ଭୁବନେଶ୍ୱର: ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ୪ ଜଣ ଦୁବୃର୍ତ୍ତ ଜଙ୍ଗଲକୁ ଟେକିନେଇ ଗଣଦୁଷ୍ମର୍ମ କଲେ । ୫ ଦିନ ଗଲେ ଘଟଣାକୁ ମାସେ ପୂରିବ । ମାତ୍ର ଏ ପର୍ଯ୍ୟନ୍ତ ଗିରଫ ହୋଇପାରିଲେନି ଦୁବୃର୍ତ୍ତ । ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ହଲାପଟା ଭିତରେ ତଦନ୍ତକାରୀ ସ୍ୱତନ୍ତ୍ର ପୁଲିସ ଟିମ୍ ର ହାତ ବାନ୍ଧି ହୋଇଯାଇଛି । ସାଧାରଣ ଜନତାଙ୍କ କ୍ଷୋଭ ଓ ବିରୋଧୀ ରାଜନୈତିକ ଶିବିରର କମ୍ପନ ସରକାରଙ୍କ ନିଦ ହଜାଇପାରିନି । ସାମାଜିକ ଦାୟିତ୍ୱ ଓ ମାନବିକତାକୁ ସତେ ଯେମିତି ଆଖି ବୁଜିଦେଇଛନ୍ତି ସରକାର ଓ ସରକାରୀ କଳ । ୨୦୧୨ ରେ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମଠାରୁ କୁନ୍ଦୁଲି ଗଣଦୁଷ୍କର୍ମ କୌଣସି ଗୁଣରେ କମ୍ ନୁହେଁ । ନିର୍ଭୟାଠାରୁ ବରଂ ଏହା ଭୟଙ୍କର, ପାଶବିକ କହିଲେ ଭୁଲ୍ ହେବନି । ମାତ୍ର ସରକାର ନିଜେ ଫସିଯିବା ଭୟରେ ଦୁଷ୍କର୍ମକାରୀ ଜନ୍ତୁଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଥିବା ସାଂଘାତିକ ଅଭିଯୋଗ ହୋଇଛି ।
ସରକାରୀ ଦଳର ଦଳିତ ସେଲ୍ ଆବାହକ ବିଷ୍ଣୁ ଦାସଙ୍କ ବୟାନରୁ ସତ କ’ଣ ଧରାପଡ଼ିଯାଉଛି । ବିଷ୍ଣୁ ଭୁବନେଶ୍ୱରରେ ବସି ବୟାନ ଦେଇନାହାନ୍ତି । ଦଳିତ ସେଲ୍ ର ୫ ଜଣିଆ ତଦନ୍ତ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ତଦନ୍ତରୁ ଯାହା ହୃଦବୋଧ କଲେ ସେୟା ହିଁ କହିଛନ୍ତି । ବିଷ୍ଣୁଙ୍କ କହିବା କଥା, କୁନ୍ଦୁଲି ଗଣଦୁଷ୍କର୍ମ କେବଳ ଏସଓଜି ଯବାନଙ୍କ ଦ୍ୱାରା ଘଟିଛି । କହିବା ବାହୁଲ୍ୟ, ଏସଓଜି ଜବାନ ହେଉଛନ୍ତି ରାଜ୍ୟ ପୁଲିସର ଅଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ ସେମାନଙ୍କ ହର୍ତ୍ତାକର୍ତ୍ତା । ଅବଶ୍ୟ କାଗଜକଲମରେ ସେ ବିଏସଏଫ ଓ କୋବ୍ରା ଯବାନଙ୍କ ସଂପୃକ୍ତି କଥା ଉଲ୍ଲେଖ କରିଛନ୍ତି । ହୋଇପାରେ, ନିଜ ସରକାର ଉପରୁ ଦୋଷ ଖସାଇବା ପାଇଁ କାଗଜପତ୍ରରେ ସେ କେନ୍ଦ୍ର ସରକାରଙ୍କ ସୁରକ୍ଷା ବାହିନୀ ଆଡକୁ କାତ ପେଲିଛନ୍ତି । ହେଲେ ପାଟି ତାଙ୍କର ବୋଲ ମାନିନି । ପଛରେ ଯେତେ ଛେପ ଢ଼ୋକିଲେ ମଧ୍ୟ ଆଗ ନିଜର ହୃଦବୋଧ ତାଙ୍କ ହୃଦୟ ଭିତରୁ ବାହାରିଆସିଛି ।
