ଭୁବନେଶ୍ୱର() ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍ ଓ ଖବରକାଗଜ ସ୍ତମ୍ଭକୁ ନେଇ ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ରାଜନୀତି ଏବେ ହୁଲସ୍ତୁଲ । ନିଆଁରେ ଘିଅ ଢ଼ାଳିବା ଭଳି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ଦାମୋଦର ରାଉତ ବିଜେଡ଼ିରେ ସମ୍ପ୍ରତି ବିଭୀଷଣ ଚରିତ୍ରମାନଙ୍କ କଥା ମନେପକାଇ ଦେଇଛନ୍ତି । ଦଳରେ ବିଭୀଷଣଙ୍କ ଲମ୍ବା ତାଲିକା ତାଙ୍କ ପାଖରେ ଅଛି ଏବଂ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେବେ ବୋଲି ସେ ଶୁଣାଇଛନ୍ତି । ଦାମବାବୁଙ୍କ ପାଖରେ କ’ଣ ତାଲିକା ରହିଛି ତାହା ତ ଭିନ୍ନ କଥା । ହେଲେ ଆଜି ନୁହେଁ ଦଳର ଜନ୍ମ ପଞ୍ଜିକାରେ ଏହି ବିଭୀଷଣମାନେ ନିଜର ସ୍ଥିତି ଜାହିର କରିଛନ୍ତି । ଇତିହାସ ପୃଷ୍ଠାରେ ଏମାନଙ୍କ ତାଲିକା ଖୁବ୍ ଲମ୍ବା । ଆଉ ସେମାନଙ୍କ ଭବିଷ୍ୟତ କେଉଁ ଦିଗ ଧରିଛି ତାହା ବି ରାଜ୍ୟବାସୀ ଦେଖିଛନ୍ତି ।
ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳର ପ୍ରଥମ ବିଭୀଷଣ ଭାବେ ବିଜୟ ମହାପାତ୍ରଙ୍କ ନାଁ ନିଆଯାଇପାରେ । ଜନସାଧାରଣଙ୍କ ଦୃଷ୍ଟିରେ ତାଙ୍କର ବ୍ୟକ୍ତିତ୍ୱ କ’ଣ ଥାଏ ନ ଥାଏ କିନ୍ତୁ ଦଳ ତାଙ୍କୁ ବିଭୀଷଣ ମନେ କରିଥିଲା । ଯେଉଁଥିପାଇଁ ନବୀନ ତାଙ୍କୁ ଏମିତି ସାବାଡ଼ କଲେ ଯେ ଆଜିକୁ ୧୭ ବର୍ଷ ହେଲା ସେ ମୁଣ୍ଡ ଟେକି ପାରୁନାହାନ୍ତି । ବିଜୁବାବୁଙ୍କ ପରେ ଜନତା ଦଳର ନେତୃତ୍ୱ ଦାବିଦାର ଥିବା ବିଜୟଙ୍କ ରାଜନୈତିକ ଜୀବନ ନବୀନଙ୍କ ଗୋଟିଏ ଝଟକାରେ ଖତ ହୋଇଗଲା । ଦଳର ରାଜନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷ ପଦରେ ବସି ନେତାଙ୍କୁ ଏମଏଲଏ ଟିକେଟ୍ ବାଣ୍ଟୁଥିବା ବିଜୟ ନିଜ ଟିକେଟ ହରାଇ ବସିଲେ । ଦଳର ଏହି କୋର୍ ଗ୍ରୁପ ସର୍ବୋଚ୍ଚ ନେତାଙ୍କୁ ସହାନୁଭୂତି ଦେଖାଇବା ପାଇଁ ଦଳୀୟ ବନ୍ଧୁବାନ୍ଧବଙ୍କ ଦେଖା ମିଳିଲାନି । କାରଣ ନବୀନଙ୍କ ଆଖିରେ ବିଜୟ ମହାପାତ୍ର ଥିଲେ ବିଭୀଷଣ ।
ନବୀନଙ୍କ ଆଖିରେ ଦଳର ଆଉ ଜଣେ ବଡ଼ ବିଭୀଷଣ ଉଭା ହୋଇଥିଲେ ରାମକୃଷ୍ଣ ପଟ୍ଟନାୟକ । ବିଜୁ ଜନତା ଦଳର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ରାମକୃଷ୍ଣ ଥିଲେ ପ୍ରବଳ ପ୍ରତାପୀ । ଅର୍ଥମନ୍ତ୍ରୀ ଭାବେ ନବୀନ ସରକାରରେ ସେ ଥିଲେ ନମ୍ବର ଟୁ । ଗଞ୍ଜାମ ଟାଇଗର ଭାବେ ପରିଚିତ ରାମକୃଷ୍ଣଙ୍କ ପାଖରେ ଥିଲା ଅମାପ ଶକ୍ତି ଓ ସାମର୍ଥ । ନିଜର ପ୍ରଭାବ ବଳରେ ପତ୍ନୀ କୁମୁଦିନୀ ପଟ୍ଟନାୟକଙ୍କୁ ରାଜ୍ୟସଭାରେ ଥଇଥାନ କରାଇଥିଲେ । ମାତ୍ର ତାଙ୍କର କାଟତି ବେଶୀ ଦିନ ତିଷ୍ଠି ପାରିଲା ନାହିଁ । କ୍ଷମତା ଓ ବ୍ୟକ୍ତିତ୍ୱ ଅହଂକାରରେ ନବୀନଙ୍କ ନେତୃତ୍ୱକୁ ଅବଜ୍ଞା କରିବା ତାଙ୍କୁ ମହଙ୍ଗା ପଡ଼ିଗଲା । ଅର୍ଥମନ୍ତ୍ରୀ ପଦ ଛାଡ଼ି କୃଷିମନ୍ତ୍ରୀ ଦାୟିତ୍ୱ ନ ନେବାର ଜିଦ୍ ଏବଂ ସଂସଦୀୟ ଦଳରେ ପତ୍ନୀଙ୍କ ବିଦ୍ରୋହୀ ସ୍ୱର ତାଙ୍କୁ ନବୀନଙ୍କ ଆଗରେ ବିଭୀଷଣ ବନାଇ ଦେଲା । ପରିଣାମ ଏୟା ହେଲା କି ଉଭୟ ପତି ପତ୍ନୀ ଦଳ ପାଇଁ ଅଲୋଡ଼ା ହୋଇଗଲେ । ନବୀନ ସେମାନଙ୍କୁ ଦଳରୁ ବାହାର କରିବାର କଠୋର ନିଷ୍ପତ୍ତି ନେବାକୁ ପଛଘୁଞ୍ଚା ଦେଲେ ନାହିଁ । ରାମକୃଷ୍ଣ ଦଳରୁ ବହିଷ୍କାର ହେଲା ପରେ ନବୀନଙ୍କୁ କଡ଼ା ଚାଲେଞ୍ଜ ଦେବାକୁ ଚେଷ୍ଟା କରିଥିଲେ । ତାଙ୍କର ପ୍ରଭାବୀ ବ୍ୟକ୍ତିତ୍ୱ ବିଜେଡ଼ିକୁ ହଲଚଲ କରିଦବ ବୋଲି ରାଜନୈତିକ ପଣ୍ଡିତମାନେ ଆଶଙ୍କା କରିଥିଲେ । ନବୀନଙ୍କ ବିରୋଧରେ ଏକ ବିରାଟ ସମାବେଶ ଆୟୋଜନ କରିଥିବା ରାମକୃଷ୍ଣଙ୍କୁ ତାଙ୍କ ନିଜ ମାଟି କୋଦଳାରେ ସମାବେଶ ପାଇଁ ନବୀନ ସରକାର ଅନୁମତି ନ ଦେବା ସେତେବେଳେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ନଛୋଡ଼ବନ୍ଧା ରାମକୃଷ୍ଣ ସମାବେଶ କଲେ ଏବଂ ରାସ୍ତାରେ ଏକ ଶଗଡ଼ ଗାଡ଼ିରେ ଛିଡ଼ା ହୋଇ ନବୀନଙ୍କୁ ଶକ୍ତି ପ୍ରଦର୍ଶନ କରିଥିଲେ । ମାତ୍ର ନବୀନଙ୍କ ଭାବମୂର୍ତ୍ତି ଆଗରେ ତାହା ବିଲକୁଲ୍ ଫୁସକିଗଲା । ରାମକୃଷ୍ଣଙ୍କ ନିଜ ଲୋକ ତାହାକୁ ଗ୍ରହଣ କଲେ ନାହିଁ । ତାପରଠୁଁ ରାମକୃଷ୍ଣ ଯାଇଛନ୍ତି ଯେ ଯାଇଛନ୍ତି । କଂଗ୍ରେସ ଛତା ତଳେ ଆଉଜି ହଜିଗଲେଣି ସେ ।
ନବୀନଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ପ୍ୟାରୀମୋହନ ମହାପାତ୍ରଙ୍କ ଭୂମିକା ଖୋଦ୍ ବିଜେଡ଼ି ଇତିହାସରେ ଏକ ସ୍ୱତନ୍ତ୍ର ଅଧ୍ୟାୟ । ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ବିବେଚିତ ପ୍ୟାରୀ ଥିଲେ ଅଖଣ୍ଡ ଶକ୍ତିର ଅଧିକାରୀ । ତାଙ୍କର ବିନା ଇଙ୍ଗିତରେ ସରକାର ଓ ଦଳରେ ପତ୍ର ମଧ୍ୟ ହଲୁ ନ ଥିଲା । ଲଗାତର ତିନି ତିନୋଟି ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ସେ ଥିଲେ ବିଜେଡ଼ି ବିଜୟର ଗୋଟିଚାଳକ । ଦଳର ସାଂଗଠନିକ ଶକ୍ତି ବୃଦ୍ଧି, ଶୃଙ୍ଖଳା ପ୍ରତିଷ୍ଠାର ଶ୍ରେୟ ଥିଲା ପ୍ୟାରୀଙ୍କର । ନିର୍ବାଚନରେ କାହାକୁ ଟିକେଟ ଦିଆଯିବ, କିଏ ମନ୍ତ୍ରୀ ହେବେ ସବୁ ନିଷ୍ପତ୍ତି ନେଉଥିଲେ ପ୍ୟାରୀ । ମାତ୍ର ୨୦୧୨ ମେ ୨୯ ତାରିଖ ଘଟଣା ତାଙ୍କୁ ରାତାରାତି ବିଭୀଷଣ କରିଦେଲା । ନବୀନଙ୍କ ପାଇଁ ସେ ହୋଇଗଲେ ବେଇମାନ୍ । ଦଳରୁ ନବୀନ ତାଙ୍କୁ ଫୋପାଡ଼ିଦେଲେ । ନବୀନଙ୍କୁ ଖୋଲା ଚାଲେଂଜ ଦେଇ ପ୍ୟାରୀ ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ତିଷ୍ଠି ପାରି ନ ଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡ଼ିଶା ଜନମୋର୍ଚ୍ଚାକୁ ଲୋକ ଗ୍ରହଣ କଲେ ନାହିଁ । ନବୀନଙ୍କ ବିରୋଧରେ ବ୍ରହ୍ମାସ୍ତ୍ର ଦେଖାଉଥିବା ପ୍ୟାରୀ ବିବସ୍ତ୍ର ହୋଇଗଲେ । ନବୀନ ଝଟକା ତାଙ୍କୁ ଧରାଶାୟୀ କରିଦେଲା । ଜନମାନସରେ ପ୍ୟାରୀ ଏକ କଳଙ୍କିତ ଖଳନାୟକ ପାଲଟିଗଲେ ।
ପ୍ରଫୁଲ୍ଲ ଘଡ଼ାଇଙ୍କ ଭଳି ଦଳର ପୁରୁଖା ଓ ହେଭିୱେଟ୍ ନେତାଙ୍କୁ ବି ବିଭୀଷଣ ବନେଇଦେଲେ ନବୀନ । ଖବରକାଗଜର ଏକ ସାକ୍ଷାତକାରରେ ନବୀନ ଓ ତାଙ୍କର ଆଇଏଏସ୍ ପରାମର୍ଶଦାତାଙ୍କ ବିଷୟରେ ଗୁମର ଖୋଲି ବିଭୀଷଣ ପାଲଟିଗଲେ ସେ । ମୁହୁର୍ତ୍ତକ ଭିତରେ ନବୀନ ତାଙ୍କୁ ଦଳରୁ ବିଦା କରିଦେଲେ । ବିଜେଡ଼ି ପାଇଁ ରାତାରାତି ସେ ହୋଇଗଲେ ଅଲୋଡ଼ା ।
ବିଭୀଷଣ ରୂପ ଦେଇ ଏହି ମହାନାୟକମାନଙ୍କୁ ନିପାତ କରିବାର ଦମ୍ଭ ଓ ସାହାସ କେବଳ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ଥିଲା । କାରଣ ଓଡ଼ିଶା ଜନସାଧାରଣଙ୍କର ତାଙ୍କ ଉପରେ ଥିଲା ପ୍ରବଳ ଆସ୍ଥା ଓ ବିଶ୍ୱାସ । ଲୋକଙ୍କ ସାମନାରେ ସେ ଥିଲେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିର ପ୍ରତୀକ । ବିଜୁ ପଟ୍ଟନାୟକଙ୍କ ପୁଅ, ଅବିବାହିତ ଜୀବନ, ପାଦକୁ ଛୁଉଁ ନ ଥିବା ଧୋବ ଫର ଫର ଟ୍ରାଉଜର, ଗୋଡ଼ରେ କୋହ୍ଲାପୁରି ଚପଲର ବେଶଭୂଷା ହେଉଛି ତାଙ୍କର ପୁଂଜି । ନିଜେ ଓଡ଼ିଆରେ କହି ନ ପାରିବା, ଲୋକଙ୍କ ସାଙ୍ଗେ ଆଦୌ ନ ମିଶିବା, ଖୋଦ୍ ଦଳୀୟ ନେତାଙ୍କ ପାଇଁ ଅପହଞ୍ଚ ରହିବା ତାଙ୍କ ଭାବମୂର୍ତ୍ତି ଓ ନେତୃତ ଉପରେ ଫରକ୍ ପକାଇପାରିନି । ବରଂ ଏହି ଦୂରତା ତାଙ୍କୁ ଲୋକଙ୍କ ହୃଦୟର ଆହୁରି ନିକଟତର କରିଛି । ଏହି ପୁଂଜି ନବୀନଙ୍କୁ ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ଲୋକପ୍ରିୟତାର ଶୀର୍ଷରେ ବସାଇଛି । ସେ ଯେଡେ ବଳିୟାନ୍ ହୁଅନ୍ତୁ ନା କାହିଁକି ନବୀନଙ୍କ ପାଇଁ ଦଳରେ ଯିଏ ଅଡୁଆ ସୃଷ୍ଟି କରିଛି ଓଡ଼ିଶାବାସୀ ତାହାକୁ ବିଭୀଷଣର ଚିତ୍ରଣ କରିଛନ୍ତି । ସେଠି ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ପ୍ୟାରୀମୋହନ ମହାପାତ୍ର କି ପ୍ରଫୁଲ୍ଲ ଘଡ଼ାଇଙ୍କ ଅମାପ ଶକ୍ତି ଓ କ୍ଷମତା ନିଷ୍ପ୍ରଭ ହୋଇଯାଇଛି । ସେମାନଙ୍କ ଜୀବନ ମାଟି ହୋଇଯାଇଛି ।
ସାମ୍ପ୍ରତିକ ପରିସ୍ଥିତିରେ ଇତିହାସ ପୁଣି କଡ଼ ଲେଉଟେଇଛି । ଦଳର ପ୍ରଭାବଶାଳୀ ସାଂସଦ ବୈଜୟନ୍ତ ପଣ୍ଡା ନବୀନଙ୍କ ପାଇଁ ଖୋଲାଖୋଲି ଚାଲେଂଜ ଆଣିଛନ୍ତି । ନବୀନଙ୍କ ନେତୃତ୍ୱ ଦୁର୍ବଳ ହୋଇଯାଇଛି ବୋଲି ଖାଲି ଠାରରେ କହିନାହାନ୍ତି ବରଂ ତାଙ୍କ ସରକାରରେ ଦୁର୍ନୀତି, ଅପରାଧ ମାଡ଼ି ଯାଇଛି ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ମୋଦିଙ୍କ ସ୍ତାବକ ସାଜି ବିଜେଡ଼ିକୁ ଯେତେ ନିନ୍ଦା ଅପବାଦ ଦେବା କଥା ଦେଇ ଚାଲିଛନ୍ତି । ଏହା ଆଜିକା କଥା ନୁହେଁ, ବିଜେଡ଼ି କ୍ଷମତା ବଳୟରେ ନିଜର ସ୍ଥିତି ଜାହିର କରି ନ ପାରିବାର ଅସହାୟତା ବୈଜୟନ୍ତଙ୍କୁ କିଛି ବର୍ଷ ଧରି ଏମିତିକା ବାଟ ଦେଖାଇଛି । ବୈଜୟନ୍ତଙ୍କ ଏଭଳି ବିଭୀଷଣ ଭୂମିକା ନବୀନଙ୍କୁ ସେ ଅଜଣା ଅଛି ତାହା ନୁହେଁ । ମାତ୍ର ପୂର୍ବର ବିଭୀଷଣ ନିପାତ ଶକ୍ତି ତାଙ୍କଠାରେ ଦୁର୍ବଳ ପରିଲକ୍ଷିତ ହୋଇଛି । ବୈଜୟନ୍ତଙ୍କ ପାଟି ଚୁପ୍ କରିବା ବଦଳରେ ତାହାକୁ ନିରବରେ ସହି ଚାଲିଛନ୍ତି । ଏହା ଦଳର ଯେତିକି କ୍ଷତି କରୁ ନ କରୁ ଖୋଦ୍ ନବୀନଙ୍କ ବ୍ୟକ୍ତିତ୍ୱର ଛାପରେ ମାଟି ବୋଳିଦେଇଛି । ନବୀନ ପୂର୍ବପରି ଆଉ ନାହାନ୍ତି । ସେ ଅସହାୟ ଓ ଦୁର୍ବଳ ହୋଇଯାଇଛନ୍ତି ବୋଲି ଲୋକଙ୍କ ବିଶ୍ୱାସ ଜନ୍ମିଲାଣି । ଲୋକଙ୍କର ଏହି ବିଶ୍ୱାସ ସଂକ୍ରମଣର ରୂପ ନେଇ ନବୀନଙ୍କ ଚେହେରାକୁ ସାଂଘାତିକ ଭାବେ ମଳିନ କରିବା ଆରମ୍ଭ କରିଛି ।
ଖାଲି ବୈଜୟନ୍ତଙ୍କ କଥା ନୁହେଁ, ଗତ ତିନି ବର୍ଷରେ ନବୀନଙ୍କ ନୋ ଆକ୍ସନ୍ ମୁଡ଼ ତାଙ୍କର ଭାବମୂର୍ତ୍ତିରେ ଉଇ ଚଢ଼ାଇ ଦେଇଛି । ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ । ଡି ବ୍ରଦର୍ସ ଲିଙ୍କ୍ ରେ ଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ । ଦଳର ଭାବମୂର୍ତ୍ତିକୁ ପ୍ରବଳ କ୍ଷତି ପହଞ୍ଚାଇଥିବା ଭୁବନେଶ୍ୱର ମେୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ । ସର୍ବସାଧାରଣରେ ଗୁଣ୍ଡା ସାଜିଥିବା ଦଳୀୟ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ । ଅପାରଗ, ଦୁର୍ନୀତିଖୋର ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ । ଗୋଷ୍ଠୀକନ୍ଦଳ ବଢ଼ାଉଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ । ଓଲଟି ଅଭିଯୁକ୍ତ ଦଳୀୟ ନେତାମାନଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି ନବୀନ । ଦଳ ପ୍ରତି ଆଦୌ ଆନୁଗତ୍ୟ ନ ଥିବା ଅନଭିଜ୍ଞ ଯୁବକଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଦେଇ ତାଙ୍କ ହାତରେ ଲଗାମ୍ ଦେଇଛନ୍ତି । ଦକ୍ଷ ଓ ଅଭିଜ୍ଞ ନେତାଙ୍କୁ ଦଳରେ ଅଲୋଡ଼ା କରିଛନ୍ତି । ଦଳୀୟ ନେତା ଓ କର୍ମୀଙ୍କ ପାଇଁ ଏହା ଅସହ୍ୟ ହେବା ସହ ଜନମାନସରେ ନବୀନଙ୍କୁ ନିନ୍ଦିତ କରିଚାଲିଛି । ରାଜ୍ୟବାସୀଙ୍କ ଉପରେ ଛାପ ଛାଡ଼ିଥିବା ତାଙ୍କ ବ୍ୟକ୍ତିତ୍ୱ ବଦଳିଯାଇଛି ।
ପରିସ୍ଥିତି ଏମିତି ଯେ ସୁପ୍ରିମୋ ନବୀନଙ୍କୁ ଦଳୀୟ ନେତାମାନେ ଜୋକର୍ କରିଦେଇଛନ୍ତି । ନବୀନଙ୍କୁ ଛିଗୁଲାଇ କେତେବେଳେ ସାଂସଦ ତଥାଗତ ଶତପଥୀ ନିଜ ଖବରକାଗଜରେ ମୁଖ୍ୟମନ୍ତ୍ରୀଙ୍କ ଜଳସେଚନ ବିଭାଗକୁ କଠୋର ସମାଲୋଚନା କରି ସମ୍ପାଦକୀୟ ଲେଖୁଛନ୍ତି ତ କେତେବେଳେ ଟ୍ୱିଟ୍ କରି ବୈଜୟନ୍ତ ପଣ୍ଡାଙ୍କୁ ଉସକାଉଛନ୍ତି ତ ସେପଟେ ବୈଜୟନ୍ତ ନବୀନଙ୍କୁ ତୀର ପରେ ତୀର ମାରୁଛନ୍ତି । ନବୀନଙ୍କୁ ଚିଡ଼ାଇ ପରଷ୍ପର ବିରୋଧରେ ମିଛ ବୟାନବାଜିର ପରଦିନ ହିଁ ପାର୍ଲିଆମେଣ୍ଟ ଲବିରେ ସୁପ୍ରିୟା ସୁଲେଙ୍କୁ ଧରି ତଥାଗତ-ବୈଜୟନ୍ତ ସେଲଫି ପୋଜ୍ ଦେଉଛନ୍ତି । ସେପଟେ ଖୋଦ୍ ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଅନେକ ସମୟରେ ବିଜେଡ଼ିର ଆଭିମୁଖ୍ୟ ଉପରେ ବିଭ୍ରାନ୍ତିକର ବୟାନ ଦେଉଛନ୍ତି । ଖାଲି ରାଜ୍ୟରେ ନୁହେଁ ଏହା ନବୀନଙ୍କୁ ଜାତୀୟସ୍ତରରେ ଅଡୁଆରେ ପକାଉଛି । ଭର୍ତ୍ତୃହରିଙ୍କର ଏଭଳି ବୟାନକୁ ନେଇ ନିକଟ ଅତୀତରେ ଦଳ ପକ୍ଷରୁ ତାଙ୍କୁ କାରଣଦର୍ଶଆ ନୋଟିସ୍ ଜାରି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଦଳୀୟ ସାଂସଦଙ୍କର ଏଭଳି ଲଗାମଛଡ଼ା ଆଚରଣରେ ନବୀନଙ୍କ ନେତୃତ୍ୱ ଓ ବ୍ୟକ୍ତିତ୍ୱ ନିଶ୍ଚିତ ଭାବେ ଭୁଲୁଣ୍ଠିତ ହୋଇଛି ଏହା ଯେ କେହି ସ୍ୱୀକାର କରିବେ ।
ନବୀନଙ୍କର ଏହି ଦୁର୍ବଳତାର ସୁଯୋଗ ନେଇ ନରେନ୍ଦ୍ର(ନରି) ସ୍ୱାଇଁଙ୍କ ଭଳି ସାଂସଦ ମଧ୍ୟ ଛିଗୁଲାଇବା ଆରମ୍ଭ କରିଛନ୍ତି । କହିବା ବାହୁଲ୍ୟ ଯେ ଦଳରେ ଆଭ୍ୟନ୍ତରୀଣ ସମ୍ବିଧାନ କିଭଳି ଚାଲିଛି ନରି ସ୍ୱାଇଁଙ୍କଠାରୁ ଅଧିକ କାହାରିକୁ ଜଣା ନାହିଁ । ଦୀର୍ଘ ବର୍ଷ ଧରି ଅଫିସ୍ ସେକ୍ରୋଟାରି ଦାୟିତ୍ୱ ସମ୍ଭାଳିଥିବା ନରି କିନ୍ତୁ ତାହା ଉପରେ ଏବେ ପ୍ରଶ୍ନ କରିବାକୁ ସାହାସ କରିଛନ୍ତି । ବୈଜୟନ୍ତଙ୍କ ଟ୍ୱିଟ୍ ଓ ଖବରକାଗଜ ସ୍ତମ୍ଭ ଝଡ ଭିତରେ ବିଜେଡ଼ିର ଏଭଳି କିଛି ନେତା ପରୋକ୍ଷରେ ନବୀନଙ୍କ ନେତୃତ୍ୱ ଓ ବିଜେଡ଼ିର ସାଂଗଠନିକ ବ୍ୟାପାର ଆଡକୁ ଅଙ୍ଗୁଳି ଉଠାଇବାକୁ ସାହାସ କଲେଣି । ନିଜ ନେତୃତ୍ୱ ଆଗରେ ଏଭଳି ବିଭୀଷଣମାନଙ୍କୁ ନବୀନ ଆଉ ଅଧିକ କାଳ ବିଳମ୍ବ ନ କରି ପୂର୍ବପରି ସାବାଡ଼ କରିବେ ନା ମୁଣ୍ଡ ପୋତି ସହିଯିବେ ତାହା ଏବେ ରାଜନୈତିକ ପଣ୍ଡିତମାନଙ୍କର ଉତ୍କଣ୍ଠା ବଢ଼ାଇଛି ।