ଭୁବନେଶ୍ୱର: ବରଗଡ଼ ସଦର ବ୍ଲକ୍ କଳାପାଣି ଗ୍ରାମର ଭାଗଚାଷୀ ବୃନ୍ଦା ସାହୁ ତାଙ୍କ ବିଲରେ ବିଷ ପିଇ ମୃତ୍ୟୁବରଣ କରିଥିବା ଖବର ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହେଲେ ସେ ନିଜଆଡୁ ବିଷ ପିଇଥିଲେ ନା ତାଙ୍କୁ ବିଷ ପିଆଇବାକୁ ପ୍ରବର୍ତ୍ତାଯାଇଥିଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ପୂର୍ବଦିନ ସେ ତାଙ୍କ ଫସଲହାନୀ ବିଲରେ ନିଆଁ ଲଗାଇଥିଲେ । ସ୍ଥାନୀୟ ବିଧାୟକ, ତହସିଲଦାର ଓ କୃଷି ଅଧିକାରୀ ସେଠାକୁ ଯାଇ ତାଙ୍କୁ ଆଶ୍ୱାସନା ଦେଇଥିଲେ । ସରକାରୀ ସାହାଯ୍ୟର ପ୍ରତିଶ୍ରୁତି ଦେଇଥିଲେ । ହେଲେ ପରଦିନ ଏମିତି କ’ଣ ହେଲା ଯେ ଗାଁର ପାଖାପାଖି ୧୦୦ ଲୋକଙ୍କ ଉପସ୍ଥିତିରେ ସେ ବିଷ(କୀଟନାଶକ ଔଷଧ) ପିଇଦେଲେ ? ତାହାପୁଣି ଟିଭି କ୍ୟାମେରା ସାମନାରେ ।
ଆମେ ଏଠାରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଗ୍ରାମବାସୀଙ୍କ ବୟାନ ଉପସ୍ଥାପନ କରୁଛୁ । ‘ କାଲି(ମଙ୍ଗଳବାର) ବୃନ୍ଦା ତାଙ୍କ ୭ ଏକର ଭାଗଚାଷ ବିଲରେ ଜୁଇ ଲଗାଇଦେଲା ପରେ ଏମଏଲଏ, ତହସିଲଦାର ଆସି ବୁଝାଇଥିଲେ । ଆଜି ଓଟିଭି ବାଲା ଗାଁ କୁ ଆସିଥିଲେ । ବୃନ୍ଦାଙ୍କୁ ଡକାଇଥିଲେ । ମାତ୍ର ସେ ମନା କଲେ ଆସିବାକୁ । କହିଲେ, ମୁଁ ଗଲେ କ’ଣ କରିବି ?? ମୁଁ ତ ଭାଗ ଧରିଛି, ମତେ କ’ଣ ମିଳିବ ? ତେବେ ଆମେ(ଗାଁ ଲୋକ) ବୁଝାଇଲା ପରେ ସେ ବିଲକୁ ଆସିଲେ । ସେତେବେଳେ ଆମେ ୫୦/୧୦୦ ଲୋକ ସେହି ଚକଡ଼ା ଜମି ଉପରେ ଥିଲୁ । ହଠାତ୍ ବୃନ୍ଦା ଝାଡ଼ା ଯିବା ନାଁ କହି ବିଷ ଔଷଧ ଖାଇଦେଲେ । ଓଟିଭି ବାଲା ତାଙ୍କୁ ଗାଡ଼ିରେ ବସେଇ ଡାକ୍ତରଖାନା ନେଲେ ।’
ଗ୍ରାମବାସୀଙ୍କ ବୟାନ କଥା ଛାଡ଼ନ୍ତୁ । ଗତକାଲି ଓଟିଭି ଖୋଲିଥିବା ଲୋକେ ବି ବୃନ୍ଦା ସୁଇସାଇଡ୍ ର ଆଶିଂକ ଲାଇଭ୍ ଦେଖିପାରିଥିବେ । ଓଟିଭି ରିପୋର୍ଟର ପୋଡ଼ା କ୍ଷେତରେ ଲୋକଙ୍କୁ ମେଳାଇ ଲାଇଭ୍ କରୁଥିଲେ । ସେହି ଭିତରେ ବୃନ୍ଦା ପହଞ୍ଚିଥିଲେ । ତାପରେ ଟିଭିରେ ବ୍ରେକ୍ ହୋଇଗଲା । ଆଉ ବ୍ରେକ୍ ପରେ ରିପୋର୍ଟର ଚିଲୋଉଥିଲେ.. ବୃନ୍ଦା ବିଷ ପିଇଦେଇଛନ୍ତି । ଏଇମାତ୍ର ଦୁଇ ମିନିଟ୍ ଆଗରୁ ସେ ବିଷ ପିଇଦେଲେ । ଆମ ଗାଡ଼ିରେ ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ୍ତରଖାନା ପଠାଇଲୁ । ଆସନ୍ତୁ ଶୁଣିବା କ’ଣ କହୁଛନ୍ତି ଗ୍ରାମବାସୀ… ।
