ଭୁବନେଶ୍ୱର: ଛତ୍ରପୁର ପୁଲିସରେ ହାଜିରା ଦେବା ପାଇଁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସକାଳେ ଭୁବନେଶ୍ୱର ଛାଡ଼ିଛନ୍ତି । ତେବେ ସେ ଏକା ଯାଇନାହାନ୍ତି । ସାଙ୍ଗରେ ବିଜେପିର ୪୦ ଜଣିଆ ପଲଟନ ଯାଇଛନ୍ତି । ସେଥିରେ ସମୀର ଦେ, ସୁରମା ପାଢ଼ୀଙ୍କ ଭଳି ଦଳର ବରିଷ୍ଠ ନେତୃମଣ୍ଡଳୀ ସାମିଲ ହୋଇଛନ୍ତି । ଗୋଲକଙ୍କ ବଡ଼ିଗାର୍ଡ ଭଳି ସେମାନେ ଆଗପଛ ହୋଇ କ୍ୟୁ କରିଛନ୍ତି । ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ମର୍ଡର କେସ୍ ର ଅଭିଯୁକ୍ତ ତାଲିକାରେ ନାଁ ଚଢ଼ିଥିବା ଗୋଲକଙ୍କୁ ସେମାନେ ନୈତିକ ସମର୍ଥନ ଦେଉଥିବା ଘୋଷଣା କରିଛନ୍ତି । ଖାଲି ଭୁବନେଶ୍ୱର ନୁହେଁ, ଛତ୍ରପୁରରେ ବି ବିଜେପି କର୍ମୀଙ୍କୁ ମେଳି କରାଯାଇଛି । ଗୋଲକଙ୍କ ସପକ୍ଷରେ ନାରାବାଜି କରିବାକୁ ସେମାନଙ୍କୁ ପ୍ରସ୍ତୁତ ରଖାଯାଇଛି ।
ଗୋଲକଙ୍କୁ ପୁଲିସ ପଚରାଉଚୁରା କରିବ । ୧୬୧ ବୟାନ ରେକର୍ଡ କରିବ । ପୁଲିସକୁ ସେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଗୋଲକ କହିଛନ୍ତି । ତେବେ ପୁଲିସ ଡକରା ପାଇଥିବା ଜଣେ ଅଭିଯୁକ୍ତଙ୍କୁ ନୈତିକ ସମର୍ଥନ ପାଇଁ ବିଜେପିର ସମରସଜ୍ଜା ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ଉପରେ ଚାପ ସୃଷ୍ଟି କରିବା ପାଇଁ ଏହା ଉଦ୍ଦିଷ୍ଟ ନା ଅନ୍ୟ କିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସେପଟେ ଗୋଲକଙ୍କ ଗିରଫ ଦାବିରେ ସକାଳେ ବିଜେଡ଼ି ପକ୍ଷରୁ ଛତ୍ରପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଥାନା ଆଗରେ ଧାରଣା ଦିଆଯାଇଛି । ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ନେତୃତ୍ୱରେ ଏକ ବିରାଟ ରାଲି ସହର ପରିକ୍ରମା କରିବା ପରେ ଗୋଲକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଗତକାଲି ବିଜେଡ଼ି ପକ୍ଷରୁ ଦକ୍ଷିଣାଞ୍ଚଳ ଆଇଜିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦାବି ଥିଲା ଗୋଲକଙ୍କ ଗିରଫ । ସୁତରାଂ ବିଜେଡ଼ି ମଧ୍ୟ ଲକ୍ଷ୍ମୀ ମର୍ଡର ମାମଲାରୁ ଫାଇଦା ନେବା ପାଇଁ ଉଦ୍ୟମ ଜାରି ରଖିଛି । ପୁଲିସ ଗୋଲକଙ୍କୁ ସମନ୍ ଜାରି କରିବା, ଗୋଲକ ୪୦ ଜଣିଆ ପଲଟନ୍ ଧରି ଭୁବନେଶ୍ୱରରୁ ଛତ୍ରପୁର ଯିବା, ଛତ୍ରପୁରରେ ଗୋଲକଙ୍କ ଗିରଫ ଦାବିରେ ବିଜେଡ଼ି ବିକ୍ଷୋଭ କରିବା ଆଦି ଘଟଣା ଲକ୍ଷ୍ମୀ ମର୍ଡର କେସ୍ ର ରାଜନୀତିକରଣ କରିଦେଇଛି । ବିଜେପି ପଲଟନ୍ ଧରି ଯାଇଥିବାରୁ ସେଠାରେ ବିଜେଡ଼ି କର୍ମୀଙ୍କ ସହ ମୁହାଁମୁହିଁ ଆଶଙ୍କା ସୃଷ୍ଟି ହୋଇଛି ।