ଭୁବନେଶ୍ୱର: ବିଚାରା କୋଉ କୂଳର ହେଲେନି ସୌମ୍ୟରଂଜନ ପଟ୍ଟନାୟକ । ବିଳମ୍ବିତ ସଂଧ୍ୟାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଶରଣ ପଶିଥିଲେ ମଧ୍ୟ ଫେଲ୍ ମାରିଲେ । ଜାତିଗଲା ହେଲେ ପେଟ ନ ପୂରିବା ଭଳି କଥାଟି ହେଲା । ସୌମ୍ୟ ସେଦିନ ଦି ଦିିଇଟା ବିକଳ୍ପ ପ୍ରସ୍ତାବ ନେଇ ଯାଇଥିଲେ । ବିଜେଡ଼ିରେ ତାଙ୍କ ଆମ ଓଡ଼ିଶା ପାର୍ଟି ଲୀନ ହେବ । ଯଦି “ନା’’ ତେବେ ବିଜେଡ଼ିକୁ ବାହ୍ୟ ସମର୍ଥନ ଦେବ । ସେଥିରେ ବି ଦୁଇଟି ସର୍ତ୍ତ ଧରିଥିଲେ ସୌମ୍ୟ । ତାଙ୍କୁ ରାଜ୍ୟସଭା ପଠାଯାଉ ଏବଂ ଝିଅକୁ ଖଣ୍ଡପଡ଼ା ଆସନ ଛଡ଼ାଯାଉ । ମିଡ଼ିଆ ପାୱାର୍ ଏବଂ ଧନବଳରେ ସୌମ୍ୟ ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିତିଯିବେ ବୋଲି ଭାବି ନେଇଥିଲେ । ହେଲେ ତାହା ଫସର ଫାଟିଗଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସାମନାରେ ସୌମ୍ୟ ପୂରାପୂରି ଫ୍ୟୁଜ୍ ହୋଇଗଲେ । ଯାହା କହିବାକୁ ଚାହିଁଥିଲେ କହିପାରିଲେନି । ନିଜର ଆଭିମୁଖ୍ୟ ନେଇ ବହୁତ କନଫ୍ୟୁଜଡ୍ ଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଏହା ଭୀଷଣ ବିରକ୍ତ କରିଥିଲା ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।
ଗୋଟେ ପଟେ ସୌମ୍ୟ ତାଙ୍କ ବ୍ୟକ୍ତିଗତ ମିସନ୍ ରେ ଫେଲ୍ ମାରିଥିଲା ବେଳେ ବିଳମ୍ବିତ ସଂଧ୍ୟାରେ ଏକା ଏକା ନବୀନ ନିବାସ ଅଭିଯାନ ତାଙ୍କ ପାଇଁ ବୁମେରାଂ ହୋଇଛି । ଚାଷୀ, ଚିଟଫଣ୍ଡ, ନିଶା ନିବାରଣ ଓ ଭାଷା ଆନ୍ଦୋଳନର ସ୍ୱାର୍ଥକୁ ଢ଼ାଲ କରିଥିବା ସୌମ୍ୟଙ୍କ ଚାଲବାଜିକୁ ସଂପୃକ୍ତ ଆନ୍ଦୋଳନର ଶୀର୍ଷ ନେତାମାନେ ବରଦାସ୍ତ କରି ନ ଥିବା ଖବର ମିଳିଛି । ସୌମ୍ୟ ସେମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ସଂପୃକ୍ତ ସଂଗଠନର ଅନେକ ଛାମୁଆ ନେତା କ୍ଷୋଭର ସହ କହିଛନ୍ତି । ଏହି ଘଟଣାକୁ ନେଇ ସୌମ୍ୟଙ୍କ ସହ ସଂଗଠନ କର୍ମକର୍ତ୍ତାଙ୍କ ଫାଟ ହୋଇଥିବା ଜଣାପଡ଼ିଛି ।
ଚିଟଫଣ୍ଡ ଅଭିଯୁକ୍ତ ଜଣେ ସାଂସଦଙ୍କ ମଧ୍ୟସ୍ଥିରେ ନବୀନଙ୍କ ଶରଣ ପଶିଥିବା ଖବର ସୌମ୍ୟଙ୍କୁ ବେଶୀ ଅଡୁଆରେ ପକାଇଛି । ଏହି ଖବରଟି ମିଛ ବୋଲି ସୌମ୍ୟଙ୍କ କ୍ୟାମ୍ପ ପ୍ରଚାର କରୁଛନ୍ତି । ଏମିତିକି ଫେସ୍ ବୁକରେ ଏହାକୁ ନେଇ କମେଣ୍ଟ ଦେଇଥିବା କିଛି ସାମ୍ବାଦିକଙ୍କୁ ତାଗିଦ୍ ବି ମିଳୁଛି । ଏହି ଖବରରେ ସତ୍ୟତା ନାହିଁ ବୋଲି ସେମାନଙ୍କୁ ସଫେଇ ଦିଆଯାଉଛି । ଏଠାରେ ଆମେ କହି ରଖିବାକୁ ଚାହୁଁ ଯେ “ମିଡ଼-ଡ଼େ ଓଡ଼ିଶା” କୌଣସି ଚାପ ଓ ପ୍ରଲୋଭନକୁ ଖାତିର ନ କରି ସବୁବେଳେ ନିର୍ଭିକ, ନିରପେକ୍ଷ ଓ ସତ୍ୟ ଖବର ଲେଖେ । ସୌମ୍ୟଙ୍କ ସହ ସାଂସଦଙ୍କ ଗୋପନ ସମ୍ପର୍କ ରାଜନୀତିରେ ରୁଚି ରଖୁଥିବା ସବୁ ବ୍ୟକ୍ତିଙ୍କୁ ଊଣା ଅଧିକେ ମାଲୁମ । ଆଉ ନବୀନ ନିବାସରେ ସୌମ୍ୟଙ୍କୁ ଭେଟେଇବାରେ ଏହି ସାଂସଦ ହିଁ ମୁଖ୍ୟ ଭୂମିକା ନେଇଥିବା ଖୋଦ୍ ବିଜେଡ଼ିର ଜଣେ କାର୍ପଟଦାରଙ୍କ ସୂତ୍ରରୁ ସୂଚନା ମିଳିଥିଲା ।