ଓଟିଭି ଲାଇଭ୍ ଓ ଗ୍ରାମବାସୀଙ୍କ ବୟାନ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ ବୃନ୍ଦାଙ୍କୁ ଲାଇଭ୍ ରେ ଛିଡ଼ା କରାଇ ତାଙ୍କ କଥା ଲୋକଙ୍କୁ ଶୁଣାଇବା ପାଇଁ ଆରେଂଜ କରାଯାଇଥିଲା । ପୂର୍ବଦିନ ସେହି ଓଟିଭି ମଧ୍ୟ ବୃନ୍ଦାର ଚକଡ଼ା ପୋକ ଲାଗିଥିବା ଜମିରେ ଜୁଇ ଲାଗିବା ଦୃଶ୍ୟର ଲାଇଭ୍ କଭରେଜ୍ କରିଥିଲା । କାଲି ଫଲୋ ଅପ୍ ଷ୍ଟୋରି ପାଇଁ ଯାଇଥିଲା । ସେଥିପାଇଁ ସୁନ୍ଦର ଆରେଂଜମେଣ୍ଟ ବି କରାଯାଇଥିଲା । ୫୦ରୁ ୧୦୦ ଲୋକଙ୍କ ଭିତରେ ବୃନ୍ଦା ବି ଥିଲେ। ହେଲେ ଅତି ରହସ୍ୟଜନକ ଭାବେ ବୃନ୍ଦା କୀଟନାଶକ ଔଷଧ ପିଇଦେଲେ । କେହି ତାଙ୍କୁ ଅଟକାଇପାରିଲେନି ।
ସୋସିଆଲ୍ ମିଡ଼ିଆରେ କିଛି ବୁଦ୍ଧୀଜୀବୀ ଏହା ଉପରେ ବିଭିନ୍ନ ପ୍ରଶ୍ନ ରଖିଛନ୍ତି । ଜଣେ ଆତ୍ମହତ୍ୟାପ୍ରବଣ ଲୋକ ଟିଭି ଓ ଶହେ ଗାଁ ଲୋକଙ୍କ ଉପସ୍ଥିତିରେ କେମିତି ବିଷ ପିଇବାକୁ ମନସ୍ଥ କରିବେ ? ଯଦି ସେ ଆତ୍ମହତ୍ୟା କରିବେ ବୋଲି ପ୍ରସ୍ତୁତ ହୋଇ ଆସିଥିଲେ ତାଙ୍କୁ କେମିତି କେହି ଅଟକାଇପାରିଲେନି ? ପୂର୍ବଦିନ ସରକାରୀ ଶାନ୍ତ୍ୱନା ପାଇଥିବା ଲୋକ ହଠାତ୍ ଜୀବନହାନି କରିବାକୁ ଚାହିଁବେ କାହିଁକି ? ଟିଭି ଆଗରେ ଛିଡ଼ା ହୋଇଥିବା ଲୋକର ହଠାତ୍ ବିଷ ପିଇବାକୁ ମନ ଯିବ କେମିତି ? କିଛି ଲୋକଙ୍କର ଆଶଙ୍କା ଯେ ଟିଭିରେ ଦମଦାର୍ ନିଉଜ୍ କରିବାକୁ ଆତ୍ମହତ୍ୟା ଉଦ୍ୟମର ପ୍ଲଟିଂ ହୋଇନି ତ ? ହୋଇପାରେ, ବିଷ ବୋତଲ ଧରି ମିଛିମିଛିକା ଆତ୍ମହତ୍ୟା ଉଦ୍ୟମ କରୁ କରୁ ବୃନ୍ଦା ସତରେ ବୋତଲ ଟେକିଦେଲେ । ଏହା ଉପରେ ବିଧିବଦ୍ଧ ତଦନ୍ତ କରି ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ପାଇଁ ବିଭିନ୍ନସ୍ତରରୁ ଦାବି ହେଲାଣି । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ ଧରି କିଛି ସାମାଜିକ କର୍ମୀ ଓଟିଭି ବିରୋଧରେ ଥାନାରେ ଏତଲା ଦେବାକୁ ସଜବାଜ ହେଲେଣି ।
