ଭୁୁବନେଶ୍ୱର: ଭୁବନେଶ୍ୱରର ବମିଖାଲ, ସୂର୍ଯ୍ୟନଗର ପରେ ବାଲେଶ୍ୱରରେ କରୋନା ସୁପର୍ ସ୍ପ୍ରେଡର୍ ଙ୍କ ତଥ୍ୟ ସାମନାକୁ ଆସିଛି । ସେ ହେଉଛନ୍ତି କେସ୍ ନଂ ୬୧ । ବାଲେଶ୍ୱର ଟାଉନ୍ ଅନ୍ତର୍ଗତ ନେଳିଆବାଗର ଏହି ୫୮ ବର୍ଷର ବ୍ୟକ୍ତିଜଣଙ୍କ ନିଜକୁ ମିଶାଇ ୧୩ ଜଣଙ୍କୁ ଆକ୍ରାନ୍ତରେ ପକାଇଲେଣି । ତାଙ୍କଠାରୁ ନିଜ ପରିବାର ଛଡ଼ା ପଡୋଶୀ ଘରର ଲୋକଙ୍କୁ ଡେଇଁଛି କରୋନା । ଆଜି ରାଜ୍ୟ ସରକାର ଦେଇଥିବା ୧୦୪ ରୁ ୧୦୮ ନଂ ଆକ୍ରାନ୍ତଙ୍କ ତଥ୍ୟରୁ ଏହା ଜଣାପଡ଼ିଛି । ଖାଲି ଘର ପାଖର ପଡୋଶୀ ନୁହଁନ୍ତି, ପଡୋଶୀଙ୍କ ପଡୋଶୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ୭୯ ନଂ ଆକ୍ରାନ୍ତଙ୍କଠାରୁୁ ସଂକ୍ରମିତ ହୋଇଛନ୍ତି ୧୦୮ ନଂ ଆକ୍ରାନ୍ତ ।
ସୂଚନାଥାଉକି, ୬୧ ନଂ ଏହି ଆକ୍ରାନ୍ତଙ୍କର ଝାଡ଼ଖଣ୍ଡ ଟ୍ରାଭେଲ୍ ହିଷ୍ଟ୍ରି ଥିଲା । ଝାଡ଼ଖଣ୍ଡରୁ ଫେରି ଅସୁସ୍ଥ ଅନୁଭବ କରିବାରୁ ବାଲେଶ୍ୱରରୁ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ କୁ ୭ ଥର ଯାଇଥିଲେ । ଏପ୍ରିଲ୍ ୧୮ ରେ ପଜିଟିଭ୍ ଚିହ୍ନଟ ହୋଇ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସତ ହେଉଛନ୍ତି ।
ପୂର୍ବରୁ ଭୁବନେଶ୍ୱର ବମିଖାଲର ତିନି ଭାଇ ୧୮ ଜଣଙ୍କୁ ସଂକ୍ରମିତ କରିଥିଲେ । ସୂର୍ଯ୍ୟନଗରର ଦଳବେହେରା ପରିବାରର ମୁଖିଆଙ୍କଠାରୁ ୭ ଜଣ ସଂକ୍ରମିତ ହୋଇଥିଲେ । ସୁନ୍ଦରଗଡ଼ର ୫୧ ନଂ ଆକ୍ରାନ୍ତଙ୍କ ଲିଙ୍କ୍ ରେ ୯ ଜଣ ସଂକ୍ରମିତ ହେଲେଣି ।
କେସ୍ ନଂ ୧୦୪-୧୦୮ ତଥ୍ୟ
କେସ୍ ନଂ-୧୦୪: ୨୨ ବର୍ଷର ମହିଳାଙ୍କ ଘର ବାଲେଶ୍ୱର ନେଳିଆବାଗରେ । ୬୧ ନଂ ଆକ୍ରାନ୍ତଙ୍କର ପାଖ ପଡୋଶୀ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୧୮ ଯାଏଁ ଲକ୍ ଡାଉନ୍ ରେ ଘରୁ ବାହାରିନାହାନ୍ତି । ନିଜ ଅଞ୍ଚଳ କଣ୍ଟେନମେଣ୍ଟ ଏରିଆ ଘୋଷଣା ହେବା ପରେ ଏପ୍ରିଲ୍ ୧୯ରୁ ୨୬ ଯାଏଁ ଘରେ ଥିଲେ । କରୋନାର ଲକ୍ଷଣ ନ ଥିଲା । ସର୍ଭିଲାନ୍ସରେ ସାମ୍ପଲ୍ ଟେଷ୍ଟ ୨୬ ତାରିଖରେ ହେବାରୁ ପଜିଟିଭ୍ ବାହାରିଲା । କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସାଧୀନ ।
କେସ୍ ନଂ-୧୦୫: ୫୫ ବର୍ଷର ମହିଳାଙ୍କ ଘର ବି ବାଲେଶ୍ୱରର ନେଳିଆବାଗରେ । ୬୧ ନଂ ଆକ୍ରାନ୍ତଙ୍କର ପାଖ ପଡୋଶୀ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୬ ତାରିଖ ଯାଏଁ ଘରେ ଥିଲେ । ଲକ୍ଷଣ ନ ଥିଲା । ଏପ୍ରିଲ୍ ୨୬ରେ ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଏବେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ।
କେସ୍ ନଂ-୧୦୬: ୨୩ ବର୍ଷର ମହିଳା । ବାଲେଶ୍ୱର ସେଇ ନେଳିଆବାଗର ୬୧ ନଂ ଆକ୍ରାନ୍ତଙ୍କ ପାଖ ପଡୋଶୀ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୬ ଯାଏଁ ଘରେ ଥିଲେ । ଲକ୍ଷଣ ନ ଥିଲା । ମାତ୍ର ସାମ୍ପଲ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଲା । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସତ ।
କେସ୍ ନଂ-୧୦୭: ୨୭ ବର୍ଷୀୟ ଏହି ଯୁବକ ବି ୬୧ ନଂ ଆକ୍ରାନ୍ତଙ୍କ ପାଖ ପଡୋଶୀ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୬ ପର୍ଯ୍ୟନ୍ତ ଘରେ ଥିଲେ । ଲକ୍ଷଣ ନ ଥିଲା । ସାମ୍ପଲ୍ ଟେଷ୍ଟରେ ପଜିଟିଭ୍ ବାହାରିଲା । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ।
କେସ୍ ନଂ-୧୦୮: ୨୯ ବର୍ଷର ମହିଳାଙ୍କ ଘର ସେଇ ନେଳିଆବାଗରେ । ୭୯ ନଂ ଆକ୍ରାନ୍ତଙ୍କର ଇଏ ପାଖ ପଡୋଶୀଙ୍କ ପଡୋଶୀ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୬ ପର୍ଯ୍ୟନ୍ତ ଘରୁ କୁଆଡେ ଯାଇନାହାନ୍ତି କି ଲକ୍ଷଣ ଦେଖାଯାଇ ନାହିଁ । ଏପ୍ରିଲ୍ ୨୬ ରେ ସାମ୍ପଲ୍ ଟେଷ୍ଟରୁ ରିପୋର୍ଟ ପଜିଟିଭ୍ ବାହାରିଲା । ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିିତ୍ସିତ ହେଉଛନ୍ତି ।