ଭୁୁବନେଶ୍ୱର: ଲୋକସଭାରେ ବିଜେଡ଼ି ୨୧ରୁ ୨୧ ସିଟ୍ ଜିତିବ । ନୟାଗଡ଼ରେ ନିର୍ବାଚନ ପ୍ରଚାର ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦମ୍ଭ ଦେଖାଇଥିଲେ । ତମାମ ପ୍ରଚାର ବେଳେ ବିଜେଡ଼ି ନେତାଙ୍କ ମୁହଁରୁ ଏହି ଦମ୍ଭ ଶୁଣାଗଲା । ମାତ୍ର ବିଜେଡ଼ିର ଏହି ଦମ୍ଭ ରହି ନାହିଁ । ସଂଧ୍ୟା ସାଢ଼େ ୭ଟା ସୁଦ୍ଧା ହୋଇଥିବା ଭୋଟଗଣତିରେ ବିଜେଡ଼ି ୧୩ଟି ଲୋକସଭା ଆସନରେ ଆଗୁଆ ରହିଛି । ଗତଥର ବିଜେପିକୁ ଗୋଟିଏ ସିଟ୍ ମିଳିଥିବା ବେଳେ ଏଥର ୮ଟି ଆସନରେ ଆଗୁଆ ଚାଲିଛି ।
ବିଜେଡ଼ି ଆଗରେ ଥିବା ଲୋକସଭା ଆସନଗୁଡ଼ିକ ହେଲା- କନ୍ଧମାଳ, କେନ୍ଦ୍ରାପଡ଼ା, ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ, ଯାଜପୁର, ଆସ୍କା, ଭଦ୍ରକ, ଢ଼େଙ୍କାନାଳ, ଜଗତସିଂହପୁର, କେନ୍ଦୁଝର, କଟକ ଏବଂ ମୟୁରଭଂଜ । ଅବଶିଷ୍ଟ ୮ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି ।
ବଡ଼କଥା ହେଉଛି ଗତଥର ବିଜେଡ଼ି ୧୧୭ଟି ବିଧାନସଭା ଆସନ ସହ ୨୦ଟି ଲୋକସଭା ଆସନ ପାଇଥିଲା ବେଳେ ଏଥର ସଂଧ୍ୟା ସୁଦ୍ଧା ୧୧୧ଟି ବିଧାନସଭା ଆସନ ଏବଂ ୧୩ ଟି ଲୋକସଭା ଆସନରେ ଆଗୁଆ ଚାଲିଛି । ସୁତରାଂ ବିଭାଜିତ ଭୋଟର ମାତ୍ରା ଅଧିକ ହୋଇଥିବା ସ୍ପଷ୍ଟ ହେଉଛି । ଓଡ଼ିଶାରେ ଏହି ଟ୍ରେଣ୍ଡକୁ ପ୍ରଥମ ବୋଲି କୁହାଯାଉଛି । ଗ୍ରାମୀଣ ଭୋଟର ବହୁଳ ଓଡ଼ିଶାରେ ଏହା ସମ୍ଭବ ନୁହେଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ବିଚାର କରୁଥିଲେ । ମାତ୍ର ଏଥର ଫଳାଫଳ ସେହି ଅବିଶ୍ୱାସକୁ ବିଶ୍ୱାସ କରାଇଛି । ଓଡ଼ିଶାର ଭୋଟର ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ରଖିବାକୁ ଚାହିଁଥିବା ବେଳେ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରି ଭୋଟ ଦେଇଛନ୍ତି । ଖାଲି ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ଏହି ଧାରା ଦେଖାଦେଇଛି ।