ବ୍ରହ୍ମପୁର: ଦିନ ୧.୧୦ରୁ ୨.୦୦ ଏବଂ ୫.୨୦ରୁ ୭.୩୦ । ଦୁଇଟି ପର୍ଯ୍ୟାୟରେ ଆଜି ୩ ଘଣ୍ଟାର ଜେରା ହୋଇଥିଲା ଗୋଲକ ମହାପାତ୍ରଙ୍କୁ । ଛତ୍ରପୁର ଥାନାରେ ଜେରା କରିଥିଲେ ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର ଏବଂ ଅଜୟ ପ୍ରତାପ ସ୍ୱାଇଁ, ଏସଡ଼ିପିଓ ରମେଶ ଚନ୍ଦ୍ର ସେଠୀ ଓ ଆଇଆଇସି ବିଷ୍ଣୁପ୍ରସାଦ । ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ଗଂଜାମ ଏସପିଙ୍କୁ ବର୍ଦ୍ଦି ଓହ୍ଲାଇବାକୁ ଆହ୍ୱାନ ଦେଉଥିବା ଗୋଲକ ଆଜି ଥାନାକୁ ପଶୁ ପଶୁ ସମ୍ପୂର୍ଣ୍ଣ ନର୍ଭସ୍ ହୋଇଯାଇଥିଲେ । ଦେହ ଖରାପର ବାହାନା କରିଥିଲେ । ପୁଲିସ ବି ତାଙ୍କୁ ବଳପୂର୍ବକ ଅଧିକ ପଚରାଉଚୁରା ନ କରି ଲଞ୍ଚ ପାଇଁ ଛାଡ଼ିଦେଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ, ଲକ୍ଷ୍ମୀଦତ୍ତ ହତ୍ୟାର ମାଷ୍ଟରମାଇଣ୍ଡ୍ କୃଷ୍ଣ ନାୟକଙ୍କ ସହ ତାଙ୍କର ସମ୍ପର୍କ, ଟେଲିଫୋନ୍ କଲ୍ ଆଦି ନେଇ ପୁଲିସ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ । ମାତ୍ର ଅଧିକାଂଶ ପ୍ରଶ୍ନରେ ନିରବ ରହିଥିଲେ ଗୋଲକ । ପୁଲିସକୁ ସାମନା କରିବାକୁ ତାଙ୍କର ଦମ୍ଭ ପାଇ ନ ଥିଲା । ତେବେ ଏତିକିରେ ଜେରା ସରିନାହିଁ । ଖୁବ୍ ଶୀଘ୍ର ତାଙ୍କୁ ପୁଣି ଜେରା ପାଇଁ ଡକାଯିବ । ୬ ଦିନିଆ ପୁଲିସ ରିମାଣ୍ଡରେ ଥିବା କୃଷ୍ଣ ଓ ଦୁର୍ଯୋଧନଙ୍କ ସହ ଗୋଲକଙ୍କୁ ବସାଇ ସାମନା ସାମନି ଜେରା କରାଯିବ ବୋଲି ସୂଚନା ମିଳିଛି ।
ଗୋଲକଙ୍କୁ ପୁଲିସ ଜେରା ବିଜେପିକୁ ଅଡୁଆରେ ପକାଇଥିଲେ ମଧ୍ୟ ନେତାଙ୍କ ମୁହଁତୋଡ଼ ଭାଙ୍ଗିନାହିଁ । ଭୁବନେଶ୍ୱରରୁ ଛତ୍ରପୁରକୁ ଗୋଲକ ୪୦ ଜଣିଆ ପଲଟନରେ ଯିବା ଏବଂ ଛତ୍ରପୁରରେ ଗେଣ୍ଡୁ ଫୁଲମାଳ ପିନ୍ଧି ଥାନା ପର୍ଯ୍ୟନ୍ତ ଯିବା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି । କେହି କେହି ତାଙ୍କୁ ‘ସିଂହମ୍’ ଫିଲ୍ମର ଜୟକାର ସିକ୍ରେ ଚରିତ୍ର ଭାବେ ଆକ୍ଷେପ କରିଛନ୍ତି । ଗୋଲକଙ୍କ ଶୋଭାଯାତ୍ରା ଦେଖିଲା ପରେ ଲାଗୁଥିଲା ସତେ ଯେପରି ସେ ନିର୍ବାଚନ ଜିଣି ବିଜୟ ଉତ୍ସବ ପାଳନ କରୁଛନ୍ତି । ତାଙ୍କ ସହ ଭୁବନେଶ୍ୱରରୁ ପଲଟନରେ ଯାଇଥିବା ନେତାଙ୍କ ମୁହଁଫୁଟାଣି ବି ଆହୁରି ବଳିଯାଇଥିଲା । ତିନି ତିନି ଜଣ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସମୀର ଦେ ଓ ସୁରମା ପାଢ଼ୀ ଛତ୍ରପୁରରେ ଗୋଲକଙ୍କ ଦୁଇପଟେ ରହି ଥାନା ପର୍ଯ୍ୟନ୍ତ ତାଙ୍କୁ କର୍ଡନରେ ନେଉଥିବା ଦେଖିବାକୁ ମିଳିଥିଲା । ଅବଶ୍ୟ ଏମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିମ୍ ର କୋର୍ ସଭ୍ୟ ନ ହେଲେ ମଧ୍ୟ ବାଧ୍ୟବାଧକତାରେ ସେଠାକୁ ଯାଇଥିବା କୁହାଯାଉଛି । ଧର୍ମେନ୍ଦ୍ରଙ୍କ କୋର୍ ଟିମ୍ ଭାବେ ଜଣାଶୁଣା ସଜ୍ଜନ ଶର୍ମା, ସମୀର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର ଗୋଲକଙ୍କ ପଲଟନରେ ସାମିଲ ନ ଥିଲେ । ଭୁବନେଶ୍ୱରରେ ରହି ଗଡ଼ ସମ୍ଭାଳିବା ଦାୟିତ୍ୱ ସେମାନଙ୍କୁ ଦିଆଯାଇଥିଲା ନା ଗୋଲକଙ୍କ ହାତଛାଡ଼ିବାକୁ ଉପରୁ ଇଙ୍ଗିତ ଆସିଥିଲା ତାହା ଏବେ ଚର୍ଚ୍ଚାରେ । ଅପରାହ୍ନରେ ସଜ୍ଜନ, ସମୀର ଓ ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀ କରିଥିଲେ ମଧ୍ୟ ଗୋଲକଙ୍କ ପ୍ରସଙ୍ଗ ଗୌଣ ରହିଥିଲା । ଗତ ତିନିଦିନ ଧରି ଗୋଲକଙ୍କ ସପକ୍ଷରେ ଚାଲିଥିବା ପ୍ରେସ୍ ମିଟ୍ ର ମାହୋଲ ନ ଥିଲା ।
ପୁଲିସ ଇଙ୍ଗିତ କହୁଛି, ଗୋଲକଙ୍କ ପାଇଁ ଆଗକୁ ବିପଦ ମାଡ଼ିଆସୁଛି । କୃଷ୍ଣ ନାୟକଙ୍କ ସହ ସମ୍ପର୍କ ନେଇ ତାଙ୍କଠାରୁ ପୁଲିସ ସବୁ ତଥ୍ୟ ଉଗାଳିବାକୁ ପ୍ରସ୍ତୁତ ହୋଇଛି । ଆଇନଜୀବୀଙ୍କ ମତରେ ପୁଲିସ କୃଷ୍ଣର ଅପରାଧୀ କାର୍ଯ୍ୟକଳାପ ସହ ଗୋଲକଙ୍କ ସହଯୋଗ ଲିଙ୍କ୍ ପାଇଗଲେ ତାଙ୍କୁ ନିଶ୍ଚିତ ଗିରଫ କରିବ । ଏ କ୍ଷେତ୍ରରେ ୨୧୨ ଦଫା ତାଙ୍କ ପାଇଁ ପ୍ରଯୁଜ୍ୟ ହୋଇପାରେ । ୨୧୬ ଏବଂ ୧୦୯ ଦଫାରେ ବି ତାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ । ଏହି ଦଫାରେ ଦୋଷୀ ସାବ୍ୟସ୍ତ ହେଲେ ଦୋଷୀଙ୍କୁ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି ।






