ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ଶକ୍ତି ଓ ଲୋକପ୍ରିୟତା ଆଗରେ ଧରାଶାୟୀ ହେଲେ ବୈଜୟନ୍ତ ପଣ୍ଡା । ତାଙ୍କ ଟିଭି କି ହେଲିକପ୍ଟର କେନ୍ଦ୍ରାପଡ଼ାରେ କାମ ଦେଇନି । ବିନା ବିଜୁ କି ନବୀନ ବ୍ରାଣ୍ଡରେ କେନ୍ଦ୍ରାପଡ଼ାବାସୀ ତାଙ୍କୁ ଗ୍ରହଣ କରିନାହାନ୍ତି । ବିଜେଡ଼ିର ଯୁବପ୍ରାର୍ଥୀ ତଥା ହୀରୋ ଅନୁଭବ ମହାନ୍ତିଙ୍କଠାରୁ ଲକ୍ଷାଧିକ ଭୋଟରେ ହାରିଛନ୍ତି ବିଜେପିର ଏହି ହେଭିୱେଟ୍ ।
ଗତବର୍ଷ ବିଜେଡ଼ିରୁ ତଡ଼ା ଖାଇଥିବା ବୈଜୟନ୍ତ ଠିକ୍ ନିର୍ବାଚନ ପୂର୍ବରୁ ଅମିତ୍ ଶାହାଙ୍କୁ ଧରି ବିଜେପିରେ ମିଶିଥିଲେ । ଶାହା ତାଙ୍କର ଟିଭି ଓ ପ୍ରତିପତ୍ତି କୁ ଲୋଭେଇ ତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଦେବା ସହ ସେ ଆଖେଇଥିବା କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲେ । ନରେନ୍ଦ୍ର ମୋଦି, ଅମିତ୍ ଶାହାଙ୍କୁ ଧରି ନିଜ ପାଇଁ ଘମାଘୋଟ ପ୍ରଚାର କରିଥିଲେ ବୈଜୟନ୍ତ । ଭୋଟରଙ୍କୁ ପ୍ରଭାବିତ କରିବାକୁ ନିଜ ଟିଭିକୁ ଫୁଲ୍ ଦମ୍ ରେ ଲଗାଇଥିଲେ । ମାତ୍ର କିଛି କାମ ଦେଇନି । ଲୋକସଭାରେ ହାଟ୍ରିକ୍ ସ୍ୱପ୍ନ ଧୂଳିସାତ୍ ହୋଇଛି । କେନ୍ଦ୍ରାପଡ଼ା ଭୋଟର ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
କେନ୍ଦ୍ରାପଡ଼ାରେ ନିଜର ଆଧିପତ୍ୟ ଜାହିର କରିବାକୁ ଉଦ୍ୟମ କରୁଥିବା ବୈଜୟନ୍ତଙ୍କୁ ନିଜେ ନବୀନ ପଟ୍ଟନାୟକ ସାମନା କରିଥିଲେ । ଯେଉଁ ଲକ୍ଷ୍ୟରେ ଦୁଇ ଦୁଇ ଥର ତାଙ୍କୁ କେନ୍ଦ୍ରାପଡ଼ାରୁ ସାଂସଦ କରି ପଠାଇଥିଲେ, ତାହା ପୂରଣ ନ କରି ନିଜର ବ୍ୟବସାୟିକ ସ୍ୱାର୍ଥ ରକ୍ଷା ପାଇଁ ବୈଜୟନ୍ତ କାମ କରିଛନ୍ତି ବୋଲି ନବୀନ ନିର୍ବାଚନ ପ୍ରଚାର ବେଳେ କହିଥିଲେ । ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କୁ ବିଶ୍ୱାସଘାତକତା କରିଛନ୍ତି । କେନ୍ଦ୍ରାପଡ଼ାବାସୀ ତାଙ୍କୁ କେବେ କ୍ଷମା ଦେବେ ନାହିଁ । କେନ୍ଦ୍ରାପଡ଼ା ସ୍ୱାଭିମାନର ଆଞ୍ଚ ଆଣୁଥିବା ଲୋକଙ୍କୁ ସେମାନେ କେବେ ବରଦାସ୍ତ କରିବେ ନାହିଁ ବୋଲି ନବୀନ କହି ଅନୁଭବ ମହାନ୍ତିଙ୍କ ପାଇଁ ଭୋଟ ମାଗିଥିଲେ । ଏଥିସହ କେନ୍ଦ୍ରାପଡ଼ାର ବିକାଶ ଦାୟିତ୍ୱ ସେ ଉପରକୁ ଆଣିଥିଲେ । ନବୀନଙ୍କ ବକ୍ତବ୍ୟ ଓ ପ୍ରତିଶ୍ରୁତିକୁ କେନ୍ଦ୍ରାପଡ଼ାବାସୀ ଗ୍ରହଣ କରିଥିବା ଏହି ନିର୍ବାଚନ ଫଳାଫଳ ଜଣାଇ ଦେଇଛି ।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାରେ ବିଜେପି ସଂଗଠନ ଦୁର୍ବଳ ଥିଲେ ମଧ୍ୟ ବୈଜୟନ୍ତ ନିଜର ଶକ୍ତି ବଳରେ ଜିତିଯିବେ ବୋଲି ଅହଂକାର ରଖିଥିଲେ । କଂଗ୍ରେସ ଭୋଟକୁ ନିଜ ସପକ୍ଷରେ ଆଣିବାକୁ ବି ପ୍ରବଳ ଦମ୍ ଖଟାଇଥିଲେ । ମାତ୍ର ତାହା ସମ୍ପୂର୍ଣ୍ଣ ସଫଳ ହୋଇନାହିଁ । ତାଙ୍କର ଅହଂକାରକୁ ଖୋଦ୍ ଦଳୀୟ ନେତାମାନେ ମଧ୍ୟ ପସନ୍ଦ କରି ନ ଥିଲେ ।
ସୂଚନାଯୋଗ୍ୟ, ଗତ ୨୦୧୪ ନିର୍ବାଚନରେ ବୈଜୟନ୍ତ ମିଥ୍ୟା ସତ୍ୟପାଠ ଦାଖଲ କରି କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତାରଣା କରିଥିବା ବିଜେଡ଼ି ଅଭିଯୋଗ କରି ଆସୁଛି । ତାଙ୍କର ଘରୋଇ ଖଣି କମ୍ପାନୀ ଇମ୍ଫାର ସେ ଉପାଧ୍ୟକ୍ଷ ଥାଇ ମୋଟା ଅଙ୍କର ଦରମା ନେଉଥିଲେ ମଧ୍ୟ ସତ୍ୟପାଠରେ ତାହା ଲୁଚାଇ ଦେଇଥିଲେ । ଏଥର ସତ୍ୟପାଠରେ ତାହା ଉଲ୍ଲେଖ କରି ନିଜେ ଧରାପଡ଼ିଥିଲେ । ବୈଜୟନ୍ତ ଏହାକୁ ଅସ୍ୱୀକାର କରିଥିଲେ ମଧ୍ୟ ବିଜେଡ଼ି ତାଙ୍କୁ ଘେରି ରହିଥିଲା । ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ନେଇ ଗୁଜବ ତିଆରି କରିବାର ଅପବାଦ ମଧ୍ୟ ବୈଜୟନ୍ତଙ୍କ ଦେହରେ ବୋଳି ହୋଇଥିଲା । ବାହାମସ୍ ପ୍ରସଙ୍ଗରେ ମଧ୍ୟ ବିବାଦୀୟ ହୋଇଥିଲେ ବୈଜୟନ୍ତ ।