ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହଯୋଗରେ ଭୁବନେଶ୍ୱରରେ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ର ପରିଚାଳନା କରୁଥିବା ସମ୍ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କୋଭିଡ୍ ହସ୍ପିଟାଲ୍ କାମ ହାତକୁ ନେଇଛି । ଏହିକ୍ରମରେ ଗତକାଲିଠାରୁ କେନ୍ଦ୍ରାପଡ଼ାରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । କେନ୍ଦ୍ରାପଡ଼ା ନିକଟସ୍ଥ ଛତା ରେ ଥିବା ସରକାରୀ ପଲିଟେକନିକ୍ ରେ ଏହି ହସ୍ପିଟାଲ ରେ ୧୦୦ ଟି ଶଯ୍ୟା ଓ ୧୦ ଟି ଆଇସିୟୁ ଶଯ୍ୟାର ବ୍ୟବସ୍ଥା କରାଯାଇଛି ।
ଏହି ହସ୍ପିଟାଲ ନିମନ୍ତେ ରାଜ୍ୟ ସରକାର ଆର୍ଥିକ ସହଯୋଗ କରୁଥିବାବେଳେ ଡାକ୍ତର, ନର୍ସ, ଏବଂ ପାରାମେଡିକାଲ ଷ୍ଟାଫ ଆଇଏମଏସ ଓ ସମ ହସ୍ପିଟାଲ ପକ୍ଷରୁ ଯୋଗାଇଦିଆ ଯାଇଛି । ସେହିପରି ହସ୍ପିଟାଲ ନିମନ୍ତେ ବ୍ୟବହାର ହେବାକୁ ଥିବା ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ସମ ପକ୍ଷରୁ ଯୋଗାଇ ଦିଆଯାଇଛି । ହସ୍ପିଟାଲରେ ଲାଇଫ ସେଭିଂ ଡିଭାଇସେସ ଓ ଭେଣ୍ଟିଲେଟର ରଖାଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ହସ୍ପିଟାଲ ମଙ୍ଗଳବାର କାର୍ଯ୍ୟକ୍ଷମ ହୋଇଛି ।
ଏହି ପ୍ରକଳ୍ପ ନିମନ୍ତେ ସୋମବାର ଦିନ କେନ୍ଦ୍ରାପଡ଼ାଠାରେ ରାଜ୍ୟ ସରକାର ଓ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ବର୍ମା ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ କେନ୍ଦ୍ରାପଡ଼ା ଉପଜିଲାପାଳ ଶ୍ରୀ ଜ୍ୟୋତି ପ୍ରକାଶ ମହାପାତ୍ର ପ୍ରମୁଖ ଉପସ୍ଥିତି ଥିଲେ ।
ଖୁବଶୀଘ୍ର ଅନୁଗୁଳ ଠାରେ ମଧ୍ୟ ସମ ହସ୍ପିଟାଲ୍ ସହାୟତାରେ ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ବୋଲି କୁହାଯାଇଛି ।