ଅକ୍ଟୋବର ୧୦ ତାରିଖ ସକାଳେ କୁନ୍ଦୁଲି ବଜାରରୁ ନିଜ ଘର ମୁସାଗୁଡ଼ାକୁ ଏକୁଟିଆ ଫେରୁଥିଲା ବେଳେ ମାରିମାର୍ଲା ଘାଟି ରାସ୍ତାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ୟୁନିଫର୍ମ ପୋଷାକଧାରୀ ଓ ମୁହଁରେ ମୁଖା ଗୁଡ଼ାଇଥିବା ୪ ସୁରକ୍ଷାକର୍ମୀ ତାଙ୍କୁ ପାଖ ଘଞ୍ଚ ଜଙ୍ଗଲ ମଧ୍ୟକୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । କ୍ଷତାକ୍ତ ନାବାଳିକା ସେମାନଙ୍କ କବଳରୁ ଜୀବନ ଧରି ଫେରିଥିଲେ ମଧ୍ୟ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରିଥିଲେ । ଏବେ ସେ ଘରକୁ ଫେରିଛନ୍ତି, ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ମଝିରେ ମଝିରେ ତାଙ୍କର ଭୀଷଣ ପେଟବ୍ୟଥା ହେଉଛି । ଏହି ବିଭତ୍ସ କାଣ୍ଡ ପଛରେ ପୀଡ଼ିତାଙ୍କ ପରିବାର ଓ ଗାଁ ଲୋକେ ମାଓ ଦମନରେ ନିୟୋଜିତ ଯବାନଙ୍କ ନାଁ ନେଇଛନ୍ତି । ମାତ୍ର ସ୍ଥାନୀୟ ପୁଲିସଠାରୁ ଆରମ୍ଭ କରି ଡିଜିଙ୍କ ପର୍ଯ୍ୟନ୍ତ କାହାରି ମନକୁ ତାହା ପାଉନାହିଁ । ଓଡ଼ିଶା ପୁଲିସର ଯବାନଙ୍କ ନାଁ ଘୋଡାଇବା ପାଇଁ ବରଂ ରୀତିମତ୍ କସରତ୍ ଚାଲିଛି । ଘଟଣା ପରେ ପରେ କୋରାପୁଟ ଡିଆଇଜି ସେହି ଇଲାକାରେ ଯବାନଙ୍କ ଉପସ୍ଥିତିକୁ ଅସ୍ୱୀକାର କରିଥିଲେ । ବିଏସଏଫ ଡିଆଇଜି ବି ସେହି ଇଲାକାରେ ବିଏସଏଫ ଯବାନ ମୁତୟନ ନ ଥିବା ସଫେଇ ଦେଇଥିଲେ । ଘଟଣାସ୍ଥଳରୁ ୩୫ କିମି ଦୂରରେ ବିଏସଏଫ ଯବାନ ମୁତୟନ ରହିଥିବା କହି ଦୋଷ ଛଡ଼ାଇଥିଲେ ।
ଏସଓଜି ଯବାନ କି ବିଏସଏଫ୍,କୋବ୍ରା ଯବାନଙ୍କର ଗଣଦୁଷ୍କର୍ମ ମାମଲାରେ ଯଦି ସଂପୃକ୍ତି ନାହିଁ ତେବେ କେଉଁ ସୁରକ୍ଷାକର୍ମୀ ଏହି ପୈଶାଚିକ କାର୍ଯ୍ୟ କରିଛନ୍ତି ? ରାଜ୍ୟ ପୁଲିସ ଯଦି ଏତେ ପାରଙ୍ଗମ ତେବେ ଦୋଷୀଙ୍କୁ ଗିରଫ କରିପାରୁନାହିଁ କାହିଁକି ? ନିଜକୁ ଦୋଷମୁକ୍ତ କରି ସରକାରଙ୍କ ଉପରୁ ବଦନାମ ହଟାଇବାର ପ୍ରୟାସରେ ରାଜ୍ୟ ପୁଲିସ କାମ କରୁନ ତ ? ଏହିସବୁ ପ୍ରଶ୍ନର ଉତ୍ତର ରାଜ୍ୟ ସରକାର ଦେବାକୁ ବାଧ୍ୟ । ରାଜନୀତି ରାଜନୀତି ବାଟରେ ଯାଉ । ହେଲେ ଜଣେ ସ୍କୁଲ ଛାତ୍ରୀଙ୍କ ଗଣଦୁଷ୍କର୍ମକାରୀଙ୍କୁ ସରକାର ଘଣ୍ଟ ଘୋଡ଼ାଇ ହୀନ ରାଜନୀତି ନ କରନ୍ତୁ । ଦୋଷୀ ଯିଏ ବି ହୁଅନ୍ତୁ ଗିରଫ ହୋଇ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଆନ୍ତୁ । ଏହାକୁ ତଦାରଖ କରିବା ସରକାରଙ୍କ ଦାୟିତ୍ୱ, କର୍ତ୍ତବ୍ୟ । କିନ୍ତୁ ସରକାରଙ୍କ ନିରବତା ଆଜି ଜନମାନସରେ ସରକାରଙ୍କୁ ଭିଲିଆନ୍ କରିଦେଇଛି । ଏହା କେବଳ ଘୃଣ୍ୟ ନୁହେଁ, ଅକ୍ଷମଣୀୟ । ବିଳମ୍ବ ହୋଇଥିଲେ ମଧ୍ୟ ସରକାର ନ ଚେତିଲେ କୁନ୍ଦୁଲି ପୀଡ଼ିତାଙ୍କ ଆଖିର ଲୁହ ପଡ଼ିବ । ସରକାର କେବେ ଚେତୁଛନ୍ତି ଦେଖିବାର କଥା ।