ଚକଡ଼ା ପୋକରେ କ୍ଷତିଗ୍ରସ୍ତ ଫସଲ ପାଇଁ ବୃନ୍ଦା ଜୀବନ ହାରିବା ଭାବେ ବଡ଼ ଦୁଃଖଦାୟକ ଘଟଣା । ଏଭଳି ଘଟଣା ପାଇଁ ସରକାରୀ ଅବହେଳା ନିଶ୍ଚିତ ନିନ୍ଦନୀୟ । ଋଣଗ୍ରସ୍ତ ବୃନ୍ଦା ମାନସିକ ଭାରାକ୍ରାନ୍ତ ଥିଲେ । ଜୀବନ ପ୍ରତି ତାଙ୍କର ବୀତସ୍ପୃହ ଓ ଅତିଷ୍ଠ ଭାବ ଆସିଥିଲା । ମାତ୍ର ତାଙ୍କୁ ଶାନ୍ୱନା ଜଣାଇ ଜୀବନହାନିରୁ ରକ୍ଷା କରିବା ଏକ ସାମାଜିକ ଦାୟିତ୍ୱ । ସରକାରୀ କର୍ମଚାରୀ ହୁଅନ୍ତୁ କି ବେସରକାରୀ ଲୋକ ହୁଅନ୍ତୁ ବୃନ୍ଦାଙ୍କୁ ଆତ୍ମହତ୍ୟାରୁ ନିବୃତ୍ତ କରାଇବାର ଦାୟିତ୍ୱ ଥିଲା । ମାତ୍ର ଏହା ହୋଇପାରିନାହିଁ । ଯଦି ଟିଆରପି ଚକ୍କରରେ ଏଭଳି ଘୃଣ୍ୟ କାର୍ଯ୍ୟକୁ ପ୍ରଶୟ ଦିଆଯାଇଥାଏ ତେବେ ତାହା ସାଂଘାତିକ ବୋଲି କୁହାଯାଉଛି ।
ପ୍ରାୟ ୫୦୦୦ ବର୍ଷ ତଳେ ଧାନ ଚାଷ ଓଡିଶାରୁ ଆରମ୍ଭ ହୋଇ ସାରା ବିଶ୍ବକୁ ବ୍ୟାପିଥିଲା । ଆଜି କିନ୍ତୁ ଆମ ଚାଷୀ ତା ଉଜୁଡ଼ା କ୍ଷେତକୁ ଦେଖି ଆତ୍ମହତ୍ୟା କରୁଛି । ରାଜ୍ୟରେ ଧାନ ଚାଷ , ବିଭିନ୍ନ କିସମ ଉଦ୍ଭାବନ, ଉନ୍ନତ ବିହନ , ସାର ପ୍ରୟୋଗ , ଅଧିକ ଉତ୍ପାଦନ ନିମନ୍ତେ ଗବେଷଣା ପାଇଁ ICAR, OUAT, ସ୍ବାମିନାଥନଙ୍କ ଧାନ ଗବେଷଣାଗାର ଆଦି ଅଛି, ଭଲ ଗବେଷଣା ବି ହେଉଛି ; ମାତ୍ର ଗବେଷଣାର ସୁଫଳ ପରୀକ୍ଷାଗାରରୁ କ୍ଷେତ ଯାଏଁ ପହଞ୍ଚି ପାରୁନାହିଁ !! ସରକାରଙ୍କ କୃଷି ନୀତି ବି ଚାଷୀକୁ ସୁହାଇଲା ପରି ହେଉନି !ଋଣ ଭାରରେ ଦଵିଯାଉଛି ଚାଷୀ !
ଏଭଳି ସ୍ଥିତିରେ ଆମକୁ ଅନେକ ସତର୍କତାର ସହ ଖବର ପରିବେଷଣର ଆଵଶ୍ୟକତା ଅଛି । କାହା ଜୀବନ ସହ ଖେଳିବାକୁ ଆମକୁ କେହି ଅଧିକାର ଦେଇନାହାଁନ୍ତି । ଯାହା ସତ ତାକୁ ମଧ୍ୟ ଦେଖାଇବାରେ କେହି ପ୍ରତିବନ୍ଧକ ହେବା ଉଚିତ୍ ନୁହେଁ । କିନ୍ତୁ ଆମ ଭାଇମାନେ ମନେ ରଖିବା ଉଚିତ୍ ଯେ ନିଜ କର୍ତ୍ତବ୍ୟଠୁ ଅନ୍ୟର ଜୀବନର ମୂଲ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ । “ଗଜପତି- ଘଟଣା “ଆଉଥରେ ନଦୋହରାଯାଉ ।