ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ ଜୋତା ଫିଙ୍ଗି ଆକ୍ରମଣ ଉଦ୍ୟମ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଘୃଣିତ କାର୍ଯ୍ୟ ପଛରେ ଯିଏ ବି ଥାଉନାହାନ୍ତି ନା କାହିଁକି ତାଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି । ବିଜେପିର ଏହା ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ବିଜେଡ଼ି ଦାବି କରୁଥିବା ବେଳେ ବିଜେପି ଗାଲୁ ପେଲି ଚାଲିଛି । ସରକାରଙ୍କ ଉପରେ ଜନସାଧାରଣଙ୍କ ଜନଅସନ୍ତୋଷର ଏହା ପ୍ରତିଫଳନ ବୋଲି ଓଲଟା ଆକ୍ଷେପ କରିଛି । ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ କରିଥିବା ରାଜେଶ୍ୱରୀ କାମିଲାଙ୍କୁ ଧରି ବିଜେପୁରରେ ନିର୍ବାଚନ ପ୍ରଚାର କରୁଥିବା ବିଜେପିର ସତୀତ୍ୱ ଦାବି ଲୋକ ଜମାରୁ ବିଶ୍ୱାସ କରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ପଛରେ ବିଜେପି ହିଁ ଖଳନାୟକ ବୋଲି ଲୋକେ ନିଶ୍ଚିତ ହେଲେଣି । ବିଭିନ୍ନ ରାଜନୈତିକ ଦଳ, ସଂଗଠନ ଓ ବ୍ୟକ୍ତିବିଶେଷ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ।
କୁମ୍ଭାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଜୋତା ଫିଙ୍ଗିଥିବା ଯୁବକର ନାଁ କାର୍ତ୍ତିକ ମେହେର । ତା ପକେଟରୁ ବିଜେପି ପତାକା ମିଳିଛି । ତା ଘର ପଦ୍ମପୁର ବୋଲି ଜଣାପଡ଼ିଛି । ଲୋକଙ୍କଠାରୁ ନିର୍ଧୂମ ଛେଚା ଖାଇବା ପରେ ପୁଲିସ ନିକଟରେ ନିଜକୁ ନିର୍ଦ୍ଦଳୀୟ ବୋଲି ଦାବି କରୁଛି । ହେଲେ ତା ରଙ୍ଗଢ଼ଙ୍ଗରୁ ସେ ଯେ ଜଣେ ମାନବକର୍ମୀ ତାହା ଜମାରୁ କେହି ବିଶ୍ୱାସ କରିବେନି । ତା କାଣ୍ଡ ପଛରେ ରାଜନୈତିକ ଦଳର ପ୍ରରୋଚନା ସ୍ପଷ୍ଟ ଜଣାପଡୁଛି । ବିଜେପିର ଏହା କୁତ୍ସିତ କାର୍ଯ୍ୟ ବୋଲି ବିଜେଡ଼ି ସିଧାସଳଖ ଅଭିଯୋଗ ଆଣିଛି ।
ଏପଟେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ପରେ ବିଜେପୁର ଉପନିର୍ବାଚନ ମାହୋଲ ପୁରା ଗରମ ହୋଇଛି । ବିଜେଡ଼ି କର୍ମାମାନଙ୍କୁ ଏହା ନିରୁତ୍ସାହିତ କରିବା ପରିବର୍ତ୍ତେ ଅଧିକ ଉତ୍ସାହିତ କରିଛି । ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ପରେ ବିଜେପି ଗଡ଼ କୁହାଯାଉଥିବା କୁମ୍ଭାରୀ ଗାଁକୁ ମୁଖ୍ୟମନ୍ତ୍ରୀ ଯାଇ ଲୋକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରାମବାସୀ ବିଭୋର ହୋଇପଡ଼ିଥିଲେ । ଆକ୍ରମଣ ଉଦ୍ୟମ ପ୍ରତିବାଦସ୍ୱରୂପ ଗାଁ ଲୋକେ ଅନ୍ନ ତ୍ୟାଗ କରିଥିଲେ । ଖାଲି ସେତିକି ନୁହେଁ, ବିଜେଡ଼ି ଛଡ଼ା ଅନ୍ୟ କେଉଁ ଦଳକୁ ଗାଁରେ ପ୍ରଚାର କରିବାକୁ ଦେବେନି ବୋଲି ଶପଥ ନେଇଥିଲେ । ଏହି ଘଟଣା ସମଗ୍ର ବିଜେପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବିଜେଡ଼ି କର୍ମୀଙ୍କୁ ଉତ୍ସାହିତ କରିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ଦିନ ପ୍ରଚାର ପାଇଁ ବିଜେଡ଼ି କର୍ମୀମାନେ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି ।