ଭୁବନେଶ୍ୱର: ଦେଶରେ ମୋଦି ଚମକ କମିନି, ବଢ଼ିଛି । ଦେଶବାସୀ ପୁଣି ଚାହିଁଛନ୍ତି ମୋଦିଙ୍କୁ । ଗତଥରଠାରୁ ଅଧିକ ସଂଖ୍ୟକ ଆସନ ପାଇ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ହେବେ ଦେଶର ପ୍ରଧାନମନ୍ତ୍ରୀ । ନିର୍ବାଚନ ଫଳର ଟ୍ରେଣ୍ଡ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନଡିଏକୁ ବିପୁଳ ଜନାଦେଶ ମିଳିବାକୁ ଯାଉଛି । ଅପରାହ୍ନ ୪ଟା ସୁଦ୍ଧା ବିଜେପି ମେଣ୍ଟ ୩୫୦ ସିଟ୍ ରେ ଆଗୁଆ ଥିବା ବେଳେ କଂଗ୍ରେସ ମେଣ୍ଟ ମାତ୍ର ୮୯ ସିଟ୍ ରେ ଆଗୁଆ ରହିଛି । ଅନ୍ୟାନ୍ୟ ଦଳ ୧୦୩ ଟି ସିଟ୍ ରେ ଆଗୁଆ ଅଛନ୍ତି । ଗତଥର ବିଜେପି ମେଣ୍ଟକୁ ୩୩୬ ସିଟ୍ ମିଳିଥିଲା ବେଳେ ୟୁପିଏ ମେଣ୍ଟକୁ ୬୦ ଟି ଆସନ ମିଳିଥିଲା ।
ଦ୍ୱିତୀୟ ଥର କ୍ଷମତାକୁ ଫେରିବା ପାଇଁ ମୋଦିଙ୍କୁ କଠୋର ଚାଲେଂଜ୍ ର ସାମନା କରିବାକୁ ପଡ଼ିଛି । ନିକଟରେ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ଭଳି ରାଜ୍ୟ ବିଜେପି ହାତରୁ ଖସିଯିବା ପରେ ମୋଦିଙ୍କ ପାଇଁ ଏହା ଚାଲେଂଜ ସୃଷ୍ଟି କରିଥିଲା । ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ରାଜ୍ୟଗୁଡ଼ିକରେ ବିଜେପି ଅସୁବିଧାରେ ପଡ଼ିଯିବ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ସମସ୍ତ ପୂର୍ବାନୁମାନ ଭୁଲ୍ ପ୍ରମାଣିତ ହୋଇଛି । ଉତ୍ତରପ୍ରଦେଶରେ ବିଜେପି ଅନେକ ଆସନ ହାତଛଡ଼ା କରିଥିଲେ ମଧ୍ୟ ଦିଲ୍ଲୀ ସମେତ ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ଚମକାଇ ଦେଇଛି । ପଶ୍ଚିମବଙ୍ଗ ଦିଦିଙ୍କ ଗଡ଼ରେ ମଧ୍ୟ ଚମକ ଦେଖାଇଛନ୍ତି ମୋଦି । ଅପରାହ୍ନ ୪ଟା ସୁଦ୍ଧା ଓଡ଼ିଶାରେ ବିଜେପି ୭ ଟି ଆସନ ଆସନରେ ଆଗୁଆ ରହିଛି । ଗତଥର ବିଜେପି ଓଡ଼ିଶାରୁ ଗୋଟିଏ ମାତ୍ର ଆସନ ଲାଭ କରିଥିଲା ।