ଭୁବନେଶ୍ୱର: ଇଚ୍ଛାଧୀନ କୋଟାରେ ବିଡ଼ିଏଠାରୁ ଘର ନେଇଥିବା ୬ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ପୁଣି ନୋଟିସ୍ ଜାରି କରିଛି ଟାକ୍ସଫୋର୍ସ । ବ୍ୟକ୍ତିଗତ ଭାବେ ହାଜର ହୋଇ ସେମାନଙ୍କ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।୨୦୧୫ରେ ଏହି ନାମୀ ୬ ଆଇଏଏସ୍ ଅଫିସରଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍ ହୋଇଥିଲା । ମାତ୍ର ସେମାନେ ତାହାକୁ ଖାତିର କରି ନ ଥିଲେ । ଦୀର୍ଘ ୨ ବର୍ଷର ଅପେକ୍ଷା ପରେ ଟାକ୍ସଫୋର୍ସ କର୍ତ୍ତୃପକ୍ଷ ଆଜି ଏହି ସାନି ନୋଟିସ୍ ଜାରି କରିଛନ୍ତି । ଏହି ୬ ବରିଷ୍ଠ ଆଇଏଏସ୍ ହେଲେ ସୁରେଶ ମହାପାତ୍ର, ପ୍ରଦୀପ ଜେନା, ବିଶାଲ ଦେବ, ଆର.କେ.ଶର୍ମା, ସତ୍ୟବ୍ରତ ସାହୁ ଓ ପ୍ରଶାନ୍ତ କୁମାର ନାୟକ । ମେ ମାସ ମଧ୍ୟରେ ହାଜିରା ପାଇଁ ସେମାନଙ୍କୁ ପୃଥକ ପୃଥକ୍ ତାରିଖ ଦିଆଯାଇଛି । ସୂଚନାଯୋଗ୍ୟ, ବିଳମ୍ବରେ ହେଲେ ମଧ୍ୟ ତାରା ଦତ୍ତ କମିଟି ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯୋଗ୍ୟତା ନ ଥାଇ ସରକାରଙ୍କ ଇଚ୍ଛାଧୀନ କୋଟାରେ ବିଡ଼ିଏ, ସିଡ଼ିଏ କିମ୍ବା ହାଉସିଂ ବୋର୍ଡରୁ ଘର ନେଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତାରା ଦତ୍ତ କମିଟି ସୁପାରିଶ କରିଥିଲେ । ତାଙ୍କ ସୁପାରିଶ ଅନୁଯାୟୀ ରାଜ୍ୟ ସରକାର ସେଗୁଡ଼ିକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।