ଭୁୁବନେଶ୍ୱର: ଅନୁପ ସାଏଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିଛି । ତାଙ୍କ ବିରୋଧରେ ମା-ଝିଅଙ୍କୁ ହତ୍ୟା ବା ଡବଲ୍ ମର୍ଡରର ଆରୋପ ଲାଗିଛି । ଦଫା ୩୦୨(ହତ୍ୟା), ଦଫା ୧୨୦-ବି(ଷଡ଼ଯନ୍ତ୍ର) ଏବଂ ଦଫା ୨୦୧(ତଥ୍ୟ ପ୍ରମାଣ ନଷ୍ଟ କରିବା) ଭଳି ତିନି ତିନୋଟି ସଙ୍ଗୀନ ଦଫା ଲଗେଇଛି ପୁଲିସ । ଅନୁପଙ୍କ ବିରୋଧରେ ମାମଲା ପ୍ରମାଣିତ ହେଲେ ହୁଏତ ତାଙ୍କୁ ଆଜୀବନ କାରାଦଣ୍ଡ ନଚେତ୍ ଫାଶୀ ହୋଇପାରେ ।
ଅନୁପଙ୍କ ବିରୋଧରେ ପୁଲିସ ଯୋଗାଡ଼ କରିଥିବା ତଥ୍ୟ ସମ୍ପର୍କରେ ସବିଶେଷ ସୂଚନା ମିଳି ନ ଥିଲେ ମଧ୍ୟ ୪ ବର୍ଷ ତଳେ ମା-ଝିଅଙ୍କ ବିଭତ୍ସ୍ୟ ହତ୍ୟାକାଣ୍ଡ ପଛରେ ତାଙ୍କର ଯେ ସଂପୃକ୍ତି ରହିଛି ତାହା ପୁଲିସ କାର୍ଯ୍ୟାନୁଷ୍ଠାରୁ ସ୍ପଷ୍ଟ ହେଉଛି । ଏହି ମାଆ-ଝିଅ କିଏ ଏବଂ ତାଙ୍କ ସହ ଅନୁପଙ୍କ କ’ଣ ସମ୍ପର୍କ ତାହା ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ।
ସୂଚନା ଅନୁଯାୟୀ, ୨୦୧୬ ମେ ୬ ତାରିଖରେ ଝାରସୁଗୁଡ଼ା-ଛତିଶଗଡ଼ ସୀମାନ୍ତରୁ ଦୁଇଜଣଙ୍କର ଗଳିତ ଶବ ଛତିଶଗଡ଼ ଚକ୍ରଧରପୁର ଥାନା ପୁଲିସ ଜବତ କରିଥିଲା । ଗାଡ଼ି ତଳେ ଚାପି ହୋଇ ସେମାନେ ଅତ୍ୟନ୍ତ ବିଭତ୍ସ ଭାବେ ମୃତ୍ୟୁବରଣ କରିଥିଲେ । ଶବ ଦୁଇଟିକୁ ଚିହ୍ନଟ କରିବା କଷ୍ଟକର ହେବାରୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କାମ ସାରି ଦେଇଥିଲା । ପରବର୍ତ୍ତୀ ସମୟରେ କୌଣସି କାରଣରୁ ପୁଲିସ ଏଥିରେ ତତ୍ପରତା ପ୍ରକାଶ କଲା । ସୀମାନ୍ତ ଥାନାଗୁଡ଼ିକରେ ଦୁଇ ଅଜଣା ଶବ ସମ୍ପର୍କରେ ପୋଷ୍ଟର୍ ଜାରି କରିଥିଲା । ପରେ ଡିଏନଏ ଟେଷ୍ଟ ପାଇଁ ପଠାଇଥିଲା । ଏହି ରିପୋର୍ଟ ଆସିବା ପାଇଁ ଦୁଇବର୍ଷ ଲାଗିଗଲା ।
ମୃତ ଦେହ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସ ଏବଂ ତାଙ୍କ ଝିଅ ପ୍ରଭାତୀର ବୋଲି ଜଣାପଡ଼ିଥିଲା । କଳ୍ପନାକୁ ସେତେବେଳେ ୩୨ ବର୍ଷ ବୟସ ହୋଇଥିଲା ବେଳେ ପ୍ରଭାତୀଙ୍କୁ ୧୪ ବର୍ଷ ହୋଇଥିଲା । ରିପୋର୍ଟ ଅନୁଯାୟୀ ମାଆ-ଝିଅଙ୍କୁ ପ୍ରଥମେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ପରେ ଦୁର୍ଘଟଣାର ରୂପ ଦେବାକୁ ଗାଢ଼ି ଚଢ଼ାଇ ହତ୍ୟା କରାଯାଇଥିଲା । କୁଆଡ଼େ ମୃତ ଝିଅଟି ସହ ଅନୁପଙ୍କ ଦେହର ରକ୍ତ ମେଳ ଖାଇଛି । ଏହି ରକ୍ତ ସମ୍ପର୍କର ଦିଗକୁ ଧରି ପୁଲିସ ଛାନଭିନ୍ କରିବା ପରେ ଏକ ସିଦ୍ଧାନ୍ତରେ ପହଞ୍ଚିପାରିଛି ।
ଚର୍ଚ୍ଚା ଅନୁଯାୟୀ, ମୃତ ମହିଳା କଳ୍ପନା ପେଶାରେ ଓକିଲ ଥିଲେ । ବହୁ ଦିନ ତଳୁ ସ୍ୱାମୀଙ୍କଠାରୁ ସେ ଅଲଗା ହୋଇ ନିଜର ଝିଅକୁ ଧରି ରହୁଥିଲେ । ଅନୁପଙ୍କ ସହ ଏହି ମହିଳାଙ୍କର ନିବିଡ଼ ସମ୍ପର୍କ ଥିଲା । ତେବେ କଳ୍ପନା ଓ ତାଙ୍କ ୧୪ ବର୍ଷର ଝିଅକୁ କିଏ ଓ କାହିଁକି ହତ୍ୟା କଲା, ଅନୁପଙ୍କର ସେଥିରେ କିଭଳି ସଂପୃକ୍ତି ରହିଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡୁନାହିଁ । ଅନ୍ୟପକ୍ଷରେ ଦୀର୍ଘ ୪ ବର୍ଷ ତଳେ ହତ୍ୟାକାଣ୍ଡ ହୋଇଥିଲେ ବି ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ହୋଇଥିଲା ନା ନାହିଁ ତାହା ବି ଜଣାପଡୁନାହିଁ । ସର୍ବୋପରି ଏତେବଡ଼ ଜଘନ୍ୟ କାଣ୍ଡ ସତ୍ତ୍ୱେ ସ୍ଥାନୀୟ ପୁଲିସ, ଗଣମାଧ୍ୟମ ଏବଂ ଅଞ୍ଚଳବାସୀ ମାମଲାର ଟେର୍ ନ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ଇତିମଧ୍ୟରେ ଅନୁପଙ୍କୁ ପଚରାଉଚୁରା ପାଇଁ ଚକ୍ରଧରପୁର ପୁଲିସ ବହୁବାର ଉଦ୍ୟମ କରିଛି । ଚକ୍ରଧରପୁର ଥାନାରେ ହାଜର ହେବାକୁ ଅଳ୍ପଦିନ ତଳେ ତାଙ୍କୁ ନୋଟିସ୍ ହୋଇଥିଲା । ମାତ୍ର ସେ ତାହାକୁ ଏଡ଼ାଇ ଚାଲିଥିଲେ । ସମ୍ଭବତଃ ତାଙ୍କ ବିରୋଧରେ ସବୁ ତଥ୍ୟ ପ୍ରମାଣ ଯୋଗାଡ଼ କରି ଛତିଶଗଡ଼ ପୁଲିସ ନିଶ୍ଚିତ ହେଲା ପରେ ଯାଇ ବ୍ରଜରାଜନଗର ଆସି ଅନୁପଙ୍କୁ ତାଙ୍କ ଘର ସାଇମନ୍ଦିର ଭିତରୁ ରାତିରେ ଉଠାଇ ନେଇଥିଲା । ତାଙ୍କ ବିରୋଧରେ ପୁଲିସ ପାଖରେ କ’ଣ ନିର୍ଦ୍ଦିଷ୍ଟ ତଥ୍ୟ ପ୍ରମାଣ ରହିଛି, ତାହା ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଛି ।
ଯାହା ହେଉ ନା କାହିଁକି, ମାଆ-ଝିଅଙ୍କ ବିଭତ୍ସ୍ୟ ହତ୍ୟା ପଛରେ ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ଅନୁପଙ୍କର ସିଧାସଳଖ ସଂପୃକ୍ତି ଅଛି ବୋଲି ସମ୍ଭବତଃ ଛତିଶଗଡ଼ ପୁଲିସ ନିଶ୍ଚିତ ହୋଇଯାଇଛି । ତେଣୁ ଏ ସଂକ୍ରାନ୍ତରେ ପୁଲିସର ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି ।
ଘଟଣା ସତ ହୋଇଥିଲେ, ଅନୁପଙ୍କ ଭଳି ଉପରକୁ ଜଣେ ମେଳାପୀ ଓ ହସ ହସ ବଦନର ମଣିଷ ଭିତରେ ଏଡ଼େ ଭୟଙ୍କର ଚେହେରାଟେ ଯେ ଲୁଚିପାରେ ତାହା ଅନେକଙ୍କୁ ଚକିତ କରୁଛି । ଏହି ଅତ୍ୟନ୍ତ ଜଘନ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ଗଣମାଧ୍ୟମରୁ ଜାଣିଲା ପରେ ସମସ୍ତଙ୍କର ଛାତି ଥରାଇ ଦେଇଛି । ଏଭଳି କାଣ୍ଡରେ ସଂପୃକ୍ତ ନେତା କେଡ଼େ ନିର୍ମମ ଆଉ ଭୟଙ୍କର ତାହା ସମସ୍ତଙ୍କ କଳ୍ପନାର ବାହାରେ ।