛନ୍ତି ଏବଂ ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଆସିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦମ୍ଭ ଦେଖାଇଛନ୍ତି ଧର୍ମେନ୍ଦ୍ର ।