ବ୍ରହ୍ମପୁର: ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଆଜି ରାତିରେ ଛତ୍ରପୁର ପୁଲିସ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଆସନ୍ତାକାଲି ଥାନାରେ ହାଜର ପାଇଁ ତାଙ୍କୁ କୁହାଯାଇଛି । ଲକ୍ଷ୍ମୀଦତ୍ତ ମର୍ଡର କେସ୍ ର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣ ଓ ଦୁର୍ଯୋଧନଙ୍କ ସହ ସମ୍ପର୍କ ନେଇ ପୁଲିସ ପଚରାଉଚୁରା କରିବ ବୋଲି ସୂଚନା ମିଳିଛି । ଗୋଲକଙ୍କୁ ପୁଲିସର ହାଜିରା ନୋଟିସ୍ ପରେ ବିଜେପି ରାଜନୀତି ଅଧିକ ଚଳଚଂଚଳ ହୋଇଛି । ଗୋଲକଙ୍କ ହାଜିରା ପରିପ୍ରେକ୍ଷୀରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କ ସମର୍ଥନରେ ବିଶେଷ ଆୟୋଜନ କରାଯାଇଛି ।
ସୂଚନାଯୋଗ୍ୟ, ଲକ୍ଷ୍ମୀ ମର୍ଡର ପରେ କୃଷ୍ଣ ଓ ଦୁର୍ଯୋଧନଙ୍କୁ ଲୁଚାଇ ରଖିବାରେ ଗୋଲକ ସହଯୋଗ କରିଥିବା ଅଭିଯୋଗ ହୋଇଛି । ନିଜେ କୃଷ୍ଣ ଓ ଦୁର୍ଯୋଧନ ଏକ ଭିଡ଼ିଓ ବୟାନରେ ଏକଥା କହିଛନ୍ତି । କଟକରୁ କୋଲକତା ଓ କୋଲକତାରୁ ଉତ୍ତରାଖଣ୍ଡ ଗେଷ୍ଟ ହାଉସ୍ ପଳାଇବା ପଛରେ ଗୋଲକ ଭାଇନାଙ୍କ ସହଯୋଗ ଥିଲା ବୋଲି କହିଛନ୍ତି । ଖାଲି ସେତିକି ନୁହେଁ, ଗୋଲକ ଓ କୃଷ୍ଣଙ୍କ ମଧ୍ୟରେ ଟେଲିଫୋନ୍ କଥାବାର୍ତ୍ତାର ଏକ କଲ୍ ରେକର୍ଡ ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ସେଥିରେ ଲକ୍ଷ୍ମୀ ମର୍ଡର ପୂର୍ବଦିନ ସେପ୍ଟେମ୍ବର ୧୫ ତାରିଖରେ ଓ ମର୍ଡର ଦିନ ଓ ପରଦିନ କୃଷ୍ଣ ଏବଂ ଗୋଲକଙ୍କ ମଧ୍ୟରେ ଏକାଧିକ ଥର କଥାବାର୍ତ୍ତା ହୋଇଛି । ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨୨ ମଧ୍ୟରେ ଉଭୟ ମୋବାଇଲ୍ ରେ ୨୬ ଥର କଥା ହୋଇଛନ୍ତି । ଉକ୍ତ କଲ୍ ରେକର୍ଡ ଜାଲ୍ ବୋଲି ଗୋଲକ ଓ ତାଙ୍କ ଦଳ ଅଭିଯୋଗ କରିଛନ୍ତି । ଗଂଜାମ ଏସପି ଆଶିଷ ସିଂଙ୍କୁ ସେମାନେ ସିଧାସଳଖ ଟାର୍ଗେଟ୍ କରିଛନ୍ତି ।
ସେ ନିର୍ଦୋଷ ଏବଂ ପୁଲିସ ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର କରୁଛି ବୋଲି ଗୋଲକ ପ୍ରେସମିଟ୍ କରି ଦମ୍ଭ ଦେଖାଇଥିଲେ । ତାଙ୍କର ଦଳର ନେତା ଓ ନେତ୍ରୀ ମଧ୍ୟ ଗୋଲକଙ୍କ ପକ୍ଷ ନେଇ ଗଂଜାମ ଏସପିଙ୍କୁ ଟାର୍ଗେଟ୍ କରିଥିଲେ । ଏସପିଙ୍କୁ ବିଜେଡ଼ିର ଏଜେଣ୍ଟ ବୋଲି ଆକ୍ଷେପ କରିଥିଲେ । ତେବେ ଗୋଲକଙ୍କୁ ଆଜି ପୁଲିସର ହାଜିରା ନୋଟିସ୍ ପରେ ସବୁ ବିଗିଡ଼ିଯାଇଛି । ପୁଲିସ ତାଙ୍କୁ ପଚରାଉଚୁରା ପରେ ଗିରଫ କରିବାର ଆଶଙ୍କା ବି ସୃଷ୍ଟି ହୋଇଛି । ଆଇନଜୀବୀଙ୍କ ମତରେ ଗୋଲକଙ୍କ ବିରୋଧରେ ଆସିଥିବା ଅଭିଯୋଗଟି ସଙ୍ଗୀନ । ପୁଲିସ ପ୍ରାଥମିକ ତଥ୍ୟ ପ୍ରମାଣ ପାଇଲେ ତାଙ୍କ ବିରୋଧରେ ଆଇପିସି ଧାରା ୨୧୨, ୨୧୬ ଏବଂ ୧୦୯ ରେ ମକଦ୍ଦମା ରୁଜୁ କରିପାରେ ।