ଭୁବନେଶ୍ୱର: ମଦବିକାଳି ହୋଟେଲବାଲାଙ୍କୁ ସୁରକ୍ଷା ଦେବା ପାଇଁ ରଚିତ ଭୟଙ୍କର ବ୍ଲୁ ପ୍ରିଣ୍ଟ ର ମାଷ୍ଟର ମାଇଣ୍ଡ ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଆଡକୁ ଅଙ୍ଗୁଳି ଉଠିଛି । । ମାଲଦାର୍ ହୋଟେଲ ମାଲିକଙ୍କ ପକ୍ଷରୁ କୁଆଡେ ସେ ରାଜ୍ୟ ସରକାରଙ୍କ ପାଖରେ ମଧ୍ୟସ୍ଥି ସାଜିଛନ୍ତି । ସୁପ୍ରିମ୍ କୋର୍ଟ ଆଦେଶର ଗଳାବାଟ ଖୋଜି ହୋଟେଲ ମାଲିକଙ୍କୁ ସନ୍ତୁଷ୍ଟ କରିବାର ସେ ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଛି । ଆଉ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମୋହରା ବନାଇ ନିଜ ମିସନ୍ ରେ ସେ ସଫଳ ହେବାକୁ ଯାଉଛନ୍ତି । ଏ ସମ୍ପର୍କିତ କିଛି ସାଂଘାତିକ ଦସ୍ତାବିଜ୍ “ମିଡ ଡେ ଓଡ଼ିଶା’ର ହସ୍ତଗତ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପୂର୍ତ୍ତ ବିଭାଗ ଉପରେ ପ୍ରଭାବ ପକାଇ ପ୍ରଥମ ଦଫାର କାମ ୧୨ ତାରିଖରେ ସରିଯାଇଛି । ବାକି ଥିବା ଓଡ଼ିଶା ମଦ ନୀତିରେ ସହରାଞ୍ଚଳ ରାସ୍ତାକଡ଼ ମଦଦୋକାନଗୁଡ଼ିକ ଖୋଲା କରିବା ବିଧିବଦ୍ଧ ନିଷ୍ପତ୍ତି ଉପରେ ମୋହର ଲାଗିବ ୧୫ ତାରିଖରେ । ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି ।
ସୁଚିନ୍ତିତ ଯୋଜନା ଅନୁଯାୟୀ, ଜାତୀୟ ଓ ରାଜ୍ୟ ରାଜପଥର ୫୦୦ ମିଟର ଭିତରେ ଅବସ୍ଥିତ ଭୁବନେଶ୍ୱରର ୫ଟି ନାମୀ ହୋଟେଲ ମାଲିକ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଗତ ୫ ତାରିଖରେ ଏକ ରିପ୍ରେଜେଣ୍ଟେସନ୍ ଦେଇଥିଲେ । ସେହି ହୋଟେଲଗୁଡ଼ିକ ହେଲା କ୍ରାଉନ୍, ପଲ୍ ହାଇଟିସ୍, ଶୀତଲ, ଲା ଫ୍ରାଙ୍କଲିନ୍, ସେଭେନ୍ ମାଇଲସ୍ । ୱାଇନ୍ ମର୍ଚ୍ଚାଣ୍ଟ ସଂଘର ସଭାପତିଙ୍କର ମଧ୍ୟ ସେଥିରେ ଦସ୍ତଖତ ରହିଛି । ଜାତୀୟ ଓ ରାଜପଥ କଡ଼ ୫୦୦ ମିଟରରେ ମଦ ବିକ୍ରୀ କରୁଥିବା ହୋଟେଲଗୁଡ଼ିକ ପାଇଁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶର ବାଟ ଭାଙ୍ଗିବାକୁ ସେଥିରେ ପ୍ରସ୍ତାବ ଦିଆଯାଇଥିଲା । ସହରାଞ୍ଚଳରେ ଯାଇଥିବା ରାଜପଥଗୁଡ଼ିକୁ ଅର୍ବାନ୍/ସିଟି ରାସ୍ତାକୁ ବଦଳାଇଦେଲେ ସୁପ୍ରିମ୍ କୋର୍ଟ ନିୟମରୁ ବର୍ତ୍ତିଯିବେ ବୋଲି ସେମାନେ ପରାମର୍ଶ ଦେଇଥିଲେ । ମନ୍ତ୍ରୀ ଅଶୋକ ପଣ୍ଡା ହୋଟେଲ ମାଲିକମାନଙ୍କ ଏହି ପ୍ରସ୍ତାବକୁ ଅବିଳମ୍ବେ ଗ୍ରହଣ କରି ସେହି ରିପ୍ରେଜେଣ୍ଟେନ୍ ଉପରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ହାତକାଟି ସୁପାରିଶ କରିଥିଲେ ।
ଭିତିରି ଖବର ଅନୁଯାୟୀ, ମନ୍ତ୍ରୀ ଅଶୋକ ପଣ୍ଡା ଖାଲି ସେତିକିରେ ଚୁପ୍ ବସି ନ ଥିଲେ । ଉପରଆଡୁ ମନାଇ ବାଟ ତିଆରି କରାଇଲେ । ଖେଳ ଏମିତି ହେଲା ଯେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୂର୍ତ୍ତ ବିଭାଗ ଗତକାଲି ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି କରିଛନ୍ତି । ସହରାଞ୍ଚଳରେ ଯାଇଥିବା ରାଜ୍ୟ ରାଜପଥକୁ ସେଥିରେ “ସହରାଞ୍ଚଳ ରାସ୍ତା’ ରେ ନାମିତ କରାଯାଇଛି । ବିଜ୍ଞପ୍ତିରେ, ମହାନଗର ନିଗମ, ପୌରପାଳିକା,ଏନଏସି, ସବଡିଭିଜିନାଲ୍ ମୁଖ୍ୟ ଦପ୍ତର, ତହସିଲ ମୁଖ୍ୟ ଦପ୍ତର ଓ ବ୍ଲକ୍ ମୁଖ୍ୟ ଦପ୍ତର ଅଧୀନସ୍ଥ ରାସ୍ତାଗୁଡ଼ିକୁ “ସହରାଞ୍ଚଳ ରାସ୍ତା’ ମାନ୍ୟତା ଦିଆଯାଇଛି । ଅର୍ଥାତ୍ ରାଜ୍ୟ ରାଜପଥ ପାଶ୍ୱର୍ରେ ହୋଟେଲ, ବାର୍ କି ଅନ୍ୟ ଆଉଟଲେଟ୍ ରେ ମଦ ମଦ କାରବାର ଉପରେ ଆଉ ଅଙ୍କୁଶ ରହିବ ନାହିଁ ।
ବାକି ରହିଲା, ସରକାରୀ ମୋହର । ପରିବର୍ତ୍ତିତ ଓଡ଼ିଶା ମଦନୀତିରେ ସହରାଞ୍ଚଳ ରାସ୍ତାକଡ଼ ମଦ ଦୋକାନଗୁଡ଼ିକ ଖୋଲା ରଖିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯିବ । ସେଥିପାଇଁ ନଗର ଉନ୍ନୟନ ବିଭାଗ ଓ ଅବକାରୀ ବିଭାଗର ଆନୁସାଙ୍ଗିକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହୋଇଛି । ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ମୋଡ଼ି ମକଚି ଦେବା ପାଇଁ ଏହି ଭୟଙ୍କର ଷଡ଼ଯନ୍ତ୍ର ପଛରେ ବଡ଼ ଧରଣର କିକ୍ ବ୍ୟାକ୍ ଅଭିଯୋଗ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି ।