ଭୁବନେଶ୍ୱର: ଓଡ଼ିଶାର ଭୋଟ ଫଳାଫଳ ବିଜେପି ନେତାଙ୍କ ମୁହଁରେ କଳା ବୋଳିଦେଇଛି । ପୋଡ଼ା ଟ୍ରନସଫରମରେ ପୋଡ଼ି ହୋଇଯାଇଛି ରାଜ୍ୟ ବିଜେପି । ୧୨୦ ନୁହେଁ ମାତ୍ର ୨୨ଟି ବିଧାନସଭା ଆସନରେ ଆଗୁଆ ରହିଛନ୍ତି । ଓଡ଼ିଶାବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଆଗରେ ପୁନର୍ବାର ମୋଦି ମ୍ୟାଜିକ୍ କାମ କରିନାହିଁ ।
ଏପ୍ରିଲ୍ ୨୦୧୭ ରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ବିଜେପିର ଜାତୀୟ କାର୍ଯ୍ୟକାରିଣୀ । ଓଡ଼ିଶାରେ ୧୨୦ ବିଧାନସଭା ସିଟ୍ ଲକ୍ଷ୍ୟ ସ୍ଥିର କରିଥିଲେ ଅମିତ୍ ଶାହା । ବ୍ୟାପକ ଅଭିଯାନ ଆରମ୍ଭ କରିଥିଲେ । ଶାହା ଘନ ଘନ ଓଡ଼ିଶା ଆସିଲେ । ଦଳର ସାଂଗଠନିକ ଶକ୍ତି ବଢ଼ାଇବା ବଦଳରେ ଓଡ଼ିଶାରେ ବିଜେଡ଼ି ଶାସନକୁ ଟାର୍ଗେଟ୍ କରି ଗାଳିମନ୍ଦ ଚଳେଇଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଡ଼ା ଟ୍ରାନସଫରମର ଆଖ୍ୟାୟିତ କରି ଭାଷଣ ମାରିଲେ । ନବୀନ ସରକାରଙ୍କୁ ବଙ୍ଗୋପ ସାଗରରେ ଫିଙ୍ଗିଦିଅ ବୋଲି ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଲେ । ନିଜ ନାରାକୁ ଲୋକଙ୍କ ମୁହଁରେ ପାଳି ଧରାଇ ଗର୍ବରେ ଫାଟିଲେ ।
ଅମିତ୍ ଶାହା ଓଡ଼ିଶାରେ ମିଶନ୍ ୧୨୦ ଅଭିଯାନର ମଙ୍ଗ ଧରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ । ଧର୍ମେନ୍ଦ୍ର ଦିଲ୍ଲୀ ଛାଡ଼ି ଓଡ଼ିଶାରେ କ୍ୟାମ୍ପ୍ ପକାଇଲେ । ସାଂଗଠନିକ ଶକ୍ତି ବଢ଼ାଇବା ବଦଳରେ ନିଜର ନିର୍ଦ୍ଦିଷ୍ଟ କୋଟରିକୁ ଧରି କେବଳ ପ୍ରେସମିଟ୍, ଭାଷଣବାଜିରେ ରହିଲେ । ଶାହାଙ୍କ ଦେଖାଦେଖି ଅତ୍ୟନ୍ତ କଟୁ ଭାଷାରେ ନବୀନଙ୍କୁ ଘନ ଘନ ଆକ୍ରମଣ କରିଚାଲିଲେ । କଥାକଥାକେ ବ୍ୟୁରୋକ୍ରାଟ୍ ଓ ସରକାରୀ କର୍ମଚାରୀଙ୍କୁ ନାଲିଆଖି ଦେଖାଇଲେ । ନବୀନଙ୍କ ବିକଳ୍ପ ଭାବେ ନିଜକୁ ମନେ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱପ୍ନରେ ମତୁଆଲା ହେଲେ । ସୋସିଆଲ୍ ମିଡ଼ିଆ ଭକ୍ତଙ୍କୁ ଧରି ସେମାନଙ୍କ ସ୍ତୁତିଗାନରେ କୃତ୍ କୃତ୍ ହେଲେ । ତାଙ୍କ ଦଳର କେନ୍ଦ୍ରୀୟ ପ୍ରଭାରୀ ଅରୁଣ ସିଂ ଓଡ଼ିଶାର ବାସ୍ତବତା ନ ବୁଝି ବହୁତ ଟାଣ ଭାଷାରେ ଗାଳି କରି ଚାଲିଲେ । ପଞ୍ଚାୟତ ନିର୍ବାଚନର ସାମୟିକ ସଫଳତାକୁ ଧରି ଓଡ଼ିଶାରେ ୧୨୦ ଆସନ ନିଶ୍ଚିତ ପାଇବୁ ବୋଲି ପ୍ରବଳ ଫୁଟାଣି ମାରିଲେ ।
ନିର୍ବାଚନ ପ୍ରଚାରରେ ବିଜେପି ନେତାମାନେ ଆହୁରି ଆକ୍ରମଣାତ୍ମକ ହେଲେ । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସି ନବୀନଙ୍କ ବିରୋଧରେ ସାଂଘାତିକ ବର୍ଷିଲେ । ଅମିତ୍ ଶାହା ଓ ତାଙ୍କ ଦଳର ୫୦ରୁ ଅଧିକ କେନ୍ଦ୍ରୀୟ ନେତା ଓଡ଼ିଶାକୁ ବାରମ୍ବାର ନିର୍ବାଚନ ପ୍ରଚାରରେ ଆସି ନବୀନ ପଟ୍ଟନାୟକଙ୍କୁ ଭ୍ରଷ୍ଟାଚାରୀ, କଳଙ୍କିତ ବୋଲି ଗର୍ଜନ କଲେ । ତ୍ରିପୁରା ମଡ଼େଲ୍ ର ଉଦାହରଣ ଥୋଇ ଓଡ଼ିଶାରେ ବିଜେପି ସରକାର ଗଠନ କରିସାରିଲାଣି ବୋଲି ଭକ୍ତଙ୍କ ମନରେ ଧାରଣା ସୃଷ୍ଟି କଲେ । ଓଡ଼ିଶାରେ ଡବଲ୍ ଇଂଜିନ୍ ର ନାରା ଦେଇ କମ୍ପେଇଲେ ।
ନିର୍ବାଚନର ଅବ୍ୟବହିତ ପୂର୍ବରୁ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତଙ୍କ ଭଳି ବିଜେଡ଼ିର ବିତାଡ଼ିତ ନେତାଙ୍କୁ ଦଳରେ ସାମିଲ କରି ଅମିତ୍ ଶାହା ବିଜେପିକୁ ଓଡ଼ିଶାରେ ସର୍ବଶକ୍ତିମାନ ବୋଲି ଭାବିନେଲେ । ବୈଜୟନ୍ତଙ୍କ ଟିଭିକୁ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରଚାରର ମୁଖ୍ୟ ଅସ୍ତ୍ର କଲେ । ଓଡ଼ିଶା ଲୋକେ ପରିବର୍ତ୍ତନ ପାଇଁ ମନସ୍ଥିର କରିସାରିଲେଣି ବୋଲି ମୋଦିଙ୍କଠାରୁ ଆରମ୍ଭ କରି ବୈଜୟନ୍ତ, ଦାମୋଦରଙ୍କ ଭଳି ନେତା ଭାଷଣ ମାରି ତମ୍ବି ତୋଫାନ କଲେ ।
କ୍ରମାଗତ ୧୯ ବର୍ଷ ଧରି ଓଡ଼ିଶାରେ ଶାସନ କରୁଥିବା ବିଜେଡ଼ି ସରକାର ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗର ଲମ୍ବା ତାଲିକା ଥିଲା । ମାତ୍ର ବିଜେପି ଯେଉଁ ଢ଼ଙ୍ଗରେ ତାହାକୁ ଲୋକଲୋଚନକୁ ଆଣିବା କଥା ତାହା ନ କରି ନବୀନଙ୍କ ବିରୋଧରେ ବ୍ୟକ୍ତିଗତ କୁତ୍ସାରଟନା ଓ ଅପପ୍ରଚାରରେ ବେଶୀ ଧ୍ୟାନ ଦେଲା । ସବୁ ନେତାଙ୍କୁ ସାଙ୍ଗରେ ନେଇ ଦଳର ତୃଣମୂଳ ସଂଗଠନକୁ ଶକ୍ତିଶାଳୀ କରିପାରିଲାନି । ପ୍ରାର୍ଥୀ ଚୟନ ଓ ପ୍ରଚାର ଢ଼ଙ୍ଗରେ ମଧ୍ୟ ବ୍ୟାପକ ଭୁଲ୍ ଭଟକା କଲା । ବୋଧହୁଏ ଓଡ଼ିଶା ଭୋଟର ବିଜେପିର ଏଭଳି ଦିଗହରା କାର୍ଯ୍ୟକଳାପକୁ ଗ୍ରହଣ କରିନାହାନ୍ତି । ନବୀନ ପଟ୍ଟନାୟକଙ୍କ ଭଳି ନେତୃତ୍ୱର ଉପଯୁକ୍ତ ବିକଳ୍ପ ବିଜେପିରେ ପାଇଲେନି ।
ଏବେ ଭୋଟ ଫଳାଫଳ ବିଜେପି ନେତାଙ୍କ ମୁହଁରେ କଳା ବୋଳିଦେଇଛି । ପୋଡ଼ା ଟ୍ରନସଫରମରେ ପୋଡ଼ି ହୋଇଯାଇଛି ଓଡ଼ିଶାର ବିଜେପି । ୧୨୦ ନୁହେଁ ମାତ୍ର ୨୨ଟି ବିଧାନସଭା ଆସନରେ ଆଗୁଆ ରହିଛନ୍ତି । ଓଡ଼ିଶାବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଆଗରେ ପୁନର୍ବାର ମୋଦି ମ୍ୟାଜିକ୍ କାମ କରିନାହିଁ